ନୂଆଦିଲ୍ଲୀ, ୨୬।୬: ସୀମା ଆରପାରିରେ ଶତ୍ରୁଦେଶ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଇ ଶହୀଦ ହୋଇଥିବା ଭାରତୀୟ ସେନାର ୬ ଜଣ ଯୋଦ୍ଧାଙ୍କ ନାଁ ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବେ ଜାରି କରାଯାଇଛି । ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଏହି ବୀର ସନ୍ତାନମାନଙ୍କ ନାମକୁ 'ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ'ର ୱେବସାଇଟ୍‌ରେ ସ୍ଥାନିତ କରାଯାଇ ସ୍ମରଣ କରାଯାଇଛି । ଭାରତ ପକ୍ଷରୁ କରାଯାଇଥିବା 'ଅପରେସନ ସିନ୍ଦୂର' ରେ ଏହି ଯବାନମାନେ ଶହୀଦ ହୋଇଥିଲେ । ପୂର୍ବରୁ ସରକାରଙ୍କ ତରଫରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନଥିବା ବେଳେ, ବର୍ତ୍ତମାନ ଏହାକୁ ଆନୁଷ୍ଠାନିକ ଭାବେ ସ୍ୱୀକାର କରାଯାଇଛି ।   

'ରୋଲ୍ ଅଫ୍ ଅନର'ରେ ସ୍ଥାନ ପାଇଲେ ବୀର ଶହୀଦ:

ନ୍ୟାସନାଲ ୱାର ମେମୋରିଆଲର ୱେବସାଇଟ୍‌ରେ ଥିବା 'ରୋଲ୍ ଅଫ୍ ଅନର' ସେକସନରେ ଏହି ଶହୀଦମାନଙ୍କ ନାମ ସାମିଲ କରାଯାଇଛି । ଏହି ପବିତ୍ର ତାଲିକାରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୨୬,୬୨୬ ଜଣ ଶହୀଦଙ୍କ ନାମ ରହିଛି । ଏଥିରେ ୧୯୪୭-୪୮ ମସିହାର ପାକିସ୍ତାନ ସହ ପ୍ରଥମ ଯୁଦ୍ଧଠାରୁ ଆରମ୍ଭ କରି ନିକଟରେ ହୋଇଥିବା 'ଅପରେସନ ସିନ୍ଦୂର' ପର୍ଯ୍ୟନ୍ତ ସମସ୍ତ ବୀର ଶହୀଦଙ୍କ ନାମ ରହିଛି । ଶହୀଦ ହୋଇଥିବା ୬ ଯବାନ ସୁବେଦାର ମେଜର ପବନ କୁମାର, ରାଇଫଲମ୍ୟାନ୍ ସୁନୀଲ କୁମାର, ଲାନ୍ସନାୟକ ଦିନେଶ କୁମାର, ଏଭି ମୁଦ ମୁରଲୀନାୟକ, ହାବିଲଦାର ସୁନୀଲ କୁମାର ସିଂ, ସୁରେନ୍ଦ୍ର କୁମାର ।

ଏହା ବି ପଢ଼ନ୍ତୁ... Yogi Adityanath: ରାମ ମନ୍ଦିର ଚାନ୍ଦା ଚୋରି ମାମଲାରେ ଗର୍ଜିଲେ ଯୋଗୀ, କହିଲେ 'ଜନତାଙ୍କ ଆସ୍ଥା ସହ ଖେଳୁଥିବା ଲୋକଙ୍କୁ ଛଡ଼ାଯିବନି'

୨୨ ଅପ୍ରେଲ ୨୦୨୫ରେ ଜମ୍ମୁ-କାଶ୍ମୀରର ପହଲଗାମଠାରେ ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ବର୍ବର ଆକ୍ରମଣରେ ପ୍ରାୟ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ସେନା ପକ୍ଷରୁ ୭ ମଇ ୨୦୨୫ ସକାଳୁ 'ଅପରେସନ ସିନ୍ଦୂର' ଆରମ୍ଭ କରାଯାଇଥିଲା । ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ପିଓକେ ସୀମା ଭିତରକୁ ପଶି ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବା ଭଳି କୁଖ୍ୟାତ ସଂଗଠନର ପ୍ରାୟ ୯ଟି ଆତଙ୍କବାଦୀ କ୍ୟାମ୍ପକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିଲେ । ଏହି ସାମରିକ କାର୍ଯ୍ୟାନୁଷ୍ଠାନ ପ୍ରାୟ ୪ ଦିନ ଧରି ଚାଲିଥିଲା । ଭାରତର ପ୍ରଚଣ୍ଡ ଆକ୍ରମଣରେ ଭୟଭୀତ ହୋଇ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ଗୁହାରି କରିବା ପରେ, ୧୦ ମେ ୨୦୨୫ରେ ଉଭୟ ଦେଶ ସେନା କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ସହମତ ହୋଇଥିଲେ । ଏହି ସିକ୍ରେଟ୍ ଅପରେସନରେ ଭାରତୀୟ ଯବାନ ଶହୀଦ ହୋଇଥିବା ନେଇ ପୂର୍ବରୁ କେବଳ ଚର୍ଚ୍ଚା ହେଉଥିଲା । କିନ୍ତୁ, ବର୍ତ୍ତମାନ ସରକାର ନ୍ୟାସନାଲ ୱାର ମେମୋରିଆଲରେ ସେମାନଙ୍କ ନାମ ସ୍ଥାନିତ କରି ଦେଶ ପାଇଁ ପ୍ରାଣବଳି ଦେଇଥିବା ବୀର ସନ୍ତାନଙ୍କ ବୀରତ୍ୱକୁ ସମ୍ମାନ ଜଣାଇବା ସହ ଏହାକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି ।