ବାଇକ ଧକ୍କାରେ ସାଇକେଲ ଚାଳକ ମୃତ

ଫୁଲବାଣୀ ୨୬/୫- କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ୧୫୭ ନଂ ରାଜପଥ ଫାଲିସିପଦା ଛକଠାରେ ବାଇକ୍ ଓ ସାଇକେଲ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ସାଇକେଲ୍ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବପଲମେଣ୍ଡି(ବି) ପଞ୍ଚାୟତ ଚିକିଟାବର ଗ୍ରାମର ଶ୍ୟାମ ପ୍ରଧାନ(୬୦)। ସୂଚନା ଅନୁଯାୟୀ, ଶ୍ୟାମ କୌଣସି କାମରେ ଶଙ୍କରାଖୋଲ ଯାଉଥିବା ବେଳେ ଫୁଲବାଣୀ ପଟୁ ଆସୁଥିବା ଏକ ବାଇକ( ଓଡି ୧୨ ଇ ୬୭୪୩) ଫାଲିସିପଦା ଛକଠାରେ ତାଙ୍କୁ ଧକ୍କା ଦେଇଥିଲା । ସେ ରାସ୍ତାରେ ପଡିଥିବା ବେଳେ କିଛି ସ୍ତାନୀୟ ଲୋକେ ଦେଖି ଅଗ୍ନିଶମ କେନ୍ଦ୍ରକୁ ଫୋନ୍ କରିଥିଲେ । ଖବରପାଇ ଅଗ୍ନିଶମ ଅଧିକାରୀ ଏବଂ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଟିକାବାଲି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ବାଇକ୍ ଚାଳକ ଜଣକ ବାଲିଗୁଡା ନୂଆସାହିର ବୋଲି ଜଣାପଡିଛି। ବାଇକ୍ ଚାଳକଙ୍କୁ ଟିକାବାଲି ପୁଲିସ୍ ଅଟକ ରଖିଛି। ଏନେଇ ଟିକାବାଲି ଥାନାରେ ୬୯ /୨୩ ଏକ ମାମଲା ରୂଜୁକରି ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ କଲ୍ୟାଣମୟୀ ଷେଣ୍ଢ ।