ଭୁବନେଶ୍ୱର,୦୫/୦୯: ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ବର । ଈଶ୍ବରଙ୍କର ଅନ୍ଯ ରୂପ ହେଲେ ଗୁରୁ । ଶିକ୍ଷକଙ୍କ ଭୂମିକାକୁ ମନେ ପକାଇ ସାରା ଆଜି ସାରା ଦେଶ ପାଳୁଛି ପବିତ୍ର ଗୁରୁ ଦିବସ । ଦେଶରେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମତିଥିକୁ ଗୁରୁଦିବସ ଭାବେ ପାଳନ କରାଯାଉଛି । ବିନା ଗୁରୁରେ କେହି କେବେ ସଫଳତାର ଶିଖର ଛୁଇଁପାରିନାହାନ୍ତି । ବାପାମାଆଙ୍କ ପରେ ଗୁରୁ ହିଁ ଜୀବନରେ ଆଗକୁ ବଢିବା ପାଇଁ ସଠିକ ମାର୍ଗ ଦେଖାଇଥାନ୍ତି । ଶିକ୍ଷା ପ୍ରଦାନ ସହ ଜୀବନକୁ ମାର୍ଜିତ ଓ ଶୃଙ୍ଖଳିତ କରିବାରେ ତାଙ୍କ ଭୂମିକା ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ । ଆମ ଭାରତୀୟ ସଂସ୍କୃତି ଗୁରୁ-ଶିଷ୍ଯର ପରମ୍ପରା ଉପରେ ପ୍ରତିଷ୍ଠିତ । ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ରାଷ୍ଟ୍ରପତି ଥିବା ସମୟରେ ଛାତ୍ରଛାତ୍ରୀମାନେ ତାଙ୍କର ଜନ୍ମଦିନ ପାଳନ କରିବାକୁ କହିଥିଲେ । ମାତ୍ର ସେ ସେମାନଙ୍କୁ ନିଜ ଜନ୍ମଦିନ ପାଳିବାକୁ ମନା କରିଥିଲେ । ଜନ୍ମଦିନ ପାଳନ କରିବା ଅପେକ୍ଷା ଏହି ଦିନକୁ ଗୁରୁମାନଙ୍କ ଦିବସ ଭାବେ ପାଳନ କରାଗଲେ ତାହା ତାଙ୍କ ପାଇଁ ବଡ଼ ସମ୍ମାନ ହେବ ବୋଲି କହିଥିଲେ । ଶିକ୍ଷାପ୍ରତି ଥିବା ତାଙ୍କ ଅବଦାନକୁ ସମ୍ମାନ ଜଣାଇ ସେବେଠୁ ତାଙ୍କ ଜନ୍ମଦିବସକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି ।
ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଏହି ଦିବସ ଉତ୍ସର୍ଗୀକୃତ। ୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ୍ଙ୍କ ସମ୍ମାନାର୍ଥେ ତାଙ୍କ ଜନ୍ମ ଦିବସକୁ ‘ଗୁରୁ ଦିବସ’ର ମାନ୍ୟତା ମିଳିଛି। ଜଣେ ମହାନ୍ ପଣ୍ଡିତ, ଦାର୍ଶନିକ ଓ ଭାରତରତ୍ନ ପ୍ରାପ୍ତ ରାଧାକୃଷ୍ଣନ୍ ତୁଳନାତ୍ମକ ଧର୍ମ ଓ ଦର୍ଶନ କ୍ଷେତ୍ରରେ ବିଂଶ ଶତାବ୍ଦୀର ବିଶିଷ୍ଟ ଭାରତୀୟ ବିଦ୍ବାନମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ।
ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ହେବା ପରେ ଡକ୍ଟର୍ ରାଧାକ୍ରିଷ୍ଣନ୍ ୧୯୬୨ ମସିହା ମେ ୧୪ ତାରିଖରେ ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଭାର ଗ୍ରହଣ କରିଥିଲେ ଏବଂ ସଂପୂର୍ଣ୍ଣ ୫ ବର୍ଷ ଯାଏ ଏହି ଦାୟିତ୍ୱରେ ରହିଥିଲେ। ସେ ଚେନ୍ନାଇର ପ୍ରେସିଡେନ୍ସି କଲେଜ ଓ କଲିକତା ବିଶ୍ବବିଦ୍ୟାଳୟ ସମେତ ଦେଶର ଓ ଆନ୍ତର୍ଜାତିକସ୍ତରୀୟ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରିଥିଲେ। ଆଜି ଗୁରୁ ଦିବସ ଅବସରରେ ଶୁଭେଚ୍ଛାର ସୁଅ ଛୁଟୁଛି ।