ନବରଙ୍ଗପୁର: ପୋଲିସ ମାଡରେ ମୃତ୍ୟୁ ଅଭିଯୋଗ, ଥାନା ଭଙ୍ଗାରୁଜା

ନବରଙ୍ଗପୁର ୧୬/୬: ଖାକି ପୋଷାକରେ ପୁଣି ଲାଗିଲା ଦାଗ । କୋଡ଼ିଙ୍ଗା ଥାନା ପୋଲିସ ମାଡରେ ବଡ଼ପଂଜାରିଆଗୁଡା ଗାଁର ଗୋବର୍ଦ୍ଧନ ବିନ୍ଧାଣି ନାମକ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏହାକୁ ନେଇ କୋଡ଼ିଙ୍ଗା ଥାନା ଆଗରେ ସ୍ଥାନୀୟ ଲୋକେ ଘେରାଉ କରିବା ସହ ଥାନା ଭଙ୍ଗାରୁଜା କରିଛନ୍ତି ।

ଗତକାଲି(ଶନିବାର) କୋଡ଼ିଙ୍ଗା ପୋଲିସ ଖୁଟିଗୁଡା ହାଟରେ କୁକୁଡ଼ା ଲଢେ଼ଇ ଖେଳ ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ସେଠାରୁ ପୋଲିସ ଦୁଇଜଣଙ୍କୁ ଉଠାଇ ଆଣିଥିଲା । ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ନବରଙ୍ଗପୁର ମେଡିକାଲରେ ଭର୍ତି କରାଇଥିଲା ପୋଲିସ । ଏବଂ ଅନ୍ୟଜଣକ ଅର୍ଥାତ୍ ଗୋବର୍ଦ୍ଧନ ବିନ୍ଧାଣିଙ୍କୁ ଲୁଚାଇ ରଖିଥିବା ଜଣାପଡିଛି । ତେବେ ମେଡିକାଲରେ ଥିବା ଅଭିଯୁକ୍ତ କହିବା ଅନୁସାରେ ସେମାନେ ଥାନାରେ ପାଣି ମାଗିବାରୁ ସେମାନଙ୍କୁ ପୋଲିସ ମାଡ଼ ମାରିଥିଲା । ଏଥିରେ ଗୋବର୍ଦ୍ଧନ ବିନ୍ଧାଣି ଅଧିକ ଆହତ ହେବାରୁ ଦୁଇଜଣଙ୍କୁ ନବରଙ୍ଗପୁର ମେଡିକାଲକୁ ନେଇଥିଲେ । ମାତ୍ର ପରେ ସେଠାରୁ ଗୋବର୍ଦ୍ଧନକୁ କେଉଁଆଡ଼େ ନେଲେ ତାହା ଜଣାପଡିନି ।

ଏଥିରେ ଗ୍ରାମବାସୀ ମାନେ ସନ୍ଦେହ କରି ଗୋବର୍ଦ୍ଧନ ର ମୃତ୍ୟୁ ହୋଇଥିବା ଜାଣି କୋଡ଼ିଙ୍ଗା ଥାନା ଘେରାଉ କରିଥିଲେ । ତେବେ ମୃତ ବ୍ୟକ୍ତିର ଶବକୁ କେଉଁଠି ଲୁଚାଇ ରଖିଦେଇ ମାମଲା କୁ ଚାପିଦେବାକୁ ଉଦ୍ୟମ କରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରି କୋଡ଼ିଙ୍ଗା ଥାନା ଭଙ୍ଗା ରୁଜା କରିଛନ୍ତି । ପରିବାର ଲୋକଙ୍କୁ ତୁରନ୍ତ ମୃତଦେହ ହସ୍ତାନ୍ତର କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । କୋଡ଼ିଙ୍ଗା ଥାନାକୁ ଘେରାଉ କରିବାକୁ ଯାଇଥିବା ସମୟରେ ପୋଲିସ ଲୋକଙ୍କ ଉପରକୁ ଲାଠି ଚାର୍ଜ କରି ଲୋକଙ୍କୁ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ସମ୍ପୃକ୍ତ ବ୍ୟକ୍ତିର ମୃତଦେହ ବିଷୟରେ ପୋଲିସ କୌଣସି ସୂଚନା ଦେଉନଥିବାବେଳେ ଗତ ରାତିରେ ତାର ପରିବାର ଲୋକଙ୍କୁ ମଧ୍ୟ ପୋଲିସ ଉଠାଇ ଆଣିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ମୃତ ବ୍ୟକ୍ତିର ମୃତଦେହ ଆଣିବା ସହ ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।