ସୁନ୍ଦର ଆରମ୍ଭରୁ ଏମିତି ଶେଷ… ରାଇମୋହନ ଦେଇଗଲେ ଅପାସୋରା ଦୁଃଖ

ଭୁବନେଶ୍ଵର, ୨୪/୦୬ : ଦୁଃଖ ଦେଇଗଲେ ରାଇମୋହନ। ଜୀବନ ଯୁଦ୍ଧରେ ହାରିଗଲେ ଅନେକ ସଙ୍ଘର୍ଷର ସାମ୍ନା କରିଥିବା ରାଇମୋହନ ପରିଡ଼ା। ଶୋକ ସାଗରରେ ବୁଡ଼ିଲା ଓଲିଉଡ ଜଗତ। ଭୁବନେଶ୍ଵର ସ୍ଥିତ ପ୍ରାଚୀ ବିହାର ଘରୁ ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ୫୯ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କର ପରଲୋକ ପରେ ସିନେମା ଜଗତ ପାଇଁ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଓଲିଉଡ ଜଗତ ସ୍ତବ୍ଧ ହୋଇଯାଇଛି। ତେବେ ରାଇମୋହନ ହଠାତ୍ ଏଭଳି ଚରମ ନିଷ୍ପତ୍ତି କାହିଁକି ନେଲେ ସେନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସେ କେତେବେଳେ ନାଗିନା ତ ଆଉ କେତେବେଳେ ଝାମୁଣ୍ଡା-
ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା। କେତେବେଳେ ସେ ନାଗିନା ତ ଆଉ କେତେବେଳେ ଝାମୁଣ୍ଡା । ଏମିତି ପ୍ରାୟ ୧୦୦ରୁ ଅଧିକ ଓଡ଼ିଆ ଫିଲ୍ମରେ ରହିଛି ତାଙ୍କ ଅଭିନୟର ଛିଟା। ସେହିପରି ୧୫ରୁ ଅଧିକ ବଙ୍ଗଳା ଫିଲ୍ମ ଓ ୪୦ରୁ ଅଧିକ ଯାତ୍ରାରେ ସେ ଦର୍ଶକଙ୍କୁ ଦେଇଛନ୍ତି ଅନେକ ହାଇ ଭୋଲ୍ଟେଜ୍ ଡ୍ରାମା । ୧୦ ଜୁଲାଇ ୧୯୬୩ରେ କେନ୍ଦୁଝରରେ ହୋଇଥିଲା ତାଙ୍କର ଜନ୍ମ। ପିଲାଟି ବେଳୁ ହିଁ ଅଭିନୟ ପ୍ରତି ତାଙ୍କର ରହିଥିଲା ଅହେତୁକ ଦୁର୍ବଳତା। ସ୍କୁଲ ଓ କଲେଜରେ ପଢ଼ିବା ବେଳେ ନାଟକରୁ ଆରମ୍ଭ କରିଥିଲେ ଅଭିନୟ। ଅଭିନୟ ପ୍ରତି ତାଙ୍କର ଭଲ ପାଇବା ଦେଖି ତାଙ୍କ ବାପା ତାଙ୍କୁ ଭୁବନେଶ୍ଵର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟକୁ ପଠାଇଥିଲେ । ଏହାପରେ ରାଇମୋହନଙ୍କର ଅଭିନୟ କ୍ୟାରିଅର ଆରମ୍ଭ ହୋଇଥିଲା।
ଆଉ ଶୁଭିବନି ହେଇ ଅନାନୀ…
ଫିଲ୍ମ, ସିରିଏଲ ଓ ଡ୍ରାମାରେ ଅଭିନୟ କରି ସେ ଚିରଦିନ ପାଇଁ ଦର୍ଶକଙ୍କ ହୃଦୟରେ ଛାଡ଼ିଯାଇଛନ୍ତି ଅଲିଭା ଛାପ। ‘ରଣଭୂମି’, ସିଂହବାହିନୀ, ‘ସରପଞ୍ଚ ବାବୁ”, “କୁଳ ନନ୍ଦନ’, ‘ବିଧାତା”, ‘ଆସିବୁ କେବେ ସାଜି ମୋ ରାଣୀ ଭଳି ଅନେକ ଫିଲ୍ମରେ ସେ କାମ କରିଛନ୍ତି। ତାଙ୍କର ‘ହେଇ ଅନାନୀ’, ଡାଇଲଗ୍ ଦର୍ଶକଙ୍କ ମନରେ ଏବେବି ଜୀବନ୍ତ ରହିଛି । ସେ ଯେଉଁ ଭୂମିକାରେ ଅଭିନୟ କରୁଥିଲେ ସେହି ଚରିତ୍ର ଜୀବନ୍ତ ହୋଇ ଉଠୁଥିଲା।
ଏହି ଖବରଟିକୁ ପଢନ୍ତୁ- ଅଭିନେତା ରାଇମୋହନ ପରିଡ଼ାଙ୍କ ପରଲୋକ, ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା
୯୦ରୁ ଅଧିକ ଓଡ଼ିଆ ସିନେମାରେ କରିଛନ୍ତି ଅଭିନୟ-
୯୦ରୁ ଅଧିକ ଓଡ଼ିଆ ସିନେମା ଓ ୧୫ରୁ ଅଧିକ ବଙ୍ଗଳା ସିନେମାରେ ସେ ଅଭିନୟ କରିଛନ୍ତି। ସିଂହ ବାହିନୀ, ସୁନା ଭାଉଜ ଓ ମେଣ୍ଟାଲ ଚଳଚ୍ଚିତ୍ର ତାଙ୍କ ଅଭିନୟ କ୍ୟାରିଅରର ମାଇଲ୍ ଖୁଣ୍ଟ ଥିଲା। ୧୯୯୦ ମସିହାରେ ହସାବ କରିବ କାଳିଆ, ହସ ଲୁହ ଭରା ଦୁନିଆ, ୧୯୯୧ ମସିହାରେ ବସ୍ତ୍ର ହରଣ, ୧୯୯୨ ନାଗ ପଞ୍ଚମୀ, ୧୯୯୪ ପାଚିରୀ ଉଠିଲା ମଝି ଦୁଆରୁ, ଏମତି ଭାଇ ଜଗତେ ନାହିଁ, ସମୟ ବଡ଼ ବଳବାନ, ୧୯୯୫ ମସିହାରେ ରଣଭୂମି, ମଣି ନାଗେଶ୍ବରୀ, କୂଳ ନନ୍ଦନ, ସତ ମିଛ, ୧୯୯୮ମସିହାରେ ସ୍ତ୍ରୀ, ୧୯୯୬ ମସିହାରେ ଯୋଦ୍ଧା, ଲକ୍ଷେ ଶିବ ପୂଜି ପାଇଛି ପୁଅ, ୧୯୯୯ ମସିହାରେ ସରପଞ୍ଚ ବାବୁ, ୨୦୦୪ ମସିହାରେ କଣ୍ଢେଇ ଆଖିରେ ଲୁହ, ୨୦୦୩ ରେ ଯେ ପାଞ୍ଚେ ପର ମନ୍ଦ,ସୁନା ଶଙ୍ଖାଳି, ୨୦୦୨ ରେ ସେହି ଝିଅଟି, ପୁଅ ମୋର ଜଗତ ଜିତା, ଚକା ଆଖି ସବୁ ଦେଖୁଛି, ୨୦୦୫ ମସିହାରେ ବାବୁ ଆଈ ଲଭ ୟୁ, ଜୟ ଶ୍ରୀରାମ, ୨୦୦୬ ମସିହାରେ ଦେ ମା ଶକ୍ତି ଦେ, ୨୦୦୭ ମସିହାରେ କାଳିଶଙ୍କର, ୨୦୧୦ ମସିହାରେ ତୁ ଥିଲେ ମୋ ଡର କାହାକୁ, ୨୦୧୪ ମେଣ୍ଟାଲ ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି।
ଯାତ୍ରା ଜଗତରେ ଛାଡ଼ିଛନ୍ତି ଅଲିଭା ଛାପ-
ସିନେମା ଜଗତରେ ଢେର ସଫଳତା ସାଉଣ୍ଟିବା ପରେ ରାଇମୋହନ ଯାତ୍ରା ଜଗତକୁ ଚାଲି ଆସିଥିଲେ । ଯଲିଉଡର ଏହି ସଫଳ ନିର୍ଦ୍ଦେଶକ ରାଜମୋହନ ତାରିଣୀ ଗଣନାଟ୍ୟ, କଳିଙ୍ଗ ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ, ଶିବାନୀ ଗଣନାଟ୍ୟ, ଜଗନ୍ନାଥ ଗଣନାଟ୍ୟ, ଶୁଭଶ୍ରୀ ଗଣନାଟ୍ୟ, ନିର୍ମାଲ୍ୟ ଗଣନାଟ୍ୟ, ଓଡ଼ିଶା ଅପେରା, ଧରିତ୍ରୀ ଅପେରା, ଶ୍ରୀକ୍ଷେତ୍ର ଗଣନାଟ୍ୟ ଆଦିରେ ବିଭିନ୍ନ ମଞ୍ଚସ୍ଥ ନାଟକରେ ସେ ନିର୍ଦ୍ଦେଶନା ଦେଇଛନ୍ତି । ପରବର୍ତ୍ତୀ ସମୟରେ ସେ ଯାତ୍ରାରେ ମଧ୍ୟ ଅଭିନୟ କରିଛନ୍ତି।
ପ୍ରେମ ବିବାହ କରିଥିଲେ ରାଇ…
ଜଣେ ଖଳନାୟକ ଚରିତ୍ରରେ ନିଖୁଣ ଅଭିନୟ କରୁଥିବା ରାଇମୋହନ ପରିଡ଼ା ବାସ୍ତବ ଜୀବନରେ ସମ୍ପୂର୍ଣ୍ଣ ଭିନ୍ନ ମଣିଷ ଥିଲେ। ସ୍ତ୍ରୀ ଓ ଦୁଇ ଝିଅଙ୍କ ସହିତ ଖୁବ୍ ସିଧାସାଧା ଜୀବନଯାପନ କରୁଥିଲେ ରାଇମୋହନ। ଖୁବ୍ କମ ଲୋକ ଜାଣିଥବେ ବାସ୍ତବ ଜୀବନରେ ଆଉ କାହା ପାଇଁ ହିରୋ ସାଜିଥିଲେ ରାଇମୋହନ। ସେ ରଞ୍ଜିତାଙ୍କୁ ପ୍ରେମ ବିବାହ କରିଥିଲେ। ରାଇମୋହନଙ୍କ ସଫଳ କ୍ୟାରିଅର ପଛରେ ତାଙ୍କର ପତ୍ନୀଙ୍କ ହାତ ଥିବା ସେ କୁହନ୍ତି।