ଭୁବନେଶ୍ୱର,୨୩/୭ : ଆଉଟରିଚ ପକ୍ଷରୁ ଜାତୀୟ ପ୍ରସାରଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଲୋକାର୍ପଣ ହୋଇଛି ନୂଆ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ଭୁବନେଶ୍ୱର ୮୯.୨ଏଫଏମ । ଆଉଟରିଚ ରେଡିଓ ନେଟୱର୍କର ଅଧ୍ୟକ୍ଷ ସୁବ୍ରତ କୁମାର ପତିଙ୍କ ପୌରହିତ୍ୟରେ ସ୍ଥାନୀୟ ଜୟଦେବ ଭବନରେ ଏକ ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ କରାଯାଇଥିଲା ।
ପ୍ରଖ୍ୟାତ ଲୋକ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ଉତ୍ସବ ଚରଣ ଦାସ, ରେଡ଼ିଓ ବ୍ୟକ୍ତିତ୍ୱ ତଥା ବର୍ଷିଆନ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ, ସୁନାମଧନ୍ୟ ଓଡିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି, ହକି ଇଣ୍ଡିଆର ସଭାପତି ତଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କୀ ଓ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଖ୍ୟାତିସମ୍ପନ୍ନ ନ୍ୟୁରୋସର୍ଜନ ପଦ୍ମଶ୍ରୀ ଡା ଅଶୋକ ମହାପାତ୍ର ଅତିଥି ଭାବେ ଯୋଗଦେଇ ରେଡିଓ ଭୁବନେଶ୍ୱରକୁ ଲୋକାର୍ପିତ କରିଥିଲେ । ରେଡିଓ ଭୁବନେଶ୍ୱରର ସିଂଗନେଚର ଟ୍ୟୁନକୁ ଅତିଥିମାନେ ପ୍ରସାରଣ କରିବା ସହ ଔପଚାରିକ ରେଡ଼ିଓ ପ୍ରସାରଣ ଆରମ୍ଭ ହୋଇଥିଲା ।
ସୂଚନା ଅନୁସାରେ, ଆଜିର ଦିନରେ ୧୯୨୭ମସିହାରେ ବମ୍ବେ ସହରରେ ପ୍ରଥମ ରେଡ଼ିଓ ପ୍ରସାରଣ ଆରମ୍ଭ ହୋଇଥିଲା । ଏହାକୁ ମନେ ରଖିବା ପାଇଁ ପ୍ରତି ବର୍ଷ ୨୩ଜୁଲାଇକୁ ଜାତୀୟ ପ୍ରସାରଣ ଦିବସ ଭାବରେ ପାଳନ କରାଯାଏ । ଆଉଟରିଚ ପକ୍ଷରୁ ପ୍ରତି ବର୍ଷ ଭୁବନେଶ୍ୱରରେ ଜାତୀୟ ପ୍ରସାରଣ ଦିବସ ପାଳନ ହୁଏ । ଚଳିତ ବର୍ଷ ଏହାକୁ ସ୍ୱତନ୍ତ୍ର କରିବା ପାଇଁ ଏହି ଦିନ ରେଡିଓ ଭୁବନେଶ୍ୱରକୁ ଲୋକାର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲେ ଆୟୋଜକ ସଂସ୍ଥା ଆଉଟରିଚ ।
ଏହି ରେଡ଼ିଓ ଷ୍ଟେସନଟି ଭୁବନେଶ୍ୱରବାସୀଙ୍କ ସ୍ୱର ହେଉ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । କମ୍ୟୁନିଟି ମିଡ଼ିଆ ଏକ୍ସପର୍ଟ ତଥା ଆଉଟରିଚର ପରାମର୍ଶଦାତା ଏନଏଶାହ ଆନସାରୀ ସ୍ୱାଗତ ଭାଷଣ ଦେଇଥିଲେ । ରେଡିଓ ଭୁବନେଶ୍ୱରର ଉପସ୍ଥାପକ ପାର୍ଥସାରଥୀ ମହାନ୍ତି ମଞ୍ଚ ସଂଚାଳନ କରିଥିଲେ । ରେଡିଓ ଜକି ଲିପ୍ସା ଦାଶ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ନୃତ୍ୟପ୍ରଭା ଡ୍ୟାନ୍ସ ଏକାଡେମୀର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।