PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ଦେବେନ୍ଦ୍ର ଫଡନବିସ୍ ହେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ , ଟ୍ୱିଟ୍‌ କରି ସୂଚନା ଦେଲେ ଜେପି ନଡ୍ଡା
  • ||
  • ପୁଣି ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, କୋଭିଡ୍ ସଂକ୍ରମଣ ବଢ଼ିବାରୁ କଟକଣା ଜାରି । ମଲ୍ , ଦୋକାନ, ସରକାରୀ ଓ ଘରୋଇ ଅଫିସରେ କଟକଣା ପାଳନ ନିର୍ଦ୍ଦେଶ। ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତା ନିର୍ଦ୍ଦେଶ
  • ||
  • ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ , ପ୍ରେସ୍‌ମିଟ୍‌ରେ ଦେବେନ୍ଦ୍ର ଫଡନବିସ୍‌ଙ୍କ ଘୋଷଣା
  • ||
  • ପୁରୀ : ଅଟକିଛି ପେଟା ନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନାଳ ଭିତରେ ପଶି ପ୍ରତିବାଦ କଲେ ମହମ୍ମଦ ମୋକିମ୍
  • ||
  • ପୁରୀ : ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା, କୋଭିଡ୍ ପାଇଁ ପ୍ରସ୍ତୁତ ଅଛି ସ୍ଵତନ୍ତ୍ର ବେଡ୍
  • ||
  • ମୋରଡ଼ା : ମୋରଡ଼ାରେ ଥମୁନି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ୨ ମୃତ
  • ||
  • ପୁରୀ : ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ଵାର ସମ୍ମୁଖକୁ ଆସିବେ ୩ ରଥ
  • ||
  • ପୁରୀ : ରଥଯାତ୍ରା ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା, ମାଳତିପାଟପୁର ବସଷ୍ଟାଣ୍ଡରେ ରହିବେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍
  • ||
  • ଭୁବନେଶ୍ଵର : ବିଏମସିର ଡ୍ରାଇ ଡେ ପାଳନ, ମଶା ବଂଶ ବୃଦ୍ଧିକୁ ନାଶ କରିବାକୁ ରାଜଧାନୀବାସୀଙ୍କୁ ଆହ୍ଵାନ କଲେ ବିଏମସି କମିଶନର
  • ||
  • ଭୁବନେଶ୍ଵର : କଂଗ୍ରେସକୁ ଝଟ୍‌କା, ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍
  • ||

ଭୋଟ୍‌ କିଣିବାକୁ ‘କାଳିଆ’,‘ପିଠା’: ନରସିଂହଙ୍କ ନିଶାନାରେ ରାଜ୍ୟ, କେନ୍ଦ୍ର

source:http://www.pragativadi.com

ଭୁବନେଶ୍ୱର,୮ା୨(ବ୍ୟୁରୋ): ଭୋଟ୍‌ କିଣିବାକୁ ସରକାର ‘କାଳିଆ’ ଯୋଜନା କରିଛନ୍ତି । ‘ପିଠା’ ଯୋଜନା ବି ନିର୍ବାଚନ ପାଇଁ ଆଣିଛନ୍ତି । ହେଲେ କାଳିଆ ଯୋଜନାରେ ଚାଷୀଙ୍କର କିଛି ବିକାଶ ହେବନି । ପ୍ରକୃତ କଥା ହେଲା, ସରକାର ସିଧା ୫ ହଜାର ଟଙ୍କା ଦେଇ ପରୋକ୍ଷରେ ଭୋଟ୍‌ ମାଗୁଛନ୍ତି । ଆଉ ପିଠା ଯୋଜନା କ’ଣ, ଏଯାଏଁ ଲୋକେ ବୁଝିନାହାନ୍ତି । ଭୋଟ୍‌ ପାଇଁ ସରକାର ଏଭଳି ଭୁଆଁ ବୁଲାଉଛନ୍ତି । ଏମିତି ଢଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର ।
ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍‌ର ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପୂରା ଆକ୍ରମଣାତ୍ମକ ଢଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ କହିଲେ, କେନ୍ଦ୍ର ଓ ରାଜ୍ୟ ସରକାର କେବଳ ଆତ୍ମପ୍ରଚାରରେ ମାତିଛନ୍ତି । ଉଭୟ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୁଆଁ ବୁଲାଉଛନ୍ତି । ହେଲେ ସେମାନଙ୍କର ଏଭଳି ଖେଳ ଆଉ ଚଳିବ ନାହିଁ ।
ଓଡ଼ିଶାର ବିଜେଡି ସରକାରକୁ ଟାର୍ଗେଟ କରି ଶ୍ରୀ ମିଶ୍ର କହିଲେ, ସରକାର ଘୋଷଣା କରିଛନ୍ତି ଯେ କାଳିଆ ଯୋଜନାରେ ଫସଲ ପିଛା ୫ ହଜାର ଲେଖାଏଁ ହିସାବରେ ଦୁଇଟି ଫସଲ ପାଇଁ ୧୦ ହଜାର ଟଙ୍କା ମିଳିବ । ନାମମାତ୍ର ଚାଷୀ, କ୍ଷୁଦ୍ର ଚାଷୀ, ଭାଗ ଚାଷୀ, ଭୂମିହୀନ ଓ କୃଷି ଶ୍ରମିକ ଏଥିରେ ଉପକୃତ ହେବେ । ମାତ୍ର ସରକାର ଏଯାଏଁ ଭାଗ ଚାଷ ଆଇନ ଆଣିନାହାନ୍ତି । କାଳିଆ ଯୋଜନା ପାଇଁ ଭାଗ ଚାଷୀଙ୍କୁ କେମିତି କେଉଁ ଆଧାରରେ ଚିହ୍ନଟ କଲେ? ୧୯ ବର୍ଷ ହେବ ରାଜ୍ୟରେ ବିଜେଡି ଶାସନ କରୁଛି । ମାତ୍ର ଏ ରାଜ୍ୟରେ ଚାଷୀର ଫସଲ ରାସ୍ତାରେ ଗଡ଼ୁଛି । ଚାଷୀ କିଲୋ ଟଙ୍କାକରେ ପନିପରିବା ବିକିବାକୁ ବାଧ୍ୟ ହେଉଛି ।
ଶ୍ରୀ ମିଶ୍ର କହିଥିଲେ, ‘କାଳିଆ’ ଯୋଜନାରେ ଚାଷୀଙ୍କର କିଛି ଲାଭ ହେବନି । ଅନେକ ଆକାଉଣ୍ଟକୁ ଏଯାଏଁ ଟଙ୍କା ଆସିନି । ନିର୍ବାଚନ ପାଇଁ ସରକାର କେବଳ ଭୁତାଉଛନ୍ତି । ଛତିଶଗଡ଼ରେ କଂଗ୍ରେସ ଯାହା କହିଥିଲା, କ୍ଷମତାକୁ ଆସିବା ପରେ ସେଇଆ କରି ଦେଖାଇଛି । କୃଷି ଋଣ ଛାଡ଼ ସହ ଧାନ ଏମ୍‌ଏସପି ୨୫୦୦ ଟଙ୍କା ହୋଇଛି । କେନ୍ଦ୍ର ସରକାର ଶୁଣୁନଥିବାବେଳେ ରାଜ୍ୟ ସରକାର ଛତିଶଗଡ଼ର ମଡେଲକୁ ଆପଣାଇଲେ ଚାଷୀ ଲାଭବାନ ହୁଅନ୍ତେ ।
ଶ୍ରୀ ମିଶ୍ର କହିଲେ, କଂଗ୍ରେସ ଘୋଷଣା କରିଛି ଯେ ସରକାରକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ ହେବ । ଧାନ ଏମ୍‌ଏସ୍‌ପି ୨୬୦୦ ଟଙ୍କା କରିବ । ଚାଷୀଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।
ସେ କହିଲେ, ଓଡ଼ିଶା ସରକାର କେବଳ ପରିସଂଖ୍ୟାନରେ ବିଶ୍ୱାସ କରନ୍ତି । ଜଳସେଚନ ବାବଦରେ ସରକାର ଯେତେ ସବୁ ପ୍ରତିଶ୍ରୁତି ଦେଇଛନ୍ତି, କିଛି ପୂରଣ କରିନାହାନ୍ତି । ପରିସଂଖ୍ୟାନ ଦେଖାଇବାକୁ ଯାଇ ସରକାର ଜମିଠାରୁ ଅଧିକ ଜଳସେଚନ ରିପୋର୍ଟ ଦେଇଛନ୍ତି । ପୁରୀରେ ୧୫୦ ହଜାର ହେକ୍ଟ ଜମିରେ ଚାଷ ହୋଇଥିବାବେଳେ ସରକାର ତଥ୍ୟ ଦେଇଛନ୍ତି, ୧୬୦.୧୧୪ ହଜାର ହେକ୍ଟର ଜମି ଜଳସେଚିତ ହୋଇଛି । ଏହା କିପରି ସମ୍ଭବ ହେଲା? ଏ ସରକାର ୧୯ ବର୍ଷ ହେଲାଣି କେବଳ ଡାହା ମିଛ କହି ଶାସନରେ ରହିଛି ।
ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ସ୍କୁଲ ଓ କଲେଜରେ ଶିକ୍ଷକ, ଅଧ୍ୟାପକ ନାହାନ୍ତି । ଶିକ୍ଷକଙ୍କୁ ଦରମା ମିଳୁନି । ଜଳ ଯୋଗାଣ ସେବା ବିପର୍ଯ୍ୟସ୍ତ । ନଦୀ, ନାଳ ଶୁଖିଲା ପଡ଼ିଥିବାବେଳେ ନଳକୂପରେ ପାଣି ନାହିଁ । ସବୁ ଗାଁକୁ ରାସ୍ତା କଥା କୁହାଯାଉଛି । ମାତ୍ର ଅନେକ ଜାଗାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ବନ୍ଦ ହୋଇପଡ଼ିଛି । ସରକାର କେବଳ ଡାହା ମିଛ କହୁଛନ୍ତି । ସ୍ୱାସ୍ଥ୍ୟ ସେବା ଶୋଚନୀୟ । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । କ୍ୟାପିଟାଲ ହସ୍ପିଟାଲରେ ରୋଗୀ ତଳେ ଶୋଉଥିବାବେଳେ ବେଡସିଟ୍‌ଟିଏ ମିଳୁନି ।
ଶ୍ରୀ ମିଶ୍ର ପୁଣି କହିଲେ, ପିଠା ଯୋଜନା କ’ଣ ଲୋକେ ଜାଣିନାହାନ୍ତି । ଲୋକେ ଭାବୁଛନ୍ତି, ପିଠା ବଣ୍ଟାଯିବ । ଏହା ଏକ ଅଦ୍ଭୁତ ଯୋଜନା । ମୋ ଗାଁ ମୋ ବିକାଶ ଯୋଜନାରେ କି ବିକାଶ ହେଉଛି? ଯୁବ ବାହିନୀକୁ ଲୋକେ ଗୁଣ୍ଡା ବାହିନୀ କହୁଛନ୍ତି । ଏଥିରେ ଯେଉଁମାନେ ରହୁଛନ୍ତି, ସେମାନେ କ’ଣ ସରକାରୀ ଲୋକ ନା ପାର୍ଟି କର୍ମକର୍ତ୍ତା? ସବୁ କିଛି କେବଳ ନିର୍ବାଚନ ପାଇଁ କରାଯାଉଛି । ଭୋଟ୍‌ ପାଇଁ କାଳିଆ, ପିଠା ଯୋଜନା ହୋଇଛି ।
କେନ୍ଦ୍ର ସରକାର କୁ ବି ଛାଡ଼ିନଥିଲେ ବିରୋଧୀ ଦଳ ନେତା । ସେ କହିଲେ, ଆଜି ଦେଶରେ ଗଣତନ୍ତ୍ର ସଙ୍କଟରେ । ସାମ୍ବିଧାନିକ ସଂସ୍ଥା ଉପରେ ଆକ୍ରମଣ ହେଉଛି । ବାରମ୍ବାର ନ୍ୟାୟପାଳିକାରେ ହସ୍ତକ୍ଷେପ ପାଇଁ ପ୍ରୟାସ ହେଉଛି । ପ୍ରଥମ ଥର ପାଇଁ ୪ଜଣ ବରିଷ୍ଠ ବିଚାରପତି ନ୍ୟାୟ ପାଇଁ ସାମ୍ବାଦିକ ସମ୍ମିଳନୀ କରିବାକୁ ବାଧ୍ୟ ହେଲେ । ସିବିଆଇ ଆଜି ବିଶ୍ୱସନୀୟତା ହରାଇଛି । ସିବିଆଇର ଦୁଇ ବରିଷ୍ଠ ଅଧିକାରୀଙ୍କ ଭିତରେ ଯେଉଁଭଳି ଲଢ଼େଇ ଚାଲିଲା, ତାହା ସାରା ଦେଶ ଦେଖିଲା । ବିବାଦ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଗଲା । ଏହା ପରେ ଯିଏ ସିବିଆଇ ଦାୟିତ୍ୱରେ ରହିଲେ, ତାଙ୍କ ଉପରେ ଗତକାଲି ସର୍ବୋଚ୍ଚ ଅଦାଲତ ଯେଉଁଭଳି ଟିପ୍ପଣୀ ଦେଇଛନ୍ତି, ସେଥିରେ ସିବିଆଇକୁ କିଏ ବିଶ୍ୱାସ କରିବ? ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) କାର୍ଯ୍ୟରେ ବି ହସ୍ତକ୍ଷେପ କରାଯାଉଛି । ଏଥିପାଇଁ ଆରବିଆଇ ଗର୍ଭର୍ଣ୍ଣରଙ୍କୁ ପଦ ଛାଡ଼ିବାକୁ ପଡ଼ିଲା । ନିର୍ବାଚନ କମିଶନଙ୍କ କାର୍ଯ୍ୟରେ ବି ହସ୍ତକ୍ଷେପ ପାଇଁ ପ୍ରୟାସ ହୋଇଛି । ନିକଟରେ କୋଲକାତାରେ ଯାହା ହେଲା, ତାହା ଦୁର୍ଭାଗ୍ୟଜନକ । ଯିଏ ବି ଆଇନ ଭାଙ୍ଗିଛି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ହେଲେ ସବୁକିଛି ସମ୍ବିଧାନ ଓ ଆଇନର ପରିଧି ଭିତରେ ହେବା କଥା । ଅନେକ ମାମଲାରେ ବର୍ଷ ବର୍ଷ ଧରି ସିବିଆଇ ତଦନ୍ତ ଚାଲୁଛି । କିଛି ହେଉନି ।
ସେ କହିଲେ, କେନ୍ଦ୍ର ସରକାର କ୍ଷମତାକୁ ଆସିବା ପୂର୍ବରୁ ବଡ଼ବଡ଼ ପ୍ରତିଶ୍ରୁତି ଦେଇଥିଲେ । କହିଥିଲେ, ବିଦେଶରୁ କଳା ଧନ ଫେରାଇ ଆଣିବୁ । ପ୍ରତି ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ । ନିର୍ବାଚନ ପରେ ଜଣାପଡ଼ିଲା, ଏସବୁ ଜୁମ୍‌ଲା ଥିଲା । ଦେଶବାସୀଙ୍କୁ କେନ୍ଦ୍ର ସରକାର ବନାଇଛନ୍ତି । ବର୍ଷକୁ ୨ କୋଟି ଚାକିରି ଦେବାକୁ କହିଥିଲେ । ୫ ବର୍ଷ ସରିବାକୁ ବସିଲାଣି, କେତେ ଚାକିରି ଦେଲେ? ଆଜି ବେକାରୀ ସମସ୍ୟା ୪୫ ବର୍ଷରେ ସର୍ବାଧିକ ସ୍ତରରେ ପହଞ୍ଚିଛି । କୃଷକଙ୍କୁ ଫସଲର ଦେଢ଼ ଗୁଣା ମୂଲ୍ୟ ଦେବାକୁ କହିଥିଲେ । ତାହା ବି କଲେନି । ଧାନ ଏମ୍‌ଏସ୍‌ପି ୨୯୫୦ ଟଙ୍କା କରିବାକୁ ଓଡ଼ିଶା ବିଧାନସଭାରେ ସର୍ବସମ୍ମତି ପ୍ରସ୍ତାବ ପାରିତ ହୋଇଥିଲା । ଏଥିପାଇଁ ଏକ ସ୍ୱତନ୍ତ୍ର କମିଟି ବି ଗଠନ ହୋଇଥିଲା । ମାତ୍ର ଆମ ସହ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀଙ୍କର ସମୟ ନାହିଁ । ଆମ କଥା ନ ଶୁଣି ସେ ଓଡ଼ିଶାବାସୀଙ୍କୁ ଅଣଦେଖା କଲେ । କେନ୍ଦ୍ରରେ କ୍ଷମତାକୁ ଆସିବା ପୂର୍ବରୁ ୨୦୧୪ରେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ, ସେଥିରୁ ଗୋଟିଏ ବି ପାଳନ କରିନାହାନ୍ତି । ଏଭଳି ଭାବେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧରେ ବର୍ଷିଥିଲେ ଶ୍ରୀ ମିଶ୍ର ।