ନୂଆଦିଲ୍ଲୀ,୧୫/୧୨: କେନ୍ଦ୍ର ସରକାର ସୋମବାର ଲୋକସଭାରେ ଏକ ଦେଶ-ଏକ ନିର୍ବାଚନ ସହ ଜଡ଼ିତ ଦୁଇଟି ବିଲ୍ ଆଣିପାରନ୍ତି । ଏହି ବିଲ୍କୁ ଡିସେମ୍ବର ୧୨ରେ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ମିଳିଥିଲା । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକ ଦେଶ-ଏକ ନିର୍ବାଚନ ନିମନ୍ତେ ୧୨୯ତମ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିବେ । କୋବିନ୍ଦ କମିଟି ସମ୍ବିଧାନର ଧାରା ୮୨ରେ ସଂଶୋଧନ ଲାଗି ସୁପାରିସ କରିଥିଲେ । ସୁପାରିସ ଅନୁସାରେ ଧାରା ୮୨(ଏ) ଯୋଡ଼ି ଲୋକସଭା ଓ ବିଧାନସଭା କାର୍ଯ୍ୟକାଳ ଏକସଙ୍ଗେ ଭାଙ୍ଗିବାର ବ୍ୟବସ୍ଥା କରାଯିବ । ସରକାର ବିଲ୍କୁ ନେଇ ସାର୍ବଜନିକ ସହମତି ଆଣିବେ ।
ବିଲ୍କୁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଯିବା ସମ୍ଭାବନା ରହିଛି । ଏହାବ୍ୟତୀତ କେନ୍ଦ୍ରଶାସିତ ଅଞ୍ଚଳ ସହ ଜଡ଼ିତ ୩ଟି ଆଇନରେ ବି ସଂଶୋଧନ ଅଣାଯିବ । ତନ୍ମଧ୍ୟରେ ଦ ଗଭର୍ଣ୍ଣମେଣ୍ଟ ଅଫ୍ ୟୁନିୟନ ଟେରିଟୋରିଜ ଆକ୍ଟ ୧୯୬୩, ଦ ଗଭର୍ଣ୍ଣମେଣ୍ଟ ଅଫ୍ ନ୍ୟାସନାଲ କ୍ୟାପିଟାଲ ଟେରିଟୋରି ଅଫ୍ ଦିଲ୍ଲୀ ୧୯୯୧ ଏବଂ ଦ ଜମ୍ମୁ ଆଣ୍ଡ କାଶ୍ମୀର ରିଅର୍ଗାନାଇଜେସନ ଆକ୍ଟ ୨୦୧୯ ଅନ୍ତର୍ଭୁକ୍ତ । ଏଥିରେ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ନିମନ୍ତେ ସଂଶୋଧନ ଅଣାଯିବ।