କଟକ, ୧୭/୦୬ : ୨୦୨୬ ମାଟ୍ରିକ୍‌ ପରୀକ୍ଷା ଫଳ ମୂଲ୍ୟାୟନର ପୁନଃ ଯାଞ୍ଚ୍‌ (ରିଚେକିଂ) ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କ ଖାତା ଦେଖା ଶେଷ ହୋଇଛି । ଧାର୍ଯ୍ୟ ସମୟଠାରୁ ଆଗୁଆ ଏହି ପ୍ରକ୍ରିୟା ଶେଷ ହୋଇଥିବାରୁ ଆବେଦନକାରୀ ପରୀକ୍ଷାର୍ଥୀଙ୍କ ଫଳ ଆସନ୍ତା ୧୯ ତାରିଖରେ ବୋର୍ଡ ୱେବ୍‌ସାଇଟ୍‌ରେ ଅପଲୋଡ୍‌ କରାଯିବ ବୋଲି ସୂଚନା ମିଳିଛି ।

ମାଟ୍ରିକ୍‌ ପରୀକ୍ଷା ଫଳକୁ ନେଇ ରାଜ୍ୟରେ ୩ ହଜାର ୩ ଶହରୁ ଅଧିକ ପରୀକ୍ଷାର୍ଥୀ ପୁନଃ ଯାଞ୍ଚ୍‌ ଲାଗି ବୋର୍ଡ ୱେବ୍‌ସାଇଟ୍‌ରେ ଆବେଦନ କରିଥିଲେ । ଜଣେ ଲେଖାଏଁ ଏକାଧିକ ବିଷୟର ପରୀକ୍ଷା ଖାତା ଯାଞ୍ଚ୍‌ ପାଇଁ ଆବେଦନ କରିଥିଲେ । ଆବେଦନ ଅନୁସାରେ ୯ ହଜାରରୁ ଅଧିକ ଖାତା ଚେକିଂ ଆଡିସନ୍‌ ପାଇଁ ବୋର୍ଡ କାର୍ଯ୍ୟାଳୟରେ ଶିକ୍ଷକମାନେ ପୁନଃ ଯାଞ୍ଚ୍‌ କରିଥିଲେ । ଏଥିରେ ଅଧିକାଂଶ ପରୀକ୍ଷାର୍ଥୀଙ୍କର ମାର୍କ ବଢ଼ିଥିବା ଖବର ମିଳିଛି । ନମ୍ବର ସଂଶୋଧନ କରାଯିବା ସହ ପୁନଃ ସାର୍ଟିଫିକେଟ୍‌ ପ୍ରସ୍ତୁତ କରାଯିବ । ସମ୍ପୃକ୍ତ ପରୀକ୍ଷାର୍ଥୀମାନେ ସଂଶୋଧିତ ଡିଜିଟାଲ୍‌ ସାର୍ଟିଫିକେଟ୍‌ ୱେବ୍‌ସାଇଟ୍‌ରୁ ଡାଉନ୍‌ଲୋଡ୍‌ କରି ପାଇପାରିବେ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

+୨ ପାଠ୍ୟକ୍ରମ ପଢ଼ିବା ପାଇଁ ଆବେଦନର ଶେଷ ସମୟ ଆସନ୍ତା ୩୦ ତାରିଖ ଧାର୍ଯ୍ୟ ଥିବାରୁ ଏହା ପୂର୍ବରୁ ଚେକିଂ ଆଡିସନ୍‌ରେ ସଂଶୋଧିତ ଫଳ ପ୍ରକାଶ କରାଇବା ଲାଗି ବୋର୍ଡ ନିଷ୍ପତ୍ତି ନେଇଛି । ବିଗତ ବର୍ଷ ଗୁଡ଼ିକରେ +୨ ଆବେଦନର ଶେଷ ହେବା ପରେ ମାଟ୍ରିକ୍‌ର ଚେକିଂ ଆଡିସନ୍‌ରେ କେତେକ ପରୀକ୍ଷାର୍ଥୀଙ୍କ ମାର୍କ ବଢ଼ୁଥିଲେ ହେଁ ସେଥିରେ ପରୀକ୍ଷାର୍ଥୀମାନେ ବିଶେଷ କିଛି ଲାଭବାନ ହେଉ ନଥିଲେ । ଅନ୍ୟପକ୍ଷରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ଜୁଲାଇ ୨ରୁ ୧୦ ଯାଏ ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ପଢନ୍ତୁ-  ‘ପାଠ୍ୟପୁସ୍ତକରେ ୧୬୭୮ଟି ଭୁଲ୍‌ ଅକ୍ଷମଣୀୟ’; ବିରୋଧୀ କହିଲେ ଏହା ପିଲାଙ୍କ ଭବିଷ୍ୟତ ସହ ଖେଳ

ଓଡ଼ିଶା ମାନଚିତ୍ରରୁ ହଜିଯିବ ସୀମାନ୍ତ ଗାଁ ଦୋରାଗୁଡ଼ା!ଅବହେଳିତ ଓ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ ଏବେ ଆନ୍ଧ୍ର ମୁହାଁ