ପାଟଣାଗଡ଼, ୯/୧୧ :  ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ବଥର୍ଲା ଛକ ନିକଟରେ ଏକ କପା ବୋଝେଇ ପିକଅପ ଭ୍ୟାନ୍ ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ବାଇକ ଚାଳକ ଜଣକ ହେଲେ ବଞ୍ଜାରୀ ଗାଁର ଦେବେରାଜ ପୁଞ୍ଜୀ । ଦୁର୍ଘଟଣା ସ୍ଥଳରେ ପିକଅପ ଭ୍ୟାନ୍ ଚାଳକ ଗାଡିକୁ ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ପାଟଣାଗଡରୁ କଣ୍ଟାବାଞ୍ଜି ଓ ଖପ୍ରାଖୋଲକୁ ଯାଉଥିବା ମୁଖ୍ୟ ରାସ୍ତା ବଥର୍ଲା ଛକ ନିକଟରେ ରାସ୍ତାରୋକ କରିଛନ୍ତି  ।  ଘଟଣାସ୍ଥଳରେ ବେଲପଡା ଥାନା ଅଧିକାରୀ ଅନନ୍ତ ପଧାନ ଓ ପାଟଣାଗଡ଼ ତହସିଲଦାର ରୁଦ୍ରମୋହନ ନାୟକ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି।

ବାଇକ୍ ଚାଳକ ଦେବେରାଜ ଦିନ ମଜୁରିଆ ଭାବରେ କାମ କରେ।  ପାଟଣାଗଡ଼ରୁ କାମ ସାରି ତାଙ୍କ ଜଣେ ସହଯୋଗୀଙ୍କ ସହ ଉକ୍ତ ରାସ୍ତା ଦେଇ ତାଙ୍କ ଘରକୁ ଖାଇବାକୁ ଯାଉଥିଲେ । ପାଟଣାଗଡ଼ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କପା ବୋଝେଇ ପିକଅପ ଭ୍ୟାନ୍ ଦେବେରାଜ ଓ ତାଙ୍କ ସହଯୋଗୀଙ୍କୁ ପଛପଟୁ ଜୋରରେ ଧକ୍କା ଦେଇଥିଲା ।  ଯାହାଫଳରେ ଦେବେରାଜ ଓ ତାଙ୍କ ସହଯୋଗୀ ବାଇକରୁ ଛିଟିକି ତଳେ ପଡିଯାଇଥିଲେ । ସେହି ରାସ୍ତା ଦେଇ ଯାଉଥିବା କିଛି ପଥିକ ଉଭୟଙ୍କୁ ଉଦ୍ଧାର କରି ପାଟଣାଗଡ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ଦେବେରାଜଙ୍କୁ ମୃତ ଘୋଷଣା କରିଥିବା ବେଳେ ତାଙ୍କ ସହଯୋଗୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଡାକ୍ତରଖାନାରେ ପୁଲିସ ପହଞ୍ଚି ମୃତ ଦେବେରାଜଙ୍କ ଶବକୁ ଜବତ କରିଛି ।