ଭୁବନେଶ୍ୱର, ୧୧।୩: ବୈଦେଶିକ ମେଡିକାଲ୍ କଲେଜରୁ MBBS ପାଠ୍ୟକ୍ରମରେ ଅନଲାଇନ ଶିକ୍ଷା ଗ୍ରହଣ କରିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବିଜ୍ଞପ୍ତି ଆଣିଛି ନ୍ୟାସନାଲ ମେଡିକାଲ କମିଶନ (ଏନ୍ଏମ୍ସି) । ଛାତ୍ରଛାତ୍ରୀମାନେ ନିଶ୍ଚିତ କ୍ଲିନିକାଲ୍ ଅଭିଜ୍ଞତା ପାଇଁ ଶାରୀରିକ ଭାବେ ଉପସ୍ଥିତ ରହି କ୍ଷତିପୂରଣ କ୍ଲାସ୍ କରିବାକୁ ପଡ଼ିବ । ଏନେଇ ଏନ୍ଏମ୍ସିର ଅଣ୍ଡର-ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ବୋର୍ଡ(ୟୁଜିଏମ୍ଇବି) ପିଟି ଶୁକ୍ରବାର ନିର୍ଦ୍ଦେଶ ଦେଇଛି । ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଛାତ୍ରଛାତ୍ରୀମାନେ ବିଦେଶରେ ଏମ୍ବିବିଏସ୍ ପଢ଼ୁଥିବା ସମୟରେ କୌଣସି କାରଣବଶତଃ କୋଭିଡ୍ ବା ଯୁଦ୍ଧ ପରିସ୍ଥିତି ପାଇଁ ଅନଲାଇନ୍ରେ ପାଠ ପଢ଼ିଥିଲେ । ସେମାନଙ୍କୁ ଏହି କ୍ଲିନିକାଲ୍ ଅଭିଜ୍ଞତା ପାଇଁ ନିଜେ ଉପସ୍ଥିତ ରହି କ୍ଲିନିକାଲ କ୍ଲାସ୍ କରିବାକୁ ପଡ଼ିବ । କ୍ଲିନିକାଲ୍ ପ୍ରଶିକ୍ଷଣ ଗୁରୁତ୍ୱ ଦୃଷ୍ଟିରୁ ମେଡିକାଲ କାଉନସିଲ୍ ଅନୁଯାୟୀ, ଚିକିତ୍ସା ବିଜ୍ଞାନ ଏକ ବ୍ୟବହାରିକ ବିଷୟ ରହିଛି । ତେଣୁ ଅନ୍ଲାଇନ୍ ପାଠପଢ଼ାକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ । ନିଜେ ଉପସ୍ଥିତ ରହି ଶିକ୍ଷା ସମାପ୍ତ ନ କଲେ ଭାରତରେ ଡାକ୍ତରୀ ପ୍ରାକ୍ଟିସ୍ ପାଇଁ ପଞ୍ଜୀକରଣ ମିଳିବାରେ ଅସୁବିଧା ହେବ । ଏନ୍ଏମ୍ସି କହିଛି, ଯେଉଁଥିରେ ବିଦେଶରେ ମେଡିକାଲ୍ ପଢୁଥିବା ଛାତ୍ରଛାତ୍ରୀଙ୍କ (ଏଫ୍ଏମ୍ଜି)ଙ୍କ ପାଇଁ ଦୁଇଟି ଭିନ୍ନ ନିୟମ ରହିଛି । ୧୮ ନଭେମ୍ବର ୨୦୨୧ ତାରିଖରେ ପ୍ରକାଶିତ ନିୟମ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ।
ଏହା ବି ପଢ଼ନ୍ତୁ... ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ମତ, ପ୍ରମାଣ ହାସଲ ପାଇଁ ‘ହେବିଅସ୍ କର୍ପସ୍’ ମାଧ୍ୟମ ନୁହେଁ
ପ୍ରଥମରେ ଯେଉଁ ଏଫ୍ଏମ୍ଜି ଛାତ୍ରଛାତ୍ରୀ ୧୮ ନଭେମ୍ବର ୨୦୨୧ ପୂର୍ବରୁ ନାମ ଲେଖାଇଛନ୍ତି, ସେମାନେ ସ୍କ୍ରିନିଂ ଟେଷ୍ଟ ରେଗୁଲେସନସ ଅନୁଯାୟୀ ବିବେଚିତ ହେବେ । ଯଦି କୋଭିଡ୍ ବା ଅନ୍ୟ କାରଣରୁ ପାଠପଢ଼ା ‘ଅନଲାଇନ୍' ହୋଇଥାଏ, ତେବେ ତାହାକୁ ପରବର୍ତ୍ତୀ ସମୟରେ ବିଦେଶୀ ବିଶ୍ୱବିଦ୍ୟାଳୟରେ ନିଜେ ଉପସ୍ଥିତ ରହି କ୍ଲିନିକାଲ୍ କିମ୍ବା ଥିଓରି ଟ୍ରେନିଂ ମାଧ୍ୟମରେ ପୂରଣ କରିବାକୁ ହେବ । ସମ୍ପୃକ୍ତ ବିଦେଶୀ ମେଡିକାଲ କଲେଜରେ ଏକ ବର୍ଷର ଇଣ୍ଟର୍ଣ୍ଣସିପ୍ ଶେଷ କରିଥିବା ଆବଶ୍ୟକ । ସେମାନଙ୍କ ବିଶ୍ୱବିଦ୍ୟାଳୟ ପରୀକ୍ଷା ଭାରତର ଏମବିବିଏସ୍ ପରୀକ୍ଷା ସହିତ ସମାନ ହୋଇଥିବା ଜରୁରି । ଅନ୍ୟ ନିୟମଟି ହେଲା ଯେଉଁମାନେ ୧୮ ନଭେମ୍ବର ୨୦୨୧ ପରେ ନାମ ଲେଖାଇଛନ୍ତି । ଏହି ଛାତ୍ରଛାତ୍ରୀମାନେ ଏଫ୍ଏମ୍ଜିଏଲ ରେଗୁଲେସନ୍ ୨୦୨୧ ଅନୁଯାୟୀ ପରିଚାଳିତ ହେବେ । ସେମାନଙ୍କ ପାଇଁ କମ୍ପଲସରି ରୋଟିଂ ମେଡିକାଲ ଇଣ୍ଟର୍ଣ୍ଣସିପ୍ ୨୦୨୧ ଲାଗୁ ହେବ । ଏହି ନିୟମ ଅନୁଯାୟୀ, ସେମାନଙ୍କୁ ଭାରତରେ ଏକ ବର୍ଷ ବାଧ୍ୟତାମୂଳକ ଇଣ୍ଟର୍ନସିପ୍ କରିବାକୁ ପଡ଼ିବ ।