ଓପିଟିସିଏଲ୍ରେ ୯୨ ଇଂଜିନିୟରଙ୍କୁ ନିଯୁକ୍ତ

ଭୁବନେଶ୍ୱର,୧୮ା୧(ବ୍ୟୁରୋ): ଓଡ଼ିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ ଲିମିଟେଡ୍ (ଓପିଟିସିଏଲ୍)ରେ ୯୨ ଜଣ ନୂଆ ଇଂଜିନିୟରଙ୍କୁ ଆଜି ନିଯୁକ୍ତି ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ଉତ୍ସବରେ ନିଯୁକ୍ତିପତ୍ର ବଣ୍ଟନ କରିବା ସହ ନବନିଯୁକ୍ତ ଇଂଜିନିୟରମାନେ ରାଜ୍ୟର ଶକ୍ତି କ୍ଷେତ୍ର ସହ ଓପିଟିସିଏଲକୁ ଆହୁରି ଆଗକୁ ନେବାକୁ ଆହ୍ୱାନ ଦେଇଥିଲେ । ଏ ଅବସରରେ ମୁଖ୍ୟମନ୍ତ୍ରୀ ଇଂଜିନିୟରମାନଙ୍କୁ ଥ୍ରୀ-ଟି (ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି ଓ ଟିମୱାର୍କ)କୁ ଫୋକସ୍ କରି କାମ କରିବାକୁ ପରାମର୍ଶ ଦେଇଛନ୍ତି ।
ନବନିଯୁକ୍ତ ଇଂଜିନିୟରମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କଠିନ ପରିଶ୍ରମର କିଛି ବିକଳ୍ପ ନାହିଁ । ଆମେ ଯଦି ‘ଥ୍ରୀ-ଟି’ ମନ୍ତ୍ରକୁ ଆପଣାଇ କାମ କରିବା, ଜନସାଧାରଣଙ୍କୁ ଗୁଣାତ୍ମକ ଓ ନିରବଛିନ୍ନ ବିଜୁଳି ସେବା ଯୋଗାଇଦେବା । ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ଓପିଟିସିଏଲ୍ରେ ଗୁଣାତ୍ମକ ମାନର ମାନବ ସମ୍ବଳ ନିଯୁକ୍ତ କରାଯାଉଛି । ୨୦୧୦ ପରଠାରୁ ଓପିଟିସିଏଲ୍ ୧୭୫୨ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । ବେକାରୀଙ୍କୁ କର୍ମ ନିଯୁକ୍ତି ଦେବାକୁ ରାଜ୍ୟ ସରକାର ବଦ୍ଧପରିକର ଅଛନ୍ତି ।
ଓପିଟିସିଏଲ୍ ଶକ୍ତି କ୍ଷେତ୍ରରେ ବହୁ କାମ ହାତକୁ ନେଇଛି । ଗ୍ରାମାଞ୍ଚଳ ବିଦ୍ୟୁତକରଣ, ସମନ୍ୱିତ ଶକ୍ତି ବିକାଶ ଯୋଜନା, ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ସିଷ୍ଟମ ଷ୍ଟ୍ରେଙ୍ଗଥେନିଂ ପ୍ରୋଜେକ୍ଟ, ଷ୍ଟେଟ କ୍ୟାପିଟାଲ ରିଜିନ ଇମ୍ପ୍ରୁଭମେଣ୍ଟ ଅଫ ପାୱାର ସିଷ୍ଟମ’ ଏବଂ ଆମ ଘରେ ଏଲ୍ଇଡି ଏସବୁ ଯୋଜନା ଓ କାର୍ଯ୍ୟକ୍ରମକୁ ଓପିଟିସିଏଲ୍ ବେଶ ସଫଳତାର ସହ କାର୍ଯ୍ୟକାରୀ କରୁଥିବାରୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓପିଟିସିଏଲ୍ ଗ୍ରୀଡ ନେଟୱର୍କକୁ ଅଧିକ କରିପାରିଛି । ଗତ ୪ ବର୍ଷରେ ଅଧିକ ୪୨ଟି ଗ୍ରୀଡ ସ୍ଥାପନ କରାଯାଇଛି । ଆସନ୍ତା ୨୦୨୧-୨୨ ସୁଦ୍ଧା ୪୧ଟି ଇଏଚଭି ଗ୍ରୀଡ ସବ୍ଷ୍ଟେସନ ବସାଯିବ ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶକ୍ତି ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେବା ସହ ଶକ୍ତି ବିଭାଗର ସଫଳତା ସଂପର୍କରେ ସୂଚନା ଦେଇଥିଲେ । ଶକ୍ତି କ୍ଷେତ୍ର ସଂପର୍କରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଓପିଟିସିଏଲ୍ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଲାଗୁ କରିଥିବାରୁ ମାନବ ସମ୍ବଳ ନିର୍ଦ୍ଦେଶକ ରାଜେନ୍ଦ୍ର ସେନାପତି ଧନ୍ୟବାଦ ଦେଇଥିଲେ ।