ସାଂଘାତିକ ହେଲାଣି ଅନ୍ଲାଇନ୍ ଠକେଇ; ଦୁଇ ବର୍ଷରେ ୧୭୩% ବଢ଼ିଛି,

ଭୁବନେଶ୍ୱର,୨୧ା୨(ବ୍ୟୁରୋ): ନଗଦ ବିହୀନ ବା କ୍ୟାସ୍ଲେସ୍ କାରବାର ବୃଦ୍ଧି ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ସେହି ପରିମାଣରେ ବ୍ୟାଙ୍କ ସେବା କ୍ଷେତ୍ରରେ ଅନ୍ଲାଇନ ଆକାଉଣ୍ଟ ଠକେଇ ବଢ଼ି ଚାଲିଛି । ଓଡ଼ିଶାରେ ଦୁଇ ବର୍ଷରେ ୧୭୩ ପ୍ରତିଶତ ଅନଲାଇନ୍ ଠକେଇ ବଢ଼ିଛି ବୋଲି ରିପୋର୍ଟ କହୁଛି । ତେବେ ୯୨ ଧ ଘଟଣାରେ ପୁଲିସ ଅପରାଧୀଙ୍କୁ ଧରିବାରେ ଫେଲ୍ ମାରିଥିବା ଜଣାପଡ଼ିଛି ।
୨୦୧୬ ବର୍ଷରେ ଓଡ଼ିଶାରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ ସଂଖ୍ୟା ଯାହା ଥିଲା, ୨୦୧୮ ରେ ଏହା ଦୁଇ ଗୁଣରୁ ଅଧିକ ବଢ଼ିଛି । ତେବେ ୨୦୧୭ ତୁଳନାରେ ୨୦୧୮ରେ ଏଟିଏମ୍ କାର୍ଡ ଠକେଇ ମାମଲା କମିଥିବା ବେଳେ କ୍ରେଡିଟ୍ କାର୍ଡ ଠକେଇ ବଢ଼ିଛି ବୋଲି ରିପୋର୍ଟ କହୁଛି । ଏଭଳି ସାଇବର ଅପରାଧ ନିୟନ୍ତ୍ରଣ ଲାଗି ଉଭୟ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପୋଲିସ ଉଦ୍ୟମ ଚଳାଇଛନ୍ତି । କିନ୍ତୁ ଠକାମିର ଶିକାର ଲୋକେ ହରାଇଥିବା ଅର୍ଥ ଫେରିପାଇବା ଲାଗି ନାକେଦମ୍ ହେଉଛନ୍ତି ।

ଇଣ୍ଟରନେଟ୍ର ବହୁଳ ବ୍ୟବହାର ଓ ଅନିୟନ୍ତ୍ରିତ ସୋସିଆଲ୍ ମିଡିଆ ଯୋଗୁ ସାଇବର ଅପରାଧ ବଢ଼ୁଛି ବୋଲି ସାଇବର ବିଶେଷଜ୍ଞ ଓ ବରିଷ୍ଠ ପୁଲିସ୍ ଅଧିକାରୀମାନେ ସ୍ୱୀକାର କରୁଛନ୍ତି । ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନ୍ସିଆରବି)ର ତଥ୍ୟ ଅନୁଯାୟୀ କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ସାଇବର ଅପରାଧ ବଢ଼ି ଚାଲିଛି ।
ରାଜ୍ୟରେ ୨୦୧୭ରେ ଠାରୁ ୨୦୧୮ରେ ସାଇବର ଅପରାଧ ସଂଖ୍ୟା ବଢ଼ିଛି । ୨୦୧୬ରେ ରାଜ୍ୟରେ ୩୧୭ଟି ସାଇବର ଅପରାଧ ପଞ୍ଜୀକୃତ ହୋଇଥିବା ବେଳେ ୨୦୧୭ରେ ତାହା ୮୨୪ରେ ପହଞ୍ଚିଥିଲା । ୨୦୧୮ରେ ଏହି ସାଇବର ଅପରାଧ ସଂଖ୍ୟା ୮୬୭କୁ ବୃଦ୍ଧି ପାଇଛି ।
ଅନ୍ଲାଇନ୍ ଠକାମିର ଶିକାର ହେଲା ପରେ ଲୋକେ ଥାନାକୁ ଯାଇ ଘଟଣା ବିଷୟରେ ଜଣାଉଛନ୍ତି । ହେଲେ ଥାନାରେ ଅନ୍ଲାଇନ୍ ଠକେଇ କଥା ଶୁଣି ପୁଲିସ ହାତ ଟେକି ଦେଉଛନ୍ତି । କେଉଁ ଥାନା ବାବୁ ନାଲି ଆଖି ଦେଖାଇ ଥାନାରୁ ବିଦା କରୁଛନ୍ତି ତ ଆଉ କିଏ ସାଇବର ସେଲ୍ କଟକ ଯିବାକୁ କହୁଛନ୍ତି । ସାଇବର ସେଲ୍ରେ ପୁଲିସ ମାମଲା ରୁଜୁ କରି ଚୁପ୍ ବସି ପଡୁଛି ।
ଖଣ୍ଡଗିରି ଥାନା ଜଗମୋହନ ନଗରରେ ରହୁଥିବା ଭାଗ୍ୟଶ୍ରୀ ଜେନାଙ୍କ ଆକାଉଣ୍ଟରୁ ଗତ ୨୮ ତାରିଖରେ ଅନ୍ଲାଇନ ଠକ ୯୫ ଲକ୍ଷ ଟଙ୍କା ଚଳୁ କଲେ । ସେ ଖଣ୍ଡଗିରି ଥାନାକୁ ଗଲେ । ଥାନା କଟକ ସାଇବର ସେଲ୍କୁ ପଠାଇଦେଲା । ସାଇବର ସେଲ୍ ମାମଲା ରୁଜୁ କରିବା ପାଇଁ ତାଙ୍କୁ ପୁଣି ଖଣ୍ଡଗିରି ଥାନା ପଠାଇଲେ । ସେହିପରି ପୋଖରୀପୁଟର ରୂପକ ଶତପଥୀଙ୍କ ଗୁଗୁଲ ପେ ଆକାଉଣ୍ଟରୁ ରହସ୍ୟଜନକ ଭାବେ ୯୮ ହଜାର ଟଙ୍କା ଗାଏବ ହୋଇଗଲା । ଖଣ୍ଡଗିରି ଥାନା ନଶୁଣିବାରେ ସେ ଏବେ କଟକ ସାଇବର କ୍ରାଇମ୍ ସେଲରେ ଏତଲା ଦେଇଛନ୍ତି । ଏହିଭଳି ଅନେକ ଘଟଣା ଦିନକୁ ଦିନ ବଢ଼ିଚାଲିଛି ।