ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଓୟୁଏଟିରେ ବ୍ୟାପିଲା ଜଣ୍ଡିସ୍‌, ଦୁଇ ଡଜନରୁ ଅଧିକ ଛାତ୍ରଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ

Published By : Prameya | November 12, 2024 8:57 AM

ଭୁବନେଶ୍ୱର,୧୨/୧୧: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ  (ଓୟୁଏଟି)ରେ ବ୍ୟାପିଲାଣି ଜଣ୍ଡିସ୍‌ ।  ଚିନ୍ତାରେ ଓୟୁଏଟି କର୍ତ୍ତୃପକ୍ଷ । କାରଣ  ଦୁଇ ଡଜନରୁ ଅଧିକ ଛାତ୍ରଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ହୋଇ ସାରିଲେଣି ।  କିଛି ଛାତ୍ରଛାତ୍ରୀ ଔଷଧ ଖାଇ ଭଲ ହେଲେଣି ତ ଆଉ କିଛି ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତି । 

ଓୟୁଏଟି କିଛି କର୍ମଚାରୀ ପିଇବା ପାଣି ଦୋଷ ଦେଉଛନ୍ତି ତ ଆଉ କିଛି  ଖାଦ୍ୟ ଉପରେ ଦୋଷ ଦେଉଛନ୍ତି ।  ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଲାଗି  ଓୟୁଏଟି ଅଧିକାରୀ ଗ୍ରୁପରେ ମେସେଜ୍‌  ବି କରୁଛନ୍ତି । କିଛି ଛାତ୍ରଛାତ୍ରୀଙ୍କୁ ତାଗିଦ୍‌ କରାଯାଉଛି ସବୁ କର କିନ୍ତୁ ବାହାରେ  ଯେମିତି କଥା ପ୍ରଘଟ ନହେଉ ।  ଅଭିଭାବକମାନଙ୍କୁ ମଧ୍ୟ କଥା ବାହାରକୁ  ଯେମିତି ନଯାଉ ତାଗିଦ୍‌ କରାଯାଉଛି ।  ଯିଏ ଚାହୁଁଛ ନିଜ ସୁରକ୍ଷା ଦୃଷ୍ଟିରୁ ଘରକୁ  ମଧ୍ୟ ଯାଇପାର ବୋଲି ପରାମର୍ଶ ବି  ଦେଉଛନ୍ତି । ବିଶେଷ କରି ହଷ୍ଟେଲର  ଛାତ୍ରୀମାନେ ପ୍ରଭାବିତ ହୋଇଥିବା  ଜଣାପଡ଼ିଛି । ଓୟୁଏଟିରେ ଛାତ୍ରାବାସ  ୮ଟା ଏବଂ ଛାତ୍ରୀନିବାସ ୯ଟା ରହିଛି ।  ସେଥିରୁ ଦୁଇଟା ହଷ୍ଟେଲରେ ଜଣ୍ଡିସ୍‌  ବ୍ୟାପିଥିବା ସୂଚନା ମିଳିଛି । କିନ୍ତୁ ଏହି  ବିଷୟରେ ଓୟୁଏଟି ଅଧିକାରୀଙ୍କ ସହ  ଆଲୋଚନା କରିବାକୁ ଚାହିଁବାରୁ କିଛି  ଜଣ ଫୋନ୍‌ ଉଠାଇଲେ ନାହିଁ । ଯିଏ  ଫୋନ୍‌ ଉଠାଇଲେ ଏ ବିଷୟରେ  ଅବଗତ ନଥିବା ସୂଚନା ଦେଲେ । 

ଓୟୁଏଟିର ଗୋଲଡେନ୍‌ ଜୁବୁଲି  କମ୍ପେ୍ଲକସ୍‌ରେ ଥିବା ହଷ୍ଟେଲର ପିଲାଙ୍କୁ ଜ୍ୱର ହେବା ଆରମ୍ଭ ହେଲା । ମେଡିସନ୍‌ ଖାଇଲେ ମଧ୍ୟ ଜ୍ୱର କମିଲା  ନାହିଁ । ଆଖି, ନଖ ଓ ଦେହ ହଳଦିଆ  ପଡ଼ିବାକୁ ଲାଗିଲା । ଡାକ୍ତରଙ୍କ ସହ  ପରାମର୍ଶ କରିବା ପରେ ଜଣ୍ଡିସ୍‌ରେ  ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଲେ  ଛାତ୍ରଛାତ୍ରୀ । ଏହା ଦିନକୁ ଦିନ ଅଧିକ  ବ୍ୟାପିବାରେ ଲାଗିଛି । ଗୋଲଡେନ୍‌  ଜୁବଲି କମ୍ପେ୍ଲକସରେ ଥିବା ୬ଟି  ବିଲଡିଂରୁ ଦୁଇଟିରେ ଛାତ୍ରୀମାନଙ୍କୁ  ଜଣ୍ଡିସ୍‌ ହୋଇଥିବା ସୂଚନା ମିଳିଛି ।  ପାଖାପାଖି ୧୨ରୁ ଅଧିକ ପିଲା ଚିହ୍ନଟ  ହୋଇଥିବା ଏଠାରେ ଥିବା କିଛି ଛାତ୍ରୀ  ଆଲୋଚନା କରୁଥିବା ବେଳେ ଏହାର  ସଂଖ୍ୟା କିନ୍ତୁ ୩୦ରୁ ଅଧିକ ଥିବା  ଅଭିଭାବକ ଏବଂ ଅନ୍ୟ ହଷ୍ଟେଲର  ପିଲାମାନେ କହୁଛନ୍ତି । 

ଜଣ୍ଡିସ୍‌ ବ୍ୟାପିବା କାରଣରୁ ଓୟୁଏଟି ଅଧିକାରୀ ବ୍ୟସ୍ତ ହୋଇ  ପଡ଼ିଛନ୍ତି । ସକାଳୁ ରାତି ଯାଏ ଚାଲୁଛି  ଘନ ଘନ ମିଟିଂ । କିଏ ହଷ୍ଟେଲ ପରିସର ବୁଲି ତଦାରଖ କରୁଛନ୍ତି  ତ ଆଉ କିଏ ଛାତ୍ରଛାତ୍ରୀଙ୍କୁ ବାହାର ଖାଦ୍ୟ ନ ଖାଇବାକୁ ତାଗିଦ୍‌ କରୁଛନ୍ତି ।  ଅଭିଯୋଗ ହୁଏ, ହଷ୍ଟେଲ ପାଣିଟାଙ୍କି ବର୍ଷ ବର୍ଷ ଧରି ସଫା ହୋଇନାହିଁ । ଏବେ ଏହାକୁ ସଫା କରିବା ଚିନ୍ତା କର୍ତ୍ତୃପକ୍ଷଙ୍କ ମୁଣ୍ଡରେ  ପଶିଛି । ପାଣି ଟାଙ୍କି ସଫା କରିବା ଆରମ୍ଭ କରିଥିବା ବି  ସୂଚନା ମିଳିଛି । ସଚେତନତା ପାଇଁ ଗ୍ରୁପରେ ମେସେଜ୍‌ ବି  ପଠାଯାଉଛି । ଯେଉଁଥିରେ ଉଲ୍ଲେଖ ରହିଛି ହଷ୍ଟେଲ ଏବଂ ବିଶ୍ୱବିଦ୍ୟାଳୟ ପରିସରରେ ଜଣ୍ଡିସ୍‌ ବ୍ୟାପିବାରେ ଲାଗିଛି ।  ଯାହାର କାରଣ ବାହାର ଫାଷ୍ଟଫୁଡ୍‌ ଏବଂ ପ୍ରଦୂଷିତ ପାଣି  ହୋଇ ଥାଇପାରେ । ଦୁଇଟି ଆବାସିକ ବାଳିକା ହଷ୍ଟେଲରେ  ଏହା ବ୍ୟାପିଛି । ଏମାନଙ୍କୁ ପୃଥକ ଭାବେ ରଖାଯାଇଛି ।  ଯେମିତି ଏହା ଅଧିକ ପରିମାଣରେ ବ୍ୟାପିବ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.