PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଅନ୍‌ଲାଇନ୍‌ ଟିକଟ ଦର୍ଶନ ନିଷ୍ପତ୍ତି ଅଟକିଛି

ପୁରୀ,୨୧ା୭(ବ୍ୟୁରୋ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଅନଲାଇନ୍‌ ଟିକଟ ବିକ୍ରି ନିଷ୍ପତ୍ତିକୁ ପ୍ରଶାସନ ଅଟକାଇ ରଖିଛି । ଇତିମଧ୍ୟରେ ଦୁଇଟି ସବ୍‌ କମିଟି ଗଠନ ହୋଇ ସାରିଛି । ସବ୍‌ କମିଟି ରିପୋର୍ଟକୁ ଚପାଇ ରଖାଯାଇଛି । ଗତ ବର୍ଷ ଡିସେମ୍ବର ମାସରୁ ଏହି ନିଷ୍ପତ୍ତି ହୋଇଥିଲେ ମଧ୍ୟ ଶ୍ରୀମନ୍ଦିରରେ ଅନଲାଇନ ଟିକଟ ଦର୍ଶନ ବ୍ୟବସ୍ଥା ଅଟକି ରହିଛି । ଅନଲାଇନ୍‌ ଟିକଟ ଦର୍ଶନ ବ୍ୟବସ୍ଥାରେ ମାର୍ଗ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦୁଇଟି ସବ୍‌ କମିଟି ଗଠନ କରିଥିଲା । ଏହି ସବ୍‌ କମିଟି ଅନଲାଇନ ଟିକଟ ଦର୍ଶନ ନେଇ ମତାମତ ଦେବାକୁ ଗଠନ ହୋଇଥିଲା । ସବ୍‌ କମିଟି କଣ ରିପୋର୍ଟ ଦେଇଛି ଏବଂ କାହିଁକି ଏହି ନିଷ୍ପତ୍ତି ଅଟକି ରହିଛି ତାହାର କୌଣସି ସୂଚନା ପ୍ରଶାସନଠାରୁ ମିଳୁନାହିଁ ।

ଶ୍ରୀମନ୍ଦିର ପରିଚାଳନା କମିଟି ଏହି ଟିକଟ ଦର ଏବଂ ସଂଖ୍ୟା ନିର୍ଦ୍ଧାରଣ ପାଇଁ ପ୍ରଥମେ ଏକ ସବ୍‌ କମିଟି ଗଠନ କରିଥିଲା । ଏହି ସବ୍‌ କମିଟିର ମୁଖ୍ୟ ଥଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ହେଲେ କଣ ହେଲା କେଜାଣି ଏହି ସବ୍‌ କମିଟି ଅନଲାଇନ୍‌ ଟିକଟ ବିକ୍ରି ଉପରେ କୌଣସି ଖାସ ନିଷ୍ପତ୍ତି ନେଇ ପାରିନାହିଁ । ଏହା ପରେ ଆଉ ଏକ ସବ୍‌ କମିଟି ଗଠନ କରିବାକୁ ପରିଚାଳନା କମିଟି ସୁପାରିସ କରିଥିଲା । ଡିସେମ୍ବର ମାସରେ ଅନଲାଇନ୍‌ ଟିକଟ ଦର୍ଶନ ବ୍ୟବସ୍ଥାର ମାର୍ଗ ଦର୍ଶନ ପାଇଁ ଏହି ସବ୍‌ କମିଟି ଗଠନ ହୋଇଥିଲା । ଦ୍ୱିତୀୟ ସବ୍‌ କମିଟିରେ ପାଞ୍ଚ ଜଣ ସେବାୟତ ଏବଂ ଜଣେ ଅଫିସର ସଦସ୍ୟ ରହିଥିଲେ । ଏହି ସବ୍‌ କମିଟି ଅନଲାଇନ୍‌ ଟିକଟ ବିକ୍ରି ପାଇଁ ଏକ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରିବ ବୋଲି ସୂଚନା ଦିଆଯାଇଥିଲା ।

ବ୍ଳୁ ପ୍ରିଣ୍ଟରେ ଅନ୍‌ଲାଇନ ଟିକଟ ବିକ୍ରି, ଟିକଟ ଦର, ଦର୍ଶନ, ଦର୍ଶନ ସମୟ ନେଇ ସବିଶେଷ ତଥ୍ୟ ରହିବ ବୋଲି ସୂଚନା ଦିଆଯାଇଥିଲା । ଡିସେମ୍ବର ଚାରି ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶ।।ସକ ସୂଚନା ଦେଇଥିଲେ ସାତ ଦିନ ମଧ୍ୟରେ ଦ୍ୱିତୀୟ ସବ୍‌ କମିଟି ତାର ରିପେ।।ର୍ଟ ଦାଖଲ କରିବ । ଦ୍ୱିତୀୟ ସବ୍‌ କମିଟି ଗଠନର ସାତ ମାସ ଗଲାଣି, ତଥାପି ଅନଲାଇନ ଟିକଟ ଦର୍ଶନ ବ୍ୟୃବସ୍ଥା ନେଇ ପ୍ରଶାସନ କୌଣସି ବ୍ୟବସ୍ଥା କରି ପାରିନାହିଁ । ଏହି ବ୍ଳୁ ପ୍ରିଣ୍ଟିରେ ଅନଲାଇନ ଦର୍ଶନ ଟିକଟ ସଂକ୍ରାନ୍ତ ସମସ୍ତ ତଥ୍ୟ ରହିବ । ପ୍ରତିଦିନ କେତେ ସଂଖ୍ୟକ ଟିକଟ ବିକ୍ରି ହେବ । କେତେ ଥର ଏହି ଟିକଟ ଦର୍ଶନ ହେବ । କେତେ ସମୟ ପାଇଁ ଟକିଟ ଦର୍ଶନ ଚାଲିବ । ଏହି ଶ୍ରେଣୀର ଦର୍ଶନାର୍ଥୀମାନେ ଭିତର କାଠରୁ ଦର୍ଶନ କରିବେ ଶ୍ରୀଜିଉଙ୍କୁ । କେଉ ଦ୍ୱାର ଦେଇ ଏହି ଦର୍ଶନାର୍ଥୀ ଶ୍ରୀମନ୍ଦିର ପ୍ରବେଶ କରିବେ । ଏହି ସବୁ ତଥ୍ୟ ଦ୍ୱିତୀୟ ସବ୍‌ କମିଟି ନିଷ୍ପତ୍ତି ନେବ ବୋଲି ସୂଚନା ଦିଆଯାଇଥିଲା । ଏହା ବ୍ୟତୀତ ଏହି ଦର୍ଶନ ବ୍ୟବସ୍ଥାରେ କଣ ସବୁ ଅସୁବିଧା ଉପୁଜିପାରେ ତାହା ବି ସବ୍‌ କମିଟି ତାର ରିପୋର୍ଟରେ ତଥ୍ୟ ଉପସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଥିଲା ।

ପରିଚାଳନା କମିଟିର ନିଷ୍ପତ୍ତି ଆଧାରରେ ସୂଚନା ଦିଆଯାଇଥିଲା ମୋଟ ଟିକଟର ୬୦ ଭାଗ ଟିକଟ ଅନଲାଇନରେ ବିକ୍ରି କରାଯିବ । ଏହା ବ୍ୟତୀତ ଶ୍ରୀମନ୍ଦିର ପ୍ରଶାସନ କାଉଣ୍ଟରରେ ମୋଟ ଟିକଟର ଶତକଡା ୩୫ ଭାଗ ଟିକଟ ବିକ୍ରି ହେବ । ବାକି ୫ ଭାଗ ଟିକଟ ଶ୍ରୀମନ୍ଦିର ପ୍ରଶାସନ ନିଜ ନିୟନ୍ତ୍ରଣରେ ରଖିବ । ଏଭଳି ନିଷ୍ପତ୍ତି ଗତ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା । ତେବେ ପରିମାଣିକ ଦର୍ଶନ ପ୍ରାପ୍ୟ ଭଳି ଅନଲାଇନ ଟିକଟ ବିକ୍ରିରୁ କେତେ ପ୍ରତିଶତ ସଂପୃକ୍ତ ସେବାୟତଙ୍କୁ ତାହା ନେଇ ଆଜିର ସବ୍‌ କମିଟି ବୈଠକରେ ସେବାୟତ ପ୍ରତିନିଧିମାନେ ପ୍ରଶ୍ନ କରିଛନ୍ତି । ଏହି କାରଣରୁ ଅନଲାଇନ ଦର୍ଶନ ବ୍ୟବସ୍ଥାକୁ ନେଇ ପୁଣି ଥରେ ସେବାୟତ ଅସନ୍ତୋଷ ଦେଖା ଦେବ।। ଆଶଙ୍କା ଲାଗି ରହିଛି । ଏହି ଦର୍ଶନ ବ୍ୟବସ୍ଥା କାହିଁକି ଅଟକିଛି ତାହା ନେଇ ପ୍ରଶାସନ ଠାରୁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ । ଏବେ ଏନେଇ ଆହୁରି ସନ୍ଦେହ ବଢ଼ି ଯାଇଛି ।

ସ୍ମରଣୀୟ ୨୦୧୬ରେ ଶ୍ରୀମନ୍ଦିର ପ୍ରଶାସନ ପରିମାଣିକ ଦର୍ଶନ ବନ୍ଦ କରି ଦେଇଛି । ଏହି ପରିମାଣିକ ଦର୍ଶନରୁ ସେବାୟତଙ୍କୁ ମିଳୁଥିବା ପ୍ରାପ୍ୟ ବି ପ୍ରଶାସନ ଦେଉଛି । ଶ୍ରୀମନ୍ଦିର ପରିମାଣିକ ଦର୍ଶନରୁ ସେବାୟତଙ୍କ ପ୍ରାପ୍ୟକୁ ପ୍ରଶାସନ ଗତ ବର୍ଷ ଅଗଷ୍ଟ ମାସରୁ ବନ୍ଦ କରି ଦେଇଥିଲା । ଏଥିନେଇ ସେବାୟତ ମହଲରେ ଚାପା ଅସନ୍ତୋଷ ଦେଖା ଦେବାରୁ ଏହି ପ୍ରାପ୍ୟକୁ ପ୍ରଶାସନ ଏବେ ନିୟମିତ ପ୍ରଦାନ କରୁଛି । ଗତ ଦୁଇ ମାସର ପ୍ରାପ୍ୟ କେବେଳ ବାକି ରହିଛି । ଏହି ପୃଷ୍ଠଭୂମିରେ ଦେଖିବାକୁ ହେଲେ ଅନଲାଇନରେ ଟିକଟ ବିକ୍ରି ମଧ୍ୟ ଏକ ପରିମାଣିକ ଦର୍ଶନ ବ୍ୟବସ୍ଥା ଏହାକୁ ଲାଗୁ କଲେ ସେବାୟତଙ୍କ ଉପାର୍ଜନ ବି ବଢ଼ିବାର ସହାୟତ ହେବ । ଅନ୍‌ଲାଇନ ଟିକଟ ଦର୍ଶନ ବ୍ୟବସ୍ଥାକୁ ଶ୍ରୀମନ୍ଦିରରେ ଲାଗୁ କରାଗଲେ ପ୍ରଶାସନ ଏବଂ ସେବାୟତମାନେ ଉପକୃତ ହେବାର ଆଶା ରହିଛି ।