ପାତ୍ରପୁର, ୩୧/୩ (ଆପ୍ର): ରାସ୍ତା ଉପରେ ଥିଲେ ଓଡ଼ିଶା, ପାଦ ତଳକୁ ଖସିଲେ ଆନ୍ଧ୍ରପ୍ରଦେଶ। ଗୋଟିଏ ଗାଁ ହେଲେ ଉଭୟ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ରହିଛି ତାର ନାଁ। ଆନ୍ଧ୍ର-ଓଡ଼ିଶା ସୀମାରେ ଅବସ୍ଥିତ ଏମିତି ଏକ ଗାଁ ହେଉଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବି.ନୂଆଗାଁ ପଞ୍ଚାୟତର ଟାକଲା ବ୍ରହ୍ମପୁର ବା ଟି. ବ୍ରହ୍ମପୁର। ଏହି ଗାଁ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଇଚ୍ଛାପୁର ମଣ୍ଡଳ ରେକର୍ଡରେ ମଧ୍ୟ ଟି. ବ୍ରହ୍ମପୁର ଭାବେ ରେକର୍ଡଭୁକ୍ତ। ଜରଡ଼ା- ଇଚ୍ଛାପୁର ପୂର୍ତ୍ତ ରାସ୍ତା ଠିକ୍ ପାଶ୍ୱ ର୍ରେ ଅବସ୍ଥିତ ଘର ଗୁଡ଼ିକ ଓଡ଼ିଶା ଅନ୍ତର୍ଭୁକ୍ତ। ଅଥଚ କେଇ ପାଦ ତଳକୁ ଅର୍ଥାତ୍ ଗାଁ ଭିତରକୁ ଗଲାବେଳେ ଡାହାଣ ପାଶ୍ୱ ର୍ରେ ଅବସ୍ଥିତ ଘରଗୁଡ଼ିକ ଆନ୍ଧ୍ର ଅନ୍ତର୍ଭୁକ୍ତ ରହିଛି। ଅଧିକାଂଶ ଗ୍ରାମବାସୀ ତେଲୁଗୁ ଭାଷାଭାଷୀ।
ଗାଁ ଲୋକ ଉଭୟ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ସରକାରଙ୍କ ଠାରୁ ଯାବତୀୟ ସୁବିଧା ସୁଯୋଗ ପାଉଛନ୍ତି। ହେଲେ ତେଲୁଗୁ ଭାଷାଭାଷୀଙ୍କ ସଂଖ୍ୟା ବହୁଳତାର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି। ପାତ୍ରପୁର ବ୍ଲକ୍ ରେକର୍ଡ ଅନୁସାରେ ଗ୍ରାମରେ ପ୍ରାୟ ୧୫୦ ପରିବାରର ୫୫୦ରୁ ଅଧିକ ଲୋକ ରହୁଛନ୍ତି। ଗାଁରେ ଓଡ଼ିଆ ପ୍ରାଥମିକ ବିଦ୍ୟାଳୟ, ଅପରପାଶ୍ୱରେ ଆନ୍ଧ୍ରର ବିଦ୍ୟାଳୟ ବି ରହିଛି। ଆନ୍ଧ୍ରର ପ୍ରାୟ ୬୦ ପ୍ରତିଶତ ପରିବାର ବାସ କରୁଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଠାରୁ ସମସ୍ତ ସରକାରୀ ସୁବିଧା ସୁଯୋଗ ପାଉଛନ୍ତି। ଓଡ଼ିଶାରେ ଥିବା ହିତାଧିକାରୀ ମଧ୍ୟ ଆନ୍ଧ୍ରର ସୁବିଧା ପାଉଛନ୍ତି। ଉଭୟ ରାଜ୍ୟରୁ ରାସନ୍ କାର୍ଡ, ଭୋଟର କାର୍ଡ, ଆଧାର କାର୍ଡ ସାଙ୍ଗକୁ ଭତ୍ତା ଓ ଚିକିତ୍ସା ସୁବିଧା ମଧ୍ୟ ପାଉଛନ୍ତି।
ଟି.ବ୍ରହ୍ମପୁର ଗ୍ରାମରେ ଥିବା ଆନ୍ଧ୍ରର ବିଦ୍ୟାଳୟରେ ସେହି ରାଜ୍ୟର ଉଭୟ ପଞ୍ଚାୟତ ଓ ବିଧାନସଭା ଭୋଟ୍ ବେଳେ ଆନ୍ଧ୍ର ମତଦାତା ଭୋଟ୍ ଦେଇଥାନ୍ତି। ସେହିପରି ଓଡ଼ିଆ ଭୋଟର ଟି. ବ୍ରହ୍ମପୁର ଓ ବି.ନୂଆଗାଁରେ ଭୋଟ୍ ଦେଇଥାନ୍ତି। ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ସହର ଏହି ଗାଁ ପାଇଁ ନିକଟତମ ଥିବାରୁ ଅଧିକାଂଶ ଲୋକ ସ୍ୱାସ୍ଥ୍ୟସେବା, ବଜାର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ। ତେବେ ସରକାରୀ ରେକର୍ଡରେ ଏହି ବ୍ଲକ୍ର ଟି. ବ୍ରହ୍ମପୁର ଭଳି ଜୟପୁର, ଜଗନ୍ନାଥପୁର, କୁଲାଡ଼ି, ବାବନାସାହି, ଗୁଡ଼ିଖଳା, ସାତପୁରୀ ଭଳି ଅନେକ ସୀମାବର୍ତ୍ତୀ ଗାଁ ଉଭୟ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ରହିଛି। ସେଠାର ଲୋକେ ଉଭୟ ରାଜ୍ୟରୁ ସୁବିଧା ପାଉଛନ୍ତି। କିନ୍ତୁ ତେଲୁଗୁ ଭାଷାଭାଷୀ ସଂଖ୍ୟାବହୁଳ ଥିବା ସହ ଆନ୍ଧ୍ର ଉପରେ ଅଧିକ ନିର୍ଭରଶୀଳତା ଦେଖିବାକୁ ମିଳିଥାଏ।