ରାୟଗଡ(ଗଜପତି) ୧୯।୧୧ - ଭତ୍ତା ଚୋରକୁ ଧରା ପକାଇଦେଲା ଲାଇଫ ସାଫିକେଟ।ଏନେଇ ରାୟଗଡ ଥାନାରେ ସମ୍ପର୍କୀୟ ଏତଲା ଦେଇଥିବା ଜଣାପଡିଛି I ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦରମହକୁମା ସ୍ଥିତ ସ୍ୱାଲସିଂ ସାହିରେ । ଉକ୍ତ ସାହିର ଜଣେ ବିଧବା ବୃଦ୍ଧାଙ୍କ ସରକାରୀ ପେନସନ ଦୀର୍ଘ ଦଶବର୍ଷ ଧରି ଗୋଟିଏ ପରିବାରର ବାପା ଓ ତିନିପୁଅ ବ୍ୟାଙ୍କରୁ ଉଠାଇ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି l ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l

ସୂଚନା ଅନୁଯାୟୀ ସ୍ଥାନୀୟ ମହିଳାଙ୍କ ସ୍ୱାମୀ ଜଣେ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟ କରିଥିବାବେଳେ ୨୦୦୬ ରେ ତାଙ୍କର ମୃତ୍ୟୁ ହୋଇଥିଲା l ତେବେ ଏହାର ସୁଯୋଗ ନେଇ ସ୍ଥାନୀୟ ଜଣେ ବ୍ୟକ୍ତି ମୃତ ଶିକ୍ଷକଙ୍କ ବିଧବା ସ୍ତ୍ରୀଙ୍କ ଠାରୁ ଆବଶ୍ୟକୀୟ କାଗଜପତ୍ର ମାଗି ନେଇ ପରିବାର ପେନସନ ପାଇଁ ଆବେଦନ କରିଥିଲେ l ୨୦୧୫ ଡିସେମ୍ବର ମାସ ଠାରୁ ପେନସନ ମିଳିବା ଆରମ୍ଭ ହୋଇଥିଲା l କିନ୍ତୁ ଉକ୍ତ ପେନସନ ସମ୍ପର୍କରେ ସମ୍ପୃକ୍ତ ମହିଳାଜଣକ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ l ଏଭଳି ପ୍ରତ୍ୟେକ ମାସରେ ବ୍ୟାଙ୍କରୁ ପେନସନ ଉଠାଇ ଚଳୁ କରୁଥିଲେ ସମ୍ପୃକ୍ତ ସ୍ଥାନୀୟ ବ୍ୟକ୍ତିଜଣକ l ଏହାରି ଭିତରେ ସମ୍ପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଏହାର ଫାଇଦା ଉଠାଇଥିଲେ ତାଙ୍କ ତିନି ପୁଅ l

ତେବେ ଗତ କିଛି ଦିନ ପୂର୍ବରୁ ବୃଦ୍ଧାଜଣକଙ୍କ ଗୋଡ଼ ଭାଙ୍ଗିଯାଇଥିଲା । ଏଥିଯୋଗୁଁ ସେ ଘରୁ ବାହାରକୁ ଯାଇପାରୁନଥିଲେ। ଚଳିତ ମାସ ଏଗାର ତାରିଖରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ଚଞ୍ଚକତା କରିଥିବା ତିନିଭାଇଙ୍କ ମଧ୍ୟରୁ ଜଣେ ଭାଇ ମହିଳାଙ୍କ ଘରକୁ ଯାଇ ତାଙ୍କୁ ଲାଇଭ ସାର୍ଟିଫିକେଟ ଆବଶ୍ୟକ ଥିବା କହି ବିଭିନ୍ନ କାଗଜପତ୍ର ମାଗିଥିଲେ l ଏହା ଶୁଣି ମହିଳାଜଣକ ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ସମ୍ପର୍କୀୟ ଭଣଜା ମଧ୍ୟ ଏସବୁ ଶୁଣି ତାଜୁବ ହୋଇଯାଇଥିଲେ l ମହିଳାଙ୍କ ଲାଇଭ ସାର୍ଟିଫିକେଟ ସହ ବ୍ୟାଙ୍କର ଆବଶ୍ୟକତା କୁ ଉଭୟେ ମାଇଁ ଓ ସମ୍ପର୍କୀୟ ଭଣଜା ସହଜରେ ଗ୍ରହଣ କରିପାରିନଥିଲେ l ଯେହେତୁ ସେ ବିପିଏଲ ହିତାଧିକାରୀ ହୋଇ ବର୍ତ୍ତମାନ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି l ଏପରିକି ତାଙ୍କର ଆଧାର କାର୍ଡ, ବ୍ୟାଙ୍କ ସଂଚୟ ଖାତା ଏବଂ ଏଟିଏମ କାର୍ଡ ମଧ୍ୟ ତାଙ୍କ ପାଖରେ ମହଜୁଦ ନଥିବା କଥା କହିଥିଲେ l

ତେବେ ବ୍ୟାଙ୍କ କର୍ମଚାରୀ ଓ ଅନ୍ୟମାନେ ଚାଲିଯିବା ପରେ ସମ୍ପର୍କୀୟ ଭଣଜା ଜଣକ ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ। ଏହା ପରେ ଜାଣିବାକୁ ପାଇଥିଲେ ଯେ, ଦୀର୍ଘ ଦଶବର୍ଷ ଧରି ଏଭଳି ଗୋଟିଏ ପରିବାରର ବାପାପୁଅ ଚାରିଜଣ ଏହି କେଳେଙ୍କାରୀରେ ସାମିଲ ଅଛନ୍ତି। ଏହା ଜାଣିପାରି ରାୟଗଡ ଥାନାରେ ଏତଲା ଦେଇଥିବାବେଳେ ପୁଲିସ ଉକ୍ତ କେଳେଙ୍କାରୀର ତଦନ୍ତ ଜାରି ରଖିଥିବା ଜଣାପଡିଛି l ହେଲେ ଜଣେ ଅସହାୟ ବିଧବା ମହିଳାଙ୍କ ପେନସନ ବାବଦ ଭତ୍ତାକୁ ଆତ୍ମସାତ କରିଥିବା ଘଟଣାକୁ ନେଇ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି l