ଭୁବନେଶ୍ୱର,୦୯/୦୧: ଆସନ୍ତା ୧୩ ତାରିଖରୁ ଉତ୍ତରପ୍ରଦେଶର  ପ୍ରୟାଗରାଜରେ ମହାକୁମ୍ଭ ମେଳା  ଆରମ୍ଭ ହେଉଛି । କୁମ୍ଭମେଳାକୁ ତୀର୍ଥଯାତ୍ରୀମାନେ ସହଜରେ ପହଞ୍ଚିବାକୁ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି) ପକ୍ଷରୁ ହାଇ-ଏଣ୍ଡ  ପ୍ରିମିୟମ୍‌ ବସ୍‌ ସେବା ଆରମ୍ଭ ହୋଇଛି । ପୁରୀରୁ ଅଯୋଧ୍ୟାକୁ ବସ୍‌ ଗଡୁଥିବା  ବେଳେ କୁମ୍ଭମେଳା ପାଇଁ ଅନ୍ୟ ୩ଟି  ସହରରୁ ଅଯୋଧ୍ୟାକୁ ଯାତାୟାତ କରିବ ।  

ଆସନ୍ତା ୧୩ରୁ ଫେବ୍ରୁଆରୀ ୨୬  ତାରିଖ ଯାଏଁ ଏହି ସ୍ୱତନ୍ତ୍ର ଭଲ୍‌ଭୋ ବସ  ପୁରୀ, ସମ୍ବଲପୁର, ଭବାନୀପାଟଣା ଓ  ବ୍ରହ୍ମପୁର ସହରରୁ ଉତ୍ତରପ୍ରଦେଶର  ଅଯୋଧ୍ୟାକୁ ଯିବ । ପ୍ରତି ରୁଟ୍‌ରେ ୨ଟି  ଲେଖାଏଁ ବସ୍‌ ଯିବା ଆସିବା ବ୍ୟବସ୍ଥା  ହୋଇଛି । ଯାତ୍ରୀମାନେ osrtc.org ୱେବ୍‌ସାଇଟ୍‌ କିମ୍ବା ଓଏସ୍‌ଆର୍‌ଟିସି ଆପ୍‌  ଜରିଆରେ ଟିକେଟ୍‌ ବୁକିଂ କରି ପାରିବେ ।  ନଚେତ୍‌, ଏସବୁ ବସଷ୍ଟାଣ୍ଡରେ ଥିବା  ଓଏସ୍‌ଆର୍‌ଟିସିର ଟିକେଟ୍‌ କାଉଣ୍ଟରରେ  ମଧ୍ୟ ଟିକେଟ୍‌ କାଟିହେବ । ଯାତ୍ରୀଙ୍କ  ସହାୟତା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ  ନଂ (୧୮୦୦-୩୪୫-୧୧୨୨) ଓ ଏକ  ହ୍ୱାଟସ୍‌ଆପ୍‌ ନଂ (୭୮୪୯୦୦୫୨୨୦୫)  ଜାରି କରାଯାଇଛି ।  

ଓଏସ୍‌ଆର୍‌ଟିସି ପକ୍ଷରୁ ସୂଚନା  ଦିଆଯାଇଛି ଯେ, ମହିଳା ତୀର୍ଥଯାତ୍ରୀଙ୍କ  ପାଇଁ ଟିକେଟ୍‌ ଦର ୫୦ ପ୍ରତିଶତ  କମ ରହିବ। ବସ୍‌ଟି ଅଯୋଧ୍ୟାରେ  ପହଞ୍ଚିବା ପରେ ଗୋଟିଏ ଦିନ ପାଇଁ  ସେଠାରେ ରହିବ । ସେହି ବସ୍‌ରେ ହିଁ  ତୀର୍ଥଯାତ୍ରୀମାନେ ଘରକୁ ଫେରିବେ ।  ବସ୍‌ରେ ସ୍ଲିପର ଓ ସେମି ସ୍ଲିପର ସୁବିଧା  ରହିଛି । ଯାତ୍ରୀମାନେ ମୋବାଇଲ ଚାର୍ଜ  କରିପାରିବେ । ଆରାମଦାୟକ ଯାତ୍ରା ପାଇଁ  ବସ୍‌ ଭିତରେ ସ୍ଲିପର୍‌ ସିଟ୍‌, ମୋବାଇଲ୍‌  ଚାର୍ଜିଂ ପଏଣ୍ଟ ଓ ଉନ୍ନତ ସ୍ଥିରତା ପାଇଁ ଲମ୍ବା  ହ୍ୱିଲ୍‌ ବେସ୍‌ ବ୍ୟବସ୍ଥା ରହିଛି । ଯାତ୍ରୀମାନଙ୍କ  ସୁରକ୍ଷା ପାଇଁ ଅଗ୍ନି ସୁରକ୍ଷା ବ୍ୟବସ୍ଥା,  ଲାଇଭ୍‌ ଯାନ ଟ୍ରାକିଂ, ପ୍ୟାନିକ୍‌ ବଟନ୍‌  ଖଞ୍ଜାଯାଇଛି । ଯଦି ଅଧାବାଟରେ ବସ୍‌ଟି  ଖରାପ ହୋଇଯାଏ, ଆଉ ଏକ ସ୍ପେୟାରିଂ  ବସ୍‌ ଭୁବନେଶ୍ୱରରୁ ଅଘଟଣସ୍ଥଳକୁ  ବାହାରିବ । 

ସୂଚନାଯୋଗ୍ୟ, ଡିସେମ୍ବର ୧୨  ତାରିଖରେ ପ୍ରଥମ ଦଫାରେ ପୁରୀରୁ  ଅଯୋଧ୍ୟା ଧାମ ଓ ପୁରୀରୁ ତିରୁପତିକୁ  ୪ଟି ବସ୍‌ ଗଡି଼ଥିଲା । ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଲୋକସେବା  ଭବନରୁ ଭର୍ଚୁଆଲ୍‌ ମାଧ୍ୟମରେ ଏହାର  ଉଦ୍‌ଘାଟନ କରିଥିଲେ । ସପ୍ତାହକୁ ୨ ଥର  ପୁରୀରୁ ୨ ତୀର୍ଥଧାମକୁ ବସ୍‌ ଯା’ ଆସ  କରୁଛି । ପରବର୍ତ୍ତୀ ସମୟରେ ଇନ୍ଦୋର  ମହାକାଳେଶ୍ୱର, ମଥୁରା, ବୃନ୍ଦାବନକୁ  ମଧ୍ୟ ବସ୍‌ ଗଡି଼ବ ବୋଲି ଯୋଜନା ଥିଲା ।