ଭୁବନେଶ୍ୱର, ୧୨/୦୫: ‘ବ୍ରଏଲର’, ସାଧାରଣତଃ ଏମାନେ ତୋଫାଧଳା ବୋଲି ଆମେ ଦେଖୁ । ହେଲେ ଏ ବ୍ରଏଲର ଧଳା ନୁହେଁ, ରଙ୍ଗୀନ । ଦେଖିବାକୁ ପୂରା ଅଷ୍ଟ୍ରେଲିଆ ବାର୍ଡ ଭଳି । ଦେଖିବାକୁ ଯେମିତି ଗୁଣ ବି ସେମିତି । ରୋଗବୈରାଗ୍ୟ ହେବନି । ମାଂସ ବି ଭାରି ସୁଆଦିଆ । ଆଉ କେଉଁଠି ନୁହେଁ, ଆମ ରାଜ୍ୟ ଓଡ଼ିଶାରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ କରିଦେଖାଇଥିଲା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) । ଓୟୁଏଟି କଳିଙ୍ଗ ପଲ୍ଲିଶ୍ରୀ ନାମକ ଏକ ଉନ୍ନତମାନର ରଙ୍ଗୀନ ଉତ୍ପାଦନ କରିଥିଲା । ଯାହାକୁ ନେଇ ରାଜ୍ୟର ଗୌରବ ସାରା ଦେଶରେ ଉଚ୍ଚା ରହିଥିଲା । ଏହି ଉନ୍ନତମାନର ବ୍ରଏଲର ଏବେ ହଜିଯିବାକୁ ବସିଛି । କାରଣ ଏହାର ନା ସଂରକ୍ଷଣ ରହିଛି ନା ଆବଶ୍ୟକ ସଂଖ୍ୟାରେ ଉତ୍ପାଦନ । ଫଳରେ ଏହାର ଭବିଷ୍ୟତ ଏବେ ଅନ୍ଧାର ହୋଇପଡ଼ିଛି । ଦେଶରେ ପ୍ରଥମ କରି ଓଡ଼ିଶା ଏହି ରଙ୍ଗୀନ ବ୍ରଏଲର ସୃଷ୍ଟି କରିଥିଲା । ଏବେ ସରକାର ଏହି ବ୍ରଏଲର ପ୍ରଜାତିଙ୍କୁ ସଂରକ୍ଷଣ କରନ୍ତୁ ।
ଏହି ରଙ୍ଗୀନ ବ୍ରଏଲର ଓୟୁଏଟି କଳିଙ୍ଗ ପଲ୍ଲିଶ୍ରୀ ପଛରେ ଅନେକ ପରିଶ୍ରମ ହୋଇଛି । କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ନେତୃତ୍ୱ ଓ ତତ୍କାଳୀନ ବୈଜ୍ଞାନିକ ତଥା ପ୍ରଫେସର ସୁଶାନ୍ତ ଦାସଙ୍କ ତତ୍ତ୍ୱାବଧାନରେ ଏହି କାମ ହୋଇଥିଲା । ୨୦୨୨ରେ ଏହି ସିନ୍ଥେଟିକ ବ୍ରିଡ୍ ବିକଶିତ ହୋଇଥିଲା । ପ୍ରଫେସର ଦାସ ବରେଲିରୁ ଦୁଇପ୍ରକାର ଜେନେଟିକ୍ ଅଣ୍ଡା ଆଣଥିଲେ । ଯାହାକୁ ଲ୍ୟାବ୍ରେ ପ୍ରକ୍ରିୟା କରାଯାଇ ଛୁଆ ବାହାର କରାଯାଇଥିଲା । ପରେ ଏମାନଙ୍କଠାରୁ ଆସିଥିବା ଛୁଆଙ୍କୁ ମିଶାଯାଇ ଏଭଳି ବ୍ରଏଲର ଉତ୍ପାଦନ କରାଯାଇଥିଲା । ସାଧାରଣ ବ୍ରଏଲର ତୁଳନାରେ ଏହି ରଙ୍ଗୀନ ବ୍ରଏଲର ଅଧିକ ଓଜନ(ଏଫ୍ସିଆର୍) ଥାଏ ।
ଅତଏବ: ସାଧାରଣ ବ୍ରଏଲରର ଓଜନ ଯଦି ୧.୭ କିଗ୍ରା ହେବ ତେବେ ରଙ୍ଗୀନ ବ୍ରଏଲରର ଓଜନ ୧.୮ କିଗ୍ରା ହେବ । ହେଲେ ରଙ୍ଗୀନ ବ୍ରଏଲର ୨.୫୦ କିଗ୍ରା ପର୍ଯ୍ୟନ୍ତ ହୋଇପାରିବ । ଯାହା କୌଣସି ବି ବ୍ରଏଲରର ସର୍ବାଧକ ଓଜନ। ଏହି ବ୍ରଏଲର ଜନ୍ମରୁ ୩୫ଦିନ ମଧ୍ୟରେ ବିକଶତ ହେବ ବା ବିକ୍ରି ଯୋଗ୍ୟ ହେବ । ଏହାର ରୋଗପ୍ରତିରୋଧକ ଶକ୍ତି ବି ଅଛି । ଫଳରେ ଜ୍ୱର, ଝାଡ଼ା କିମ୍ବା ବାର୍ଡଫ୍ଲୁ ବି ସହଜରେ ଆକ୍ରାନ୍ତ କରିପାରିବନି । ଏଣୁ ଚାଷ ଦୃଷ୍ଟିରୁ ଏହା ଏକ ଲାଭଜନକ ବ୍ରଏଲର । ଯେଉଁ ସମୟରେ ଓୟୁଏଟି ଏହି ବ୍ରଏଲର ସୃଷ୍ଟି କଲା, ସେସମୟରେ କୁଳପତି ପ୍ରଥମେ ଚାଷୀଙ୍କୁ ଏହାର ବ୍ରିଡ୍ ପ୍ରଦାନ କରିଥିଲେ । ଏକ ବିଶ୍ୱାସ ଜନ୍ମିଥିଲା ଯେ ଓଡ଼ିଶା ମାଂସ ଉତ୍ପାଦନରେ ଦେଶରେ ଅଗ୍ରଣୀ ହେବ ।
ଯେଉଁ ମାଂସ ଅଣ୍ଟୁନି ବୋଲି କହୁଛେ, ଏହାର ଅଭାବ ଦୂର ହେବ । ଏହାକୁ ନଜରରେ ରଖି ଓୟୁଏଟି ଭୁବନେଶ୍ୱରରେ ହିଁ ଏହାର ଉତ୍ପାଦନ କରୁଥିଲା । ବର୍ଷକୁ ୨୦ହଜାର ବ୍ରିଡ୍ ଉତ୍ପାଦନ କରାଯାଇ ଜିଲ୍ଲାସ୍ତରୀୟ କୃଷି ବିଜ୍ଞାନ କେନ୍ଦ୍ର(କେଭିକେ) ଙ୍କୁ ପ୍ରଦାନ କରାଗଲା । କେଭିକେ ଗାଁ ଗାଁରେ ଚାଷୀଙ୍କୁ ଚିଆଁ ଯୋଗାଇଥିଲା । ଏଭଳି ଭାବରେ ପ୍ରାୟ ଦୁଇବର୍ଷ ପର୍ଯ୍ୟନ୍ତ ଠିକ୍ ଠାକ୍ ଚାଲିଥିଲା । ହେଲେ ଏବେ ଉତ୍ପାଦନ ଧିମେଇ ଯାଇଛି । ଆଖି ଦୃଶିଆ ଉତ୍ପାଦନ ନାହିଁ । ସେଥିପାଇଁ କେଭିକରେ ଆଉ ଏହି ଚିଆଁ ମିଳୁନି ବୋଲି ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ :- Nitin Naveen Odisha visit : ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ କାର୍ଯ୍ୟାଳୟରେ ବଡ଼ ବୈଠକ
ପ୍ରାକ୍ତନ ଜେନେଟିକ ବିଭାଗର ମୁଖ୍ୟ ପ୍ର. ଦାସ କହିଛନ୍ତି, ଏହା ଓୟୁଏଟି ପାଇଁ ଏକ ବିରାଟ ସଫଳତା ଥିଲା । ଏହାର ଉଦ୍ଦେଶ୍ୟ ହେଉଛି, କୁକୁଡ଼ା ଚାଷୀଙ୍କୁ ସ୍ୱାବଲମ୍ବୀ କରିବା । ଏହା ଏକ ଅର୍ଥକାରୀ ପକ୍ଷୀ ମଧ୍ୟ । ହେଲେ ଏବେ କୁଆଡ଼େ ଶୁଣିବାକୁ ମିଳୁଛି ଯେ, ଉତ୍ପାଦନ କମିଛି । ଆଗଭଳି ହେଉନି । ଜିଲ୍ଲାସ୍ତରକୁ ଅଣ୍ଡା କି ଚିଆଁ ଯାଉନି । ଏମିତି ହେଲେ ଇଏ ଯୋଜନା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ହେଲେ ଏହାକୁ ଖଣ୍ଡନ କରିଛି ଓୟୁଏଟି । ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଏମିତି ହୋଇନି । ଓୟୁଏଟି କଳିଙ୍ଗ ପଲ୍ଲିଶ୍ରୀର ଉତ୍ପାଦନ ହେଉଛି । ହେଲେ ଆମେ ଉତ୍ପାଦନରେ ପଛେଇଛୁ । ହେଲେ ଯୋଜନା ଚାଲିଛି, ଆଗକୁ ଉତ୍ପାଦନ ବଢ଼ିବ, ସେଦିଗରେ କାମ ଚାଲିଛି ।