କଟକ,୧୩/୦୬ (ସୁକେଶ ବେହେରା ଓ ହାରୁନ୍ ରସିଦ୍ ଖାନ୍) ଫଟୋ: ଅମରଦେବ ନାୟକ: କକଟକ ଖଟିରସହର । ଅଧିକାଂଶ ଖଟି ଚା’ ଓ ପାନ ଦୋକାନରେ ହୁଏ । ଚା’ କପେ ହାତରେ ଧରି ପାନ ପାଇଁ ବରାଦ୍ ଦେଇ ଆରମ୍ଭ ହୁଏ ଗପସପ । ପାଟିରେ ଖିଲି ପାନ ପଶିଲେ ଗପ ରାଜ୍ୟ, ଦେଶ ଟପି ବିଦେଶରେ ପହଞ୍ଚେ । ରାଜନୀତି, ଖେଳ, ସିନେମା, ମଠମନ୍ଦିର ସବୁ ପ୍ରସଙ୍ଗରେ ପାଟି ଚାଲେ । ପାନ ସରୁ ସରୁ ପକେଟ୍ରୁ ପୁଣି ଖଣ୍ଡିଏ ଚଢ଼େଇ ଦିଅନ୍ତି । ପାଟିକୁ ଫୁରସତ୍ ମିଳେନି ନା କଥାରୁ ନା ପାନରୁ ।
ଏଠି ସ୍ନେହରେ ଲୋକେ ପାନ ଖଣ୍ଡିଏ ସାମ୍ନାବାଲା ହାତକୁ ବଢ଼େଇ ଦିଅନ୍ତି । ସାମ୍ନାବାଲା ବି ବିନା ପ୍ରଶ୍ନରେ ମୁରୁକି ହସି ପାନ ଖଣ୍ଡିଏ ଧରିନିଏ । ପାନ ଦେବାନେବା ବଡ଼, ସାନ ଦେଖେନି । ବଡ଼ବଡ଼ିଆ ବି ପାନର ପ୍ରେମର ପଡ଼ନ୍ତି । ଖାତିର, ପରିଚୟକୁ ପଛକୁ ପକାଇ ପାନ ପାଇଁ ହାତ ବଢ଼େଇ ଦିଅନ୍ତି । ସେଇଥିପାଇଁ ଏ ସହରର ପାନ ଦୋକାନୀଙ୍କ ହାତକୁ ଫୁରସତ୍ ମିଳେନି । ଚୂନ, ଗିଲା, କିମାମ୍ର ଛିଟାରେ ଲଟପଟ ହୋଇ ପାନ ଭାଙ୍ଗିଚାଲିଥାନ୍ତି ସକାଳୁ ରାତି ଯାଏ । ଏ ସହରରେ ଏମିତି ପାନ ଦୋକାନ ବି ରହିଛି ଯେତେବେଳେ କଟକ ଓ କଟକିଆଙ୍କ କଥା ଆଲୋଚନା ହୁଏ ସେତେବେଳେ ସେମାନଙ୍କୁ ପାସୋରି ଦିଆଯାଏନାହିଁ । ହଜାର ବର୍ଷର ନାଁ ଡାକ୍ କଟକ ସହରରେ ପାନ ଦୋକାନୀମାନଙ୍କର ବି ଖାସ୍ ଗୋଟେ ପରିଚୟ ରହିଛି ।
କଟକର ପ୍ରତି ଗଳିକନ୍ଦିରେ ପାନ ଦୋକାନ । ପ୍ରତି ସାହିରେ ଜଣେ ନାଁ କରା ପାନ ଦୋକାନୀ ବି ରହିଛନ୍ତି । ସହରରେ ପାଖାପାଖି ୧୦ ହଜାର ପାନ ଦୋକାନ ରହିଛି । ଜର୍ଦ୍ଦା, ଡିଲକ୍ସ, ଗୁଣ୍ଡି, ମିଠା ପାନ ସହିତ କିଛି ସ୍ପେଶାଲ୍ ପାନ ମଧ୍ୟ ବେପାର ହୁଏ । ଅନେକ ଦୋକାନୀ ଦୈନିକ ଅତିକମ୍ରେ ୨ହଜାର ଟଙ୍କାର ପାନ ବ୍ୟବସାୟ କରନ୍ତି । ଏମିତିକି ବଡ଼ ନାଁ କରା ପାନ ଦୋକାନୀ ଦୈନିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବେପାର କରିଥାନ୍ତି । ତେଣୁ ଏହି ଆଧାରରେ କଟକ ସହରରେ ଦିନକୁ ଲକ୍ଷ ଲକ୍ଷ ଟଙ୍କାର ପାନ ବେପାର ହୁଏ ବୋଲି କୁହାଯାଏ । ଏଠି ପାନ ଦୋକାନ କରି ଲୋକେ ପିଲାଙ୍କୁ ବିଦେଶରେ ପାଠ ପଢ଼ାଇବାକୁ ସକ୍ଷମ ହୋଇଛନ୍ତି । ପାନ ଦୋକାନରୁ ସହରରେ ଜାଗା କିଣି ଘର କରି ସ୍ୱଚ୍ଛଳ ଜୀବନଯାପନ ବି କରୁଛନ୍ତି ।
କିଶୁ ପାନ ଖୋକା ଗୀତ
ଓଡ଼ିଆ ସଂଗୀତ ଜଗତର କିମ୍ବଦନ୍ତୀ ଅକ୍ଷୟ ମହାନ୍ତି ବା ଖୋକା ଭାଇଙ୍କୁ କଟକିଆ କେତେ ରୂପରେ ଦେଖନ୍ତି, ଭଲପାଆନ୍ତି । କିଏ ତାଙ୍କୁ ଗୀତରେ ଖୋଜେ ତ ଆଉ କିଏ ଖୋଜେ କଥାରେ, କିଏ ପ୍ରେମରେ ଖୋଜେ ତ ଆଉ କିଏ ତାଙ୍କ ବେପରୁଆ ଅନ୍ଦାଜରେ । କଟକରେ ଖୋକା ଭାଇଙ୍କ ଆଉ ଏକ ପରିଚୟ ହେଉଛି ସେ ପାନୁଆ, ଜଣେ ପୋଖତ ପାନପ୍ରେମୀ । କେବଳ ଅକ୍ଷୟ ମହାନ୍ତି ନୁହନ୍ତି ପ୍ରଫୁଲ୍ଲ କର, ଶୀର୍ଷାନନ୍ଦ ଦାସକାନୁନଗୋ, ଦେବଦାସ ଛୋଟରାୟ, ଗୋବିନ୍ଦ ତେଜ୍ଙ୍କ ଭଳି ବହୁ ନାମୀଦାମୀ ଲୋକଙ୍କ ଗୋଟିଏ ପାନ ଠିକଣା ଥିଲା । ସେ ହେଲା କଟକ ବକ୍ସିବଜାର ଛକରେ ଥିବା ବେପାରୀ ସାହିର ବାସିନ୍ଦା କୃଷ୍ଣପ୍ରସାଦ ଭଗତ ବା କିଶୁଙ୍କ ପାନ ଦୋକାନ । ସେ ସମୟରେ କିଶୁ ଗୁଣ୍ଡି ପାନ କହିଲେ ସାରା ସହର ଜାଣୁଥିଲା । ସକାଳ, ସନ୍ଧ୍ୟା ଦୁଇବେଳା ଖୋକାଭାଇ ସାଇକେଲ୍ରେ ସେଠି ପହଞ୍ଚୁଥିଲେ । ଦୋକାନକୁ ଲାଗି ରହିଥିଲା କାଶ୍ମି ସ୍ପୋର୍ଟସ୍ ଦୋକାନର ପିଣ୍ଡା । ସେଠି ଏ ମୁଣ୍ଡରୁ ସେ ମୁଣ୍ଡ ଲମ୍ବ ହେଇ ବସୁଥିଲେ ସଂଗୀତ ଓ ସାହିତ୍ୟ ଜଗତର ଖ୍ୟାତନାମା ତାରକା । ପାନ ଖିଆ, ଗୀତ ବୋଲା, ଧୂନ୍ ସଜାଡ଼ିବା, ଶବ୍ଦ ସଂଯୋଜନା ସବୁ ସେଇଠି ହେଉଥିଲା । କିଶୁଙ୍କ ଦେହାନ୍ତ ପରେ ଏବେ ତାଙ୍କ ପୁଅ ଦେବେନ୍ଦ୍ର ପ୍ରସାଦ ଭଗତ ଦୋକାନ ଚଳାଇଛନ୍ତି । ଆଜି ବି ତାଙ୍କ ଗୁଣ୍ଡି ପାନର ମହକ ରହିଛି । ହେଲେ ନାହାନ୍ତି କିଶୁ ଭାଇ, ନାହାନ୍ତି ଖୋକା ଭାଇ ଓ ଅନ୍ୟମାନେ ।
ପାନ ଗଦି: ଗାଣ୍ଠିରେ ବେପାର
ଦୋଳମୁଣ୍ଡାଇ ଛକରେ ପ୍ରତିଦିନ ଦିନରେ ଦାଶରଥି ବେହେରାଙ୍କ ପାନ ଗଦି ପଡେ । ଏଠାରେ ବିଭିନ୍ନ ଭେରାଇଟିର ପାନ ଆସିଥାଏ । ୬୨ ବର୍ଷୀୟ ଦାଶରଥି ଆଜକୁ ୪୫ବର୍ଷ ଧରି ଗୋଟା ପାନ ବ୍ୟବସାୟ କରୁଛନ୍ତି । ଦୈନିକ ଶହଶହ ଗାଣ୍ଠି ବ୍ୟବସାୟ କରୁଥିବା ଦାଶରଥି କଟକ ସହରର ବିଭିନ୍ନ ଛୋଟ ବ୍ୟବସାୟୀ ଓ ଦୋକାନୀମାନଙ୍କୁ ପାନ ପତର ଯୋଗାଇଥାନ୍ତି । ଗୋଟିଏ ଗାଣ୍ଠିରେ ପତ୍ରର ସାଇଜ ଅନୁସାରେ ଶହେ କଡ଼ାରୁ ତିନିଶହ କଡ଼ା ପାନ ଥାଏ । ଦାଶରଥିଙ୍କ ଭଳି କଟକ ସହରରେ ଅନେକ ଗାଣ୍ଠି ବ୍ୟବସାୟୀ ଅଛନ୍ତି, ଯେଉଁମାନେ ହୋଲସେଲ୍ ମୂଲ୍ୟରେ କଟକ ସହରର ହଜାର ହଜାର ଦୋକାନୀଙ୍କୁ ଗୋଟା ପାନ ବିକ୍ରି କରିଥାନ୍ତି । କଟକ ସହରକୁ ପାନ ମୁଖ୍ୟତଃ କଟକ ଜିଲ୍ଲାର ନିଆଳି ବ୍ଲକ୍ ଓ ଆଖପାଖ ଅଞ୍ଚଳରୁ ଆସିଥାଏ । ନିଆଳି ପାନ ତାର ଉଚ୍ଚ ଗୁଣବତ୍ତା ପାଇଁ ଲୋକପ୍ରିୟ । ଏଠାରୁ କଟକ ସହର ସମେତ ରାଜ୍ୟର ବିଭିନ୍ନ ସ୍ଥାନ ଓ ରାଜ୍ୟ ବାହାରକୁ ବାହାରକୁ ମଧ୍ୟ ଯାଇଥାଏ । ପାନ ବ୍ୟବସାୟୀମାନେ ନିଆଳିର ଚାଷୀଙ୍କଠାରୁ ସିଧାସଳଖ କିଣି ବିଭିନ୍ନ ଦୋକାନକୁ ଯୋଗାଇଥାନ୍ତି । ନିଆଳି ପାନ କଟକର ପ୍ରାୟ ୭୦ଭାଗ ଦୋକାନକୁ ଆସୁଥିବା ବେଳେ ପୁରୀ, ବାଲେଶ୍ୱର, ଜଗତସିଂହପୁରୁ ମଧ୍ୟ ପାନ କଟକ ଆସିଥାଏ । କଟକର ଆବଶ୍ୟକତା ଅନୁସାରେ ପ୍ରତିଦିନ ପ୍ରାୟ ୧୦ହଜାରରୁ ଅଧିକ ଗାଣ୍ଠି ପାନ ବିକ୍ରି ହେଉଥିବା ଜଣାପଡିଛି ।
ଅଧିକ ପଢ଼ନ୍ତୁ :- Raja 2026: ବନସ୍ତେ ଡାକିଲା ଗଜ, ଗାଁ ମୁଣ୍ଡରେ ବନ୍ଧା ହେଲାଣି ଦୋଳି, ଆ'ଲୋ ବଉଳ ହେବା ସଜବାଜ
କଦଳୀପତ୍ରରେ ମିଠା ପାନ
କଡ଼ା ପାନର ଡିମାଣ୍ଡ୍ ଭିତରେ ସାଦା ପାଠ ବା ମିଠା ପାନର ଆଦର ବି କିଛି କମ୍ ନାହିଁ କଟକ ସହରରେ । ବିଶେଷକରି ରଜ, ବାଲିଯାତ୍ରା ସମୟରେ ସହରରେ ଭଳିକି ଭଳି ସାଦା ପାନର ପସରା ମେଲେ । କିନ୍ତୁ ଦୋଳମୁଣ୍ଡାଇ, ନୂଆପାଟଣା, ବକ୍ସିବଜାର, ମାନସିଂହପାଟଣା ଓ କଲେଜ ଛକରେ ଆଦି ଅଞ୍ଚଳରେ ବର୍ଷକ ୧୨ ମାସ ସ୍ୱତନ୍ତ୍ର ସାଦା ପାନ ବିକ୍ରି ହୋଇଥାଏ । ଏବେ ସହରରେ ମିଳୁଥିବା ସାଦା ପାନରେ ଧନିଆ, ମଧୁରୀ, ଭଜା ନଡ଼ିଆ, ଭଜା ଗୁଆ, ୪ପ୍ରକାରର ପଟିଆ, ଗୁଲ୍କନ୍, କାଜୁ ଓ ୫ ପ୍ରକାରର ପ୍ରସାଦ ଆଦି ମସଲା ଦିଆଯାଉଛି । ପାନ ଭାଙ୍ଗି ତା' ଉପରେ ଚେରି କିମ୍ବା ଲବଙ୍ଗ ମାରି ଗରାଖଙ୍କୁ ପରସା ଯାଉଛି । ଏବେ ସ୍ମୋକ୍ ପାନ ସହିତ ଫାୟାର୍ ଆଦି ପାନର ଟ୍ରେଣ୍ଡ୍ ରହିଛି । ଯାହାର ମୂଲ୍ୟ ଗୋଟାକ ୫୦ରୁ ଶହେ ଟଙ୍କା ରହିଛି । ତେବେ ସହରରେ ସାଦା ପାନ ଦୋକାନୀ ଭାବେ ବିଶେଷ ପରିଚୟ ରହିଛି ବିଜୁ ପଟ୍ଟନାୟକ ଛକରେ କାର୍ତ୍ତିକ ଜେନାଙ୍କର । ସେ ୩୧ବର୍ଷ ହେଲା ନିଆରା ମିଠା ପାନ ବିକ୍ରି କରୁଛନ୍ତି । କଦଳୀପତ୍ରରେ ସେ ପାନ ଭାଙ୍ଗି ଦିଅନ୍ତି । ପ୍ରତି ପାନ ଖଣ୍ଡର ଦାମ ରହିଛି ୨୦ଟଙ୍କା । ଏହି ପାନରେ ପାଖାପାଖି ୧୮ ପ୍ରକାରର ମସଲା ଥାଏ ।