ନୂଆଦିଲ୍ଲୀ, ୫/୯: ସରକାରୀ ଜମିରେ ବେଆଇନ କବ୍‌ଜା ସମେତ ଆହୁରି ଅନେକ ମାମୁଲି ଅପରାଧ ହେବ ଦଣ୍ଡମୁକ୍ତ। ଭୋଗିବାକୁ ପଡ଼ିବନି ଜେଲଦଣ୍ଡ। ଜରିମାନାରେ ହୋଇଯିବ କାମ। ଅଦାଲତ ଉପରୁ କମିବ ବୋଝ। ଖୁବଶୀଘ୍ର ଆସିବ ଆଇନ। ଗୁଜରାଟ ସରକାର ଏନେଇ ଏକ ବିଲ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହି ବିଲ୍ ପାସ୍ ହେବା ପରେ ଛୋଟ ଭୁଲ୍‌କୁ ଅପରାଧ ଶ୍ରେଣୀରୁ ବାହାର କରିଦିଆଯିବ। ବିଶ୍ଵାସ ଆଧାରିତ ଶାସନ ଓ ସୁଗମ ବ୍ୟାପାର ପାଇଁ ଗୁଜରାଟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । 

ସରକାରୀ ଜମିରେ ବେଆଇନ ନିର୍ମାଣ, ସାର୍ବଜନୀନ ସ୍ଥାନକୁ କବ୍‌ଜା, ଅଳିଆ ସଫା ନକରିବା, ଟ୍ୟାକ୍ସ ପଇଠ ନକରିବା ଭଳି ଅପରାଧକୁ ଦଣ୍ଡମୁକ୍ତ କରାଯିବ। ଆଇନଗତ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ କେବଳ ଜରିମାନା ବ୍ୟବସ୍ଥା କରାଯିବ। ସେହିପରି ମ୍ୟୁନିସିପାଲଟି ଦ୍ଵାରା ଜାରି କରାଯାଇଥିବା ନୋଟିସର ଉଲ୍ଲଙ୍ଘନ କଲେ କିମ୍ଵା ସଡ଼କର ନାମ କିମ୍ଵା ସଂଖ୍ୟାକୁ ବିକୃତ କଲେ କେବଳ ଜରିମାନା ଭରିବାକୁ ପଡ଼ିବ। 

ଏନେଇ ମନ୍ତ୍ରୀ ଋଷିକେଶ ପଟେଲ କହିଛନ୍ତି ଯେ, ମାମୁଲି ଅପରାଧ ପାଇଁ ବ୍ୟବସାୟରେ ବ୍ୟାଘାତ ହେଉଛି। ଲୋକଙ୍କ ଆତ୍ମବିଶ୍ଵାସ ଭାଙ୍ଗି ଯାଉଛି। ଏଥିପାଇଁ ସରକାର ସାମାନ୍ୟ  ଅପରାଧ ଗୁଡ଼ିକୁ ଦଣ୍ଡମୁକ୍ତ କରିବେ। ଏହା ବଦଳରେ ଆର୍ଥିକ ଦଣ୍ଡ ଦିଆଯିବ। ବିଶ୍ଵାସ ଆଧାରିତ ଶାସନ, ସୁଗମ ବ୍ୟାପାର ଓ ଅଦାଲତର ବୋଝ କମାଇବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଗାମୀ ବିଧାନସଭାର ମୌସୁମୀ ଅଧିବେଶରେ ରାଜ୍ୟ ସରକାର ଏହି ସଂଶୋଧନ ପାଇଁ ଗୁଜରାଟ ଜନ ବିଶ୍ଵାସ ବିଲ୍ ଉପସ୍ଥାପନ କରିବେ। ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ଵର ୮ ରୁ ୧୦ ତାରିଖ ଯାଏଁ ଚାଲିବ। ଏହି ସମୟରେ ଜନ ବିଶ୍ଵାସ ବିଲ୍ ସମେତ ଆହୁରି ୫ଟି ବିଲ୍‌ ଉପସ୍ଥାପନ କରାଯିବ।