ଭୁବନେଶ୍ୱର, ୧୭/୦୬ : ରାଜ୍ୟର ବିଭିନ୍ନ ବିକାଶମୂଳକ ଯୋଜନାରେ ବ୍ୟୟ ହାର ଧିମା ରହିଛି। ଅତ୍ୟନ୍ତ ମନ୍ଥର ରହିଛି ଯୋଜନା ବ୍ୟୟ । ଏମିତିକି ମୁଖ୍ୟମନ୍ତ୍ରୀ ବସ୍ ସେବା ପାଇଁ ୧୦୮୫ କୋଟି ଟଙ୍କା ଥିବା ବେଳେ ଆଦୌ ଖର୍ଚ୍ଚ ହୋଇନି । ସେହିପରି ଅଟଳ ବସ୍ଷ୍ଟାଣ୍ଡ ବାବଦରେ ୧୧୦୩ କୋଟି ଟଙ୍କା ଥିବା ବେଳେ ବ୍ୟୟ ଶୂନ୍ୟ । ଏଗୁଡ଼ିକ ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ଯୋଜନା ହୋଇଥିଲେ ମଧ୍ୟ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ଏ ପର୍ଯ୍ୟନ୍ତ ଆଦୌ ଖର୍ଚ୍ଚ ହୋଇନି । ଯାହାକୁ ନେଇ ରାଜ୍ୟ ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି ।
କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପ ବାବଦରେ ୯୦୦ କୋଟି ଟଙ୍କା ରହିଛି । ହେଲେ ଏ ପର୍ଯ୍ୟନ୍ତ ଗୋଟିଏ ଟଙ୍କା ବି ଖର୍ଚ୍ଚ ହୋଇପାରିନି । ଯାହାକୁ ନେଇ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବ୍ୟାପାର ବିଭାଗକୁ ଖର୍ଚ୍ଚକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ଏହି ବୈଠକରେ ୧୪ଟି ପ୍ରମୁଖ ବିଭାଗର ଯୋଜନା ବ୍ୟୟ ସ୍ଥିତିର ବିସ୍ତୃତ ସମୀକ୍ଷା କରାଯାଇଥିଲା । ବୈଠକରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ଏପ୍ରିଲ ଶେଷ ସୁଦ୍ଧା ରାଜ୍ୟର ମୋଟ ଯୋଜନା ବ୍ୟୟ ୬,୪୮୭ କୋଟି ଟଙ୍କା ରହିଛି । ଯାହା ମୋଟ ବଜେଟର ମାତ୍ର ୩.୫ ପ୍ରତିଶତ । ସମୀକ୍ଷାରେ ଜଣାପଡ଼ିଛି ଯେ, କେନ୍ଦ୍ର ପ୍ରାୟୋଜିତ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ମୁଖ୍ୟତଃ ଏକକ ନୋଡାଲ୍ ଏଜେନ୍ସି ‘ଏସ୍ଏନ୍ଏ ସ୍ପର୍ଶ’ ବ୍ୟବସ୍ଥା ସମ୍ପର୍କିତ ଜଟିଳ ପ୍ରକ୍ରିୟା ଓ ପ୍ରଶାସନିକ ସମସ୍ୟା ଯୋଗୁଁ ଖର୍ଚ୍ଚରେ ବିଳମ୍ବ ହେଉଥିବା ବୈଠକରେ ତର୍ଜମାରୁ ଜଣାପଡ଼ିଛି । ଏହାର ସମାଧାନ ପାଇଁ ରିଜର୍ଭ ବ୍ୟାଙ୍କ, ଟ୍ରେଜେରୀ ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକୁ ନେଇ ଖୁବ୍ ଶୀଘ୍ର ଏକ ସ୍ୱତନ୍ତ୍ର ବୈଠକ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅପରପକ୍ଷେ ପୂର୍ତ୍ତ ବିଭାଗର ପ୍ରଦର୍ଶନ ମଧ୍ୟ ସନ୍ତୋଷଜନକ ନଥିବା ବୈଠକରେ ଉଲ୍ଲେଖ କରାଯାଇଥିଲା ।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଅନ୍ତ୍ୟୋଦୟ ଗୃହ ଯୋଜନା, ବିକଶିତ ଗାଁ, ବିକଶିତ ଓଡ଼ିଶା ଏବଂ ବସୁଧା ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନାଗୁଡ଼ିକରେ ବ୍ୟୟ ଗତି ବଢ଼ାଇବାକୁ ବିଭାଗକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ବାଣିଜ୍ୟ ଓ ପରିବହନ ବିଭାଗର ସ୍ଥିତି ନେଇ ବୈଠକରେ ବିଶେଷ ଅସନ୍ତୋଷ ପ୍ରକାଶ କରାଯାଇଥିଲା । କ୍ରୀଡ଼ା ଓ ଯୁବ ସେବା ବିଭାଗର ଚିତ୍ର ମଧ୍ୟ ଚିନ୍ତାଜନକ ରହିଛି । ଅନ୍ୟପକ୍ଷରେ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରଦର୍ଶନ ସବୁଠାରୁ ନିରାଶାଜନକ ରହିଛି । ଏହି ସମୀକ୍ଷା ସ୍ପଷ୍ଟ ସୂଚନା ଦେଉଛି ଯେ ଚଳିତ ଆର୍ଥିକ ବର୍ଷର ପ୍ରାରମ୍ଭିକ ପର୍ଯ୍ୟାୟରେ ବିକାଶମୂଳକ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ଏବଂ ବ୍ୟୟ ଗତି ନେଇ ସରକାର ସନ୍ତୁଷ୍ଟ ନୁହନ୍ତି।
ଆହୁରି ପଢନ୍ତୁ- ୧୯ରେ ପ୍ରକାଶ ପାଇବ ମାଟ୍ରିକ୍ ରିଚେକିଂ ରେଜଲ୍ଟ, ଅଧିକାଂଶ ପରୀକ୍ଷାର୍ଥୀଙ୍କର ବଢ଼ିଛି ମାର୍କ
ରାତିରେ ଘରେ ପଶି ସୁନା ଚେନ୍ ଓ ନଗଦ ଟଙ୍କା ଲୁଟିନେବା ଘଟଣା,ପଶ୍ଚିମବଙ୍ଗରୁ ଲୁଟେରାକୁ ଧରିଲା କରଞ୍ଜିଆ ପୋଲିସ