କଟକ,୧୪/୦୮: ସ୍ପେସାଲ୍‌ ଓଟିଇଟି ପ୍ରଶ୍ନ ଲିକ୍‌ ଘଟଣାରେ ଜେରା ପାଇଁ ଦୁଇ  ଦିନିଆ ରିମାଣ୍ଡ୍‌ରେ ଆସିଥିବା ଡାଟା ଏଣ୍ଟ୍ରି ଅପରେଟର୍‌ ଜିତନ ମହାରଣା ଓ ରାୟଗଡ଼ା  ଜିଲ୍ଲାର ଏକ୍ସ କ୍ୟାଡ୍‌ର ଶିକ୍ଷକ ସଂଘ ସଭାପତି ବିଜୟ ମିଶ୍ରଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ବୁଧବାର  ଚୌଦ୍ୱାର ଜେଲ୍‌ରେ ନେଇ ଛାଡ଼ିଛି । ଦୁଇ ଦିନିଆ ରିମାଣ୍ଡ୍‌ ଅବଧିର ଶେଷ ପର୍ଯ୍ୟାୟରେ  ଜିତନ୍‌କୁ କ୍ରାଇମ୍‌ବ୍ରାଞ୍ଚ୍‌ ଅଧିକାରୀମାନେ ଏମିତି ଘେରି ଯାଇ ଜେରା କରିଥିଲେ ଯେ  ପ୍ରଶ୍ନ ଲିକ୍‌ ଘଟଣାରେ ସେ ଗିରଫ ହେବା ଦିନୁ ଛପାଇ ରଖିଥିବା ସତ ଓକାଳିଛି । 

ଅଭିଯୁକ୍ତଠାରୁ ସୂଚନା ପାଇବା ପରେ ପ୍ରମାଣ ସଂଗ୍ରହ କରିବା ପାଇଁ ତଦନ୍ତକାରୀ  ଅଧିକାରୀ ସରୋଜ ମହାନ୍ତ ଓ ତାଙ୍କ ଟିମ୍‌ ଜିତନକୁ ରାତାରାତି ନେଇ ବୋର୍ଡ  କାର୍ଯ୍ୟାଳୟରେ ପହଞ୍ଚିଥିଲେ । କଣ୍ଟ୍ରୋଲର୍‌ଙ୍କ ପ୍ରକୋଷ୍ଠରେ ଜିତନ ନିଜ ଅକ୍ତିଆରରେ  ରଖିଥିବା ଏକ ନୂଆ କମ୍ପ୍ୟୁଟରକୁ କ୍ରାଇମ୍‌ବ୍ରାଞ୍ଚ୍‌ ଜବତ କରି ନିଜ ହେପାଜତକୁ ନେଇଛି ।  ଉକ୍ତ ନୂଆ କମ୍ପ୍ୟୁଟରକୁ ଜିତନ୍‌ ପାସ୍‌ୱାର୍ଡ ପକାଇ ଏକା ବ୍ୟବହାର କରୁଥିଲା ।  ସେହିପରି ଉକ୍ତ ଅଫିସରେ ଜିତନ ଲୁଚାଇ ରଖିଥିବା ମାଳମାଳ ପେନ୍‌ ଡ୍ରାଇଭ୍‌ ବି  ତଦନ୍ତକାରୀ ଟିମ୍‌ ଜବତ କରିଛି । ଉକ୍ତ କମ୍ପ୍ୟୁଟରରେ ସେ ସିକ୍ରେଟ୍‌ ଲକ୍‌ ପକାଇ  ଗୋପନୀୟ ଭାବେ ବ୍ୟବହାର କରୁଥିଲା  ବୋଲି ଜଣାପଡ଼ିଛି ।  

ଅନ୍ୟପକ୍ଷରେ ପ୍ରଶ୍ନ ଚୋରି କରିଥିବା  ପେନ୍‌ ଡ୍ରାଇଭ୍‌କୁ କାଠଯୋଡ଼ିରେ ଫିଙ୍ଗି ଦେଇଥିବା ଜିତନ ଆଗରୁ କହୁଥିବା  ବେଳେ ଅଫିସ୍‌ରୁ ପୁଳାପୁଳା ପେନ୍‌ ଡ୍ରାଇଭ୍‌ ମିଳିବା ଚର୍ଚ୍ଚାର ବିଷୟ ହୋଇଛି । ଗିରଫ ଉପସଭାପତି ନିହାର ରଂଜନ  ମହାନ୍ତିଙ୍କ ପ୍ରକୋଷ୍ଠରୁ ଲାପଟପ୍‌ ଓ କମ୍ପ୍ୟୁଟରରୁ ଜିତନ ବିଭିନ୍ନ ସମୟରେ ପେନ୍‌ ଡ୍ରାଇଭ୍‌ରେ ପ୍ରଶ୍ନ ପ୍ରସ୍ତୁତି, ପରୀକ୍ଷା ପରିଚାଳନା, ମୂଲ୍ୟାୟନ ପ୍ରକ୍ରିୟାର ତଥ୍ୟ  ନେଇଥାଏ ବୋଲି କ୍ରାଇମ୍‌ବ୍ରାଞ୍ଚ୍‌ ଆଗରେ  ସ୍ୱୀକାର କରିଛି । ସ୍କାନର୍‌ରେ ଥିବା ମହିଳା ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ୍‌  ଦୁଇ ଦିନ ହେଲା ମାରାଥନ୍‌ ଜେରା କରିଛି ।  

ଉପସଭାପତିଙ୍କ ପ୍ରକୋଷ୍ଠରେ କାର୍ଯ୍ୟରତ ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ସହ  ଜିତନ୍‌ର ସମନ୍ୱୟ ଭଲ ଥିଲା । ଦୁଇ ଜଣଙ୍କ ମଧ୍ୟରେ ଯୋଗାଯୋଗ ଥିଲା ବୋଲି  ଜଣେ ତଦନ୍ତକାରୀ ଅଫିସର କହିଛନ୍ତି । ଏଥିଲାଗି ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ଜିତନର  ରିମାଣ୍ଡ୍‌ ସମୟରେ କ୍ରାଇମ୍‌ବ୍ରାଞ୍ଚ୍‌କୁ ଡକାଯାଇ ମୁହାଁମୁହିଁ ଜେରା କରାଯାଇଥିଲା । ବୋର୍ଡ  କାର୍ଯ୍ୟାଳୟରୁ ଜିତନ ବ୍ୟବହାର କରୁଥିବା କମ୍ପ୍ୟୁଟର ଓ ଏକାଧିକ ପେନ୍‌ ଡ୍ରାଇଭ୍‌  ମିଳିଥିବାରୁ ଏଥିରୁ ଅନେକ ପ୍ରମାଣ ମିଳିବ ବୋଲି କ୍ରାଇମ୍‌ବ୍ରାଞ୍ଚ୍‌ ଆଶା କରୁଛି ।  

ନିଲମ୍ବିତ ଉପସଭାପତି ନିହାର ମହାନ୍ତିଙ୍କ ଜାଣତରେ ବୋର୍ଡରେ ପରୀକ୍ଷା  ସମ୍ପର୍କିତ ଅନେକ କାର୍ଯ୍ୟ ଜିତନ କରୁଥିବା କ୍ରାଇମ୍‌ବ୍ରାଞ୍ଚ୍‌ ଜାଣିବା ପରେ ବୋର୍ଡର  ଆଉ କିଛି କର୍ମଚାରୀଙ୍କ ଉପରେ ସନ୍ଦେହ ବଢ଼ିଛି । ସେହିପରି ଜବତ ହୋଇଥିବା  ଜିତନର କମ୍ପ୍ୟୁଟର ଓ ଲାପ୍‌ଟପ୍‌ରୁ ମଧ୍ୟ ଅନେକ ତଥ୍ୟ ମିଳିପାରେ ବୋଲି  ତଦନ୍ତକାରୀ ଅଫିସର କହିଛନ୍ତି । କ୍ରାଇମ୍‌ବ୍ରାଞ୍ଚ୍‌ର ଏସବୁ ତଦନ୍ତ ଓ ପ୍ରମାଣ ଖୋଜା  ମଧ୍ୟରେ ପୂର୍ବତନ ଉପସଭାପତି ନିହାରଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ରିମାଣ୍ଡ୍‌ରେ ଆଣି ଜେରା  କରି ଆଉ କିଛି ତଥ୍ୟ ବାହାର କରିବା ପାଇଁ ଯୋଜନା ରଖିଥିବା ଜଣାପଡ଼ିଛି । ଗିରଫ  ହେବାର ୭ ଦିନରୁ ୩୦ ଦିନ ମଧ୍ୟରେ ତଦନ୍ତକାରୀ ଅଫିସର ଯେତେବେଳେ  ଚାହିଁବେ କୋର୍ଟଙ୍କ ଅନୁମତି ନେଇ ଅଭିଯୁକ୍ତଙ୍କୁ ରିମାଣ୍ଡ୍‌ରେ ଆଣିପାରିବେ,  ଏଣୁ ସେ ଦିଗରେ ଯୋଜନା କରାଯାଉଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।