କଟକ,୧୧/୦୮: ସ୍ପେସାଲ୍‌ ଓଟିଇଟି ପ୍ରଶ୍ନ ଲିକ୍‌ ଘଟଣା। ଆଜି ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଓ ରାୟଗଡ଼ା ଜିଲ୍ଲାର ଏକ୍ସକ୍ୟାଡର୍‌ ଶିକ୍ଷକ ସଂଘ  ନେତା  ବିଜୟ କୁମାର ମିଶ୍ରଙ୍କୁ ରିମାଣ୍ଡରେ ଆଣିବ କ୍ରାଇମ୍‌ବ୍ରାଞ୍ଚ। ପ୍ରଶ୍ନପତ୍ର ଲିକ୍ ନେଇ ଉଭୟଙ୍କୁ ମାରାଥନ ପ୍ରଶ୍ନ କରିବ ତଦନ୍ତକାରୀ ଟିମ୍। ପ୍ରଶ୍ନପତ୍ର ଲିକ୍ ସିଣ୍ଡିକେଟ୍‌ର ଖୋଲିପାରେ ରହସ୍ୟ। ଏଥିରେ ଆଉ କେଉଁମାନେ ସଂପୃକ୍ତି ଅଛନ୍ତି  ତାହାକୁ ନେଇ ଅଧିକ ତଥ୍ୟ ଉଗାଳିବ କ୍ରାଇମ୍‌ବ୍ରାଞ୍ଚ। 

କଟକ ଜେଏମ୍‌ଏଫ୍‌ସି-୩ କୋର୍ଟରୁ ଅନୁମତି ମିଳିଥିବାରୁ ଅଭିଯୁକ୍ତ ଦ୍ୱୟଙ୍କୁ ଅଧିକ ପଚରା ଉଚରା କରିବା ଲାଗି ଆବଶ୍ୟକ ତଥ୍ୟ ପ୍ରମାଣ ସଂଗ୍ରହ କରିବାକୁ  କ୍ରାଇମବ୍ରାଞ୍ଚ ଟିମ୍‌ ସେମାନଙ୍କୁ ଚୌଦ୍ୱାର ଜେଲ୍‌ରୁ ଆଣିବେ । ଏହି ଦୁଇ ଦିନିଆ ରିମାଣ୍ଡ  ଅବଧି ମଧ୍ୟରେ ଜିତନ ଓ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ଲିଙ୍କ୍‌ର ଖୋଳତାଡ଼  ହେବ । 

ସେହିପରି ବିଜୟ ମିଶ୍ରଙ୍କୁ ମଧ୍ୟ ଜେରା କରାଯିବ । ରିମାଣ୍ଡ୍‌ରେ ଆସୁଥିବା ଦୁଇ  ଅଭିଯୁକ୍ତଙ୍କୁ କିଏ କ’ଣ ପଚାରିବେ ତାହାର ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି । ଡିଆଇଜି ବାତୁଲା  ଗଙ୍ଗାଧରଙ୍କ ତତ୍ତ୍ୱାବଧାନରେ ଜେରା କରାଯିବ । ତଦନ୍ତକାରୀ ଅଫିସରଙ୍କ ସମେତ କ୍ରାଇମବ୍ରାଞ୍ଚ ଏସ୍‌ପି, ଅତିରିକ୍ତ ଏସ୍‌ପି ଓ ମହିଳା ଇନ୍ସପେକ୍ଟରଙ୍କୁ ମିଶାଇ ଟିମ୍‌ରେ ୬ ଜଣ ଅଫିସର  ଅଛନ୍ତି । ଦୁଇ ଦିନିଆ ରିମାଣ୍ଡ ଅବଧି ମଧ୍ୟରେ ଓଟିଇଟି ପ୍ରଶ୍ନ ଚୋରି ଓ ବିକ୍ରି ଆଦି ଘଟଣା  ବାବଦରେ ଆଉ କିଛି ଭିତିରି ତଥ୍ୟ ସଂଗ୍ରହ କରିବ ବୋଲି କ୍ରାଇମ୍‌ବ୍ରାଞ୍ଚକୁ ଯୋଜନା ରଖିଛି । 

ସେହିପରି ନିହାରଙ୍କ ଲାପ୍‌ଟପ୍‌ରୁ ପ୍ରଶ୍ନ ଚୋରି ଘଟଣାରେ ବୋର୍ଡ କର୍ମଚାରୀ ଜିତନ,  ଉପଭାପତି ନିହାରଙ୍କ ସମେତ ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ହେଁ ଆଗକୁ  ଏହି ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କ୍ରାଇମବ୍ରାଞ୍ଚ୍‌ର ଜଣେ ଅଧିକାରୀ  କହିଛନ୍ତି। ନିହାର-ଜିତନ ଯୋଡ଼ିଙ୍କ କଳାକାରନାମାରେ ଆଉ କେଉଁମାନେ ସାମିଲ୍‌ ଅଛନ୍ତି  ତାହା ଜାଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚ୍‌ ବିଭିନ୍ନ ଜିଲ୍ଲାରେ ଶିକ୍ଷକ ସଂଘ ନେତାଙ୍କ ସହିତ ବୋର୍ଡର  ବହୁ କର୍ମଚାରୀଙ୍କୁ ପଚରାଉଚରା କରି ସେମାନଙ୍କ ବୟାନ ରେକର୍ଡ କରିଛି । ଏବେ ନିହାରଙ୍କ  ଆର୍ଥିକ କାରବାର ସଂକ୍ରାନ୍ତୀୟ ତଥ୍ୟ ଜାଣିବା ପାଇଁ ତଲାସି ଅଭିଯାନ ଚଳାଇଛି । ଦୁଇ ଅଭିଯୁକ୍ତ ରିମାଣ୍ଡ୍‌ରେ ଆସୁଥିବାରୁ ବୋର୍ଡ କର୍ମଚାରୀଙ୍କ ମନରେ ଛନକା ପଶିଛି ।