କଟକ, ୧୧/୦୩ : ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ। କାହା ବିରୋଧରେ ପ୍ରମାଣ ଯୋଗାଡ଼ କରିବା ବା ହାସଲ କରିବା ପାଇଁ ‘ହେବିଅସ୍ କର୍ପସ୍’କୁ ଏକ ମାଧ୍ୟମ ଭାବେ ବ୍ୟବହାର କରାଯାଇ ପାରିବ ନାହିଁ। ଜଣେ ବିବାହିତା ଝିଅ କେଉଁଠି ରହୁଛନ୍ତି ତାହା ଜାଣିବା ଲାଗି ରୁଜୁ ମାମଲାକୁ ଖାରଜ କରିବା ଅବସରରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା କହିଛନ୍ତି ।
ସୂଚନାନୁଯାୟୀ, ମନୋରମା ଦାସ ନାମକ ଜଣେ ମହିଳା ତାଙ୍କ ଝିଅ କେଉଁଠି ଏବଂ କିପରି ଅବସ୍ଥାରେ ରହୁଛି ତାହା ଜାଣିବା ଲାଗି ହାଇକୋର୍ଟରେ ଏହି ‘ହେବିଅସ୍ କର୍ପସ୍’ ମାମଲା ରୁଜୁ କରିଥିଲେ । ଏଥିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଆବେଦନକାରିଣୀଙ୍କ ଝିଅ ବିବାହ କରିବା ପରେ ତାଙ୍କ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏନେଇ ବିବାହ ବିଚ୍ଛେଦ ମାମଲା ନିମ୍ନ ଅଦାଲତରେ ରୁଜୁ ହୋଇଛି । ଆବେଦନକାରିଣୀଙ୍କ ଝିଅ ନିଜ ଇଚ୍ଛାରେ ତାଙ୍କ ଶାଶୂଘର ଛାଡ଼ି ଦୂରରେ ରହୁଛନ୍ତି । ଆହୁରି ମଧ୍ୟ ଆବେଦନକାରିଣୀଙ୍କ ଝିଅ ୨୦୨୪ରେ ଥାନାରେ ଉପସ୍ଥିତ ହୋଇ ନିଜ ଆଡ଼ୁ ଜଣାଇଥିଲେ ଯେ, ସେ ଶାଶୂଘରେ କିମ୍ବା ତାଙ୍କ ବାପଘରେ ରହିବା ପାଇଁ ଚାହୁଁନାହାନ୍ତି । ତାଙ୍କ ନିଜ ଇଚ୍ଛାରେ ସେ ଅନ୍ୟ ଏକ ଘରେ ରହୁଛନ୍ତି ।
ଆବେଦନକାରିଣୀଙ୍କ ପକ୍ଷରୁ ଜବାବରେ ଦର୍ଶାଯାଇଥିଲା ଯେ, ଯେହେତୁ ସେ ଜଣେ ମା’ ତେଣୁ ତାଙ୍କ ଝିଅ ବିଷୟରେ ସେ ଜାଣିବା ପାଇଁ ଚାହାନ୍ତି । ହାଇକୋର୍ଟ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ, ହେବିଅସ୍ କର୍ପସ ମାମଲାକୁ କୌଣସି ପ୍ରମାଣ ଯୋଗାଡ଼ କରିବା ବା କାହାରିକୁ ଖୋଜି ବାହାର କରିବା ପାଇଁ ବ୍ୟବହାର କରାଯାଇ ପାରିବ ନାହିଁ । ଯେହେତୁ ଝିଅକୁ କେହି ଜବରଦସ୍ତି ଅଟକାଇ ନାହିଁ କିମ୍ବା ବେଆଇନ ଭାବେ ନିଜ ପାଖରେ ରଖିନାହିଁ ଏବଂ ଝିଅ ନିଜ ଇଚ୍ଛାରେ ଏକୁଟିଆ ରହିବାକୁ ଚାହୁଁଛନ୍ତି ସେ କ୍ଷେତ୍ରରେ ଅଦାଲତ ତାଙ୍କୁ ତାଙ୍କ ବାପ ଘର ଅବା ଶାଶୂଘର ସହ ଯୋଗାଯୋଗ କରିବା ଲାଗି ବାଧ୍ୟ କରିପାରିବେ ନାହିଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ଆବେଦନକାରିଣୀଙ୍କ ପିଟିସନ୍କୁ ଖାରଜ କରି ଦେଇଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ଦୟାନଦୀ ଗର୍ଭରେ ଏମୁଣ୍ଡ ସେମୁଣ୍ଡ ବନ୍ଧ, ମରୁଭୂମି ପାଲଟିଲାଣି ତଳମୁଣ୍ଡ, ଯନ୍ତ୍ରୀ କହିଲେ କାହିଁକି ବନ୍ଧ ପଡ଼ିଛି ଫାଇଲ୍ ଦେଖି କହିବି...