କଟକ,୨୩/୦୮: ସ୍ପେସାଲ୍‌ ଓଟିଇଟି ପ୍ରଶ୍ନ ଲିକ୍‌ କେଳେଙ୍କାରୀର ଖୋଳତାଡ଼ ପାଇଁ ଗୁରୁବାରଠୁ କ୍ରାଇମବ୍ରାଞ୍ଚ୍‌  ହେପାଜତରେ ଜେରା ହେଉଥିବା ଦୁଇ ଅଭିଯୁକ୍ତଙ୍କ ଦିନିକିଆ  ରିମାଣ୍ଡ୍‌ ଶୁକ୍ରବାର ଶେଷ ହୋଇଛି । ଶିକ୍ଷକ ସଂଘ ନେତା ତଥା  କୋରାପୁଟ ଜିଲ୍ଲା କୁନ୍ଦ୍ରା ଥାନା ସାଗରଗୁଡ଼ା ଗାଁର ସନାତନ  ବିଶୋଇ (୫୧) ଓ ବାଦାମବାଡ଼ି ନାରାୟଣ ଲେନ୍‌ର ଦଲାଲ୍‌  ରାମଜୀ ପ୍ରସାଦ ଗୁପ୍ତା (୫୧)ଙ୍କର ରିମାଣ୍ଡ୍‌ ଶେଷ ପରେ  କଟକ ଜେଏମ୍‌ଏଫ୍‌ସି-୩ଙ୍କ କୋର୍ଟରେ ଉଭୟଙ୍କୁ ହାଜର  କରାଯାଇଥିଲା । ପରେ ଦୁଇ ଜଣଙ୍କୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଛି । ସ୍ୱତନ୍ତ୍ର ଓଟିଇଟି ଦେଉଥିବା ଦକ୍ଷିଣ ଓଡ଼ିଶାର  ଅଧିକାଂଶ ଶିକ୍ଷକଙ୍କୁ ପାସ୍‌ କରାଇବାର ଦାୟିତ୍ୱ ସନାତନ ନିଜେ  ନେଇଥିଲା ବୋଲି ଜେରା ବେଳେ କ୍ରାଇମ୍‌ବ୍ରାଞ୍ଚ୍‌ ଜାଣିବାକୁ ପାଇଛି ।  

କୋରାପୁଟ ଜିଲ୍ଲାର ଏକ୍ସ କ୍ୟାଡର୍‌ ଶିକ୍ଷକ ନେତା ସନାତନ  ବିଶୋଇ ପୂର୍ବରୁ ବହୁଥର ଓଟିଇଟି ପ୍ରଶ୍ନ ହାତେଇବା ପାଇଁ ଉଦ୍ୟମ  କରି ସଫଳ ହୋଇନଥିଲା । କିଛି ଦିନ ହେବ ସେ ରାୟଗଡ଼ାର ଶିକ୍ଷକ ନେତା ତଥା ମାମଲାର ଅନ୍ୟତମ ଅଭିଯୁକ୍ତ ବିଜୟ ମିଶ୍ରଙ୍କ  ସହିତ ଯୋଗାଯୋଗରେ ରହି ଚଳିତବର୍ଷ ପ୍ରଶ୍ନ ମିଳିବା ନେଇ ଏକପ୍ରକାର ନିଶ୍ଚିତ ହୋଇଥିଲା । ଏହା ପରେ ସେ ନିଜ ଲିଙ୍କ୍‌ରେ  ଥିବା ଦକ୍ଷିଣ ଓଡ଼ିଶାର ଶତାଧିକ ଶିକ୍ଷକଙ୍କୁ ପ୍ରଶ୍ନ ବିକିଥିବା ବା ଦେଇଥିବା ଜେରା ବେଳେ ସ୍ୱୀକାର କରିଛି । କିଛି ଶିକ୍ଷକଙ୍କଠାରୁ ପଇସା ସେ ପ୍ରଥମେ ଆଣିଥିଲା ଓ ପରେ ଅନ୍ୟ ଶିକ୍ଷକଙ୍କଠାରୁ ପଇସା ଆଣି ବିଜୟ ମିଶ୍ରଙ୍କୁ ଦେବ ବୋଲି ଭରସା ଦେଇଥିଲା ।  

ଅନ୍ୟପଟେ ଅଭିଯୁକ୍ତ ପେସାଦାର ଦଲାଲ୍‌ ରାମ୍‌ଜୀର ଦଲାଲି ପେଡ଼ି ଧୀରେ ଧୀରେ ଖୋଲିବାରେ ଲାଗିଛି । ସେ ପ୍ରଶ୍ନପତ୍ର କାରବାର ତଥା ଚାକିରି କରାଇଦେବା ଭଳି କାମରେ ସବୁବେଳେ ଦଲାଲି କରିଥାଏ । ବିଭିନ୍ନ ବିଶ୍ୱବିଦ୍ୟାଳୟ, ସରକାରୀ ବୋର୍ଡ ଓ ସରକାରୀ ପରିଷଦରୁ କିଭଳି ପ୍ରଶ୍ନ ହାତେଇ ତାହାକୁ ବିକ୍ରି କରିବ ସେଥିପାଇଁ ସବୁବେଳେ  ଉଦ୍ୟମ କରୁଥାଏ । ତାର ବହୁ ସରକାରୀ ଅଫିସ୍‌ରେ ପରିଚିତ  ଲୋକ ଥିବାରୁ ତାଙ୍କୁ ହାତ କରି ସେ ପ୍ରଶ୍ନପତ୍ର ହାତେଇଥାଏ ବୋଲି ସଙ୍ଗିନ ବିଷୟ ଜେରା ବେଳେ ଜଣାପଡ଼ିଛି । ଗୁରୁତ୍ୱପୂର୍ଣ୍ଣ ହେଉଛି,  ଆର୍‌ଆଇ-ଅମିନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ରେ ମଧ୍ୟ ତାର ଲିଙ୍କ୍‌ ଥିବା  କ୍ରାଇମ୍‌ବ୍ରାଞ୍ଚ୍‌ ଜାଣିବାକୁ ପାଇଛି । ତେଣୁ ରାମ୍‌ଜୀ ଗୁପ୍ତାର କାରନାମାକୁ  ନେଇ ସ୍ୱତନ୍ତ୍ର ଭାବେ ଯାଞ୍ଚ୍‌ କରାଯିବ ବୋଲି ସୂଚନା ମିଳିଛି । 

ସୂଚନାଯୋଗ୍ୟ, ସ୍ପେସାଲ୍‌ ଓଟିଇଟି ପ୍ରଶ୍ନପତ୍ର ଲିକ୍‌  ଘଟଣାରେ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର୍‌ ଜିତନ୍‌ ମହାରଣା  ଓ ଶିକ୍ଷକ ବିଜୟ ମିଶ୍ରଙ୍କୁ ରିମାଣ୍ଡ୍‌ରେ ଆଣି କ୍ରାଇମ୍‌ବ୍ରାଞ୍ଚ୍‌ ଜେରା  କରିଥିଲା । ଏହି କ୍ରମରେ ଖିଅ ଯୋଡ଼ିବାକୁ ସନାତନ ଓ  ରାମ୍‌ଜୀକୁ ତଦନ୍ତକାରୀ ଟିମ୍‌ ଦିନିକିଆ ରିମାଣ୍ଡ୍‌ରେ ଆଣିଥିଲା ।