ଭୁବନେଶ୍ବର,୪/୨ : ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ । ପୁଲିସକୁ ଖୋଲା ଚାଲେଞ୍ଜ ଦେଇ ବନ୍ଧୁକ ମୁନରେ ମହିଳାଙ୍କୁ ଲୁଟ୍ । ମୁଣ୍ଡରେ ବନ୍ଧୁକ ଲଗାଇ ନେଇଗଲେ ସୁନା ଅଳଙ୍କାର । ନୟାପଲ୍ଲୀ ଗଡ଼ସାହିର ଘଟଣା ଯୋଗୁଁ ଲୋକେ ଭୟରେ ଥିବା ବେଳେ ସିସିଟିଭି ଯାଞ୍ଚ୍ ସହ ତଦନ୍ତ ଆରମ୍ଭ କରିଛି କମିଶନରେଟ୍ ପୁଲିସ।
ଘଟଣା ଅନୁସାରେ, ଆଜି ସକାଳ ୫ଟା ୩୦ମିନିଟ୍ ସମୟରେ ନୟାପଲ୍ଲୀ ଗଡ଼ସାହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଅଞ୍ଚଳରେ ରହୁଥିବା ୬୨ବର୍ଷୀୟା ଇନ୍ଦୁମତି ବଳବନ୍ତରାୟ ସବୁ ଦିନ ପରି ଆଜି ମଧ୍ୟ ସକାଳୁ ଉଠିଥିଲେ ଆଉ ନିଜ ନିତ୍ୟକର୍ମ ସାରି ଫୁଲ ତୋଳିବା ପାଇଁ ଘରୁ ବାହାରିଥିଲେ। ଆଉ ଠିକ୍ ସେତିକିବେଳେ ଅଚାନକ୍ ଜଣେ ଦୁର୍ବୃତ୍ତ ତାଙ୍କ ମୁଣ୍ଡରେ ଲଗାଇ ଦେଇଥିଲେ ବନ୍ଧୁକ । ଆଉ ଇନ୍ଦୁମତିଙ୍କୁ ମାଗିଥିଲେ ସେ ପିନ୍ଧିଥିବା ସୁନା ଗହଣା। ଜଲଦି ଦିଅ ପାଟି କରନି ନ ହେଲେ ଜୀବନରୁ ମାରିଦେବି କହି ଲୁଟେରା ଦେଇଥିଲେ ଧମକ । ଗନ୍ ପଏଣ୍ଟରେ ଥିବା ମହିଳା ଡରରେ ପିନ୍ଧିଥିବା ସୁନା କାନଫୁଲ ଏବଂ ଚୁଡ଼ି ବାହାର କରି ଦେଇଥିଲେ। ବନ୍ଧୁକଧାରି ଲୁଟେରାଙ୍କୁ ସବୁ ଅଳଙ୍କାର ଦେବା ପରେ ଭୟରେ ଥରୁ ଥିବା ବରିଷ୍ଠ ନାଗରିକଙ୍କ ପିଠି ଆଉଁସି ବାରିପଟ ଦେଇ ଛୁ ହୋଇଯାଇଥିବା ଘଟଣା ଭୟ ଖେଲାଇଛି ।
ସ୍ଥାନୀୟ ପୁଲିସ ଖବରପାଇ ଦୁର୍ବୃତ୍ତକୁ ଧରିବା ପାଇଁ ଆରମ୍ଭ କରିଛି ତନାଘନା । କ୍ରାଇମ ସ୍ପଟ ଭିଜିଟ୍ କରିବା ସହ ସ୍ଥାନୀୟ ଲୋକଙ୍କୁ କରିଛି ପଚରାଉଚରା । ସ୍ଥାନୀୟ ଅଞ୍ଚଳରେ ପଇଁତରା ମାରିବା ସହ ଡାଟା ପାଇଁ ସେହି ଘରେ ଓ ପଡ଼ିଶା ଘରେ ଲାଗିଥିବା ସିସିଟିଭି ଡିଭିଆର୍ ମଧ୍ୟ ନେଇଛି । କ୍ରାଇମରେ ବନ୍ଧୁକ ବ୍ୟବହାର ହୋଇଥିବାରୁ ସ୍ପେସଲ୍ ସ୍କ୍ୱାଡ ମଧ୍ୟ ସାଦା ପୋଷାକରେ କରିଛି ଛାନଭିନ । ଏପରି ଘଟଣାକୁ ନେଇ ଭୟରେ ସ୍ଥାନୀୟ ଲୋକେ। କେବଳ ରାସ୍ତା ଉପରେ ପୁଲିସ ପାଟ୍ରୋଲିଂ ହେଉଛି ଗଳିକନ୍ଦିରେ ପିଶିଆର୍ ବୁଲୁ ନ ଥିବାରୁ ଅପରାଧୀଙ୍କୁ ସୁଯୋଗ ମିଳୁଛି ବୋଲି କହିଛନ୍ତି ବରିଷ୍ଠ ନାଗରିକ । ନୟାପଲ୍ଲୀ ଅଞ୍ଚଳରେ ବନ୍ଧୁକ ଦ୍ଵାରା ଲୁଟ୍ ଘଟଣା ଏବେ ଲୋକଙ୍କ ମନରେ ଭୟ ଓ ପୁଲିସ ପାଇଁ ବଡ ଚାଲେଞ୍ଜ ସୃଷ୍ଟି କରିଛି।