ନୂଆଦିଲ୍ଲୀ : ଦେଶରେ ପ୍ରାଇଭେଟ୍ କମ୍ପାନୀ ଗୁଡ଼ିକ ବନ୍ଦ ହେବା ମାମଲା ସୋମବାର ସଂସଦରେ ଉଠିଥିଲା। କେନ୍ଦ୍ର ସରକାର ଲୋକସଭାରେ କହିଥିଲେ ଯେ, ଗତ ୫ଟି ଆର୍ଥିକ ବର୍ଷରେ ମୋଟ ୨,୦୪,୨୬୮ ଟି ପ୍ରାଇଭେଟ୍ କମ୍ପାନୀ ବନ୍ଦ ହୋଇ ସାରିଛି।
ଉଲ୍ଲେଖନୀୟ ଯେ, କର୍ପୋରେଟ ମାମଲାର ରାଜ୍ୟ ମନ୍ତ୍ରୀ ହର୍ଷ ମଲହୋତ୍ରା ଲୋକସଭାରେ କହି ଥିଲେ ଯେ, ପ୍ରାରମ୍ଭିକ ଭାବେ ଏହି ତଥ୍ୟ ବଡ଼ ଲାଗୁ ଥିଲା। କିନ୍ତୁ ଏଥିରୁ ଅଧିକାଂଶ କମ୍ପାନୀକୁ ନିୟମାନୁସାରେ ମିଶ୍ରଣ , ପରିବର୍ତ୍ତନ , ସ୍ୱେଚ୍ଛାକୃତ ବନ୍ଦ ଓ ଅନେକ ଦିନରୁ ସକ୍ରିୟ ନହେବା କାରଣରୁ ରେକର୍ଡରୁ ହଟାଇ ଦିଆ ଯାଇଛି।
ଏକ ଲିଖିତ ଉତ୍ତରରେ ଦିଆଯାଇ ଥିବା ତଥ୍ୟ ଅନୁସାରେ , ୨୦୨୪-୨୫ ରେ ମୋଟ୍ ୨୦,୩୬୫ଟି ପ୍ରାଇଭେଟ୍ କମ୍ପାନୀ ବନ୍ଦ ହୋଇଛି। ଯାହାକି ୨୦୨୩-୨୪ରେ ୨୧,୧୮୧ ଓ ୨୦୨୨-୨୩ରେ ୮୩,୪୫୨ କମ୍ପାନୀ ବନ୍ଦ ହୋଇଛି। ଏହା ପୂର୍ବରୁ ୨୦୨୦-୨୧ ମସିହାରେ ୧୫,୨୧୬ ଓ ୨୦୨୧-୨୨ରେ ୬୪,୦୫୪ଟି କମ୍ପାନୀର ସଂଖ୍ୟା ଥିଲା।
ଏହି ସଂଖ୍ୟା ସମୁଦାୟ ମିଶି ମୋଟ ସଂଖ୍ୟା ୨.୦୪ ଲକ୍ଷ ଅତିକ୍ରମ କରିଛି। ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ, ଏହି କମ୍ପାନୀ ଗୁଡ଼ିକ ବନ୍ଦ ହେବା ଅର୍ଥନୈତିକ ମାନ୍ଦାବସ୍ଥା କିମ୍ୱା ଶିଳ୍ପ ସଙ୍କଟ ଭଳି ଏକପାଖିଆ କାରଣ ଯୋଗୁଁ ନୁହେଁ। ଅନେକ କମ୍ପାନୀ ନିଜେ କହିଛନ୍ତି ଯେ, ସେମାନେ ଆଉ ବ୍ୟବସାୟ କରିବାକୁ ଚାହାନ୍ତି ନାହିଁ, କିଛି ମିଶ୍ରଣ ପରେ ବନ୍ଦ ହୋଇଯାଇଛି ଏବଂ ଅନେକ କମ୍ପାନୀ ଆଇନ , ୨୦୧୩ ଅନୁସାରେ ହଟାଇ ଦିଆ ଯାଇଛି , କାରଣ ସେମାନେ ବର୍ଷ ବର୍ଷ ଧରି ନିଷ୍କ୍ରିୟ ଥିଲେ।
ତଥ୍ୟ ଅନୁସାରେ , ୨୦୨୨-୨୩ ମସିହାରେ ସର୍ବାଧିକ ୮୨,୧୨୫ଟି କମ୍ପାନୀ ବନ୍ଦ ହୋଇ ଥିଲା। ଏହା ସେହି ବର୍ଷ ଥିଲା ,ଯେବେ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଅଭିଯାନ ଚଲାଇ, ସେହି କମ୍ପାନୀ ଗୁଡ଼ିକୁ ହଟେଇଛି, ଯାହା ଦୀର୍ଘ ଦିନରୁ ସକ୍ରିୟ ନଥିଲେ। ବର୍ତ୍ତମାନର ଆର୍ଥିକ ବର୍ଷରେ ୧୬ ଜୁଲାଇ ଯାଏ ୮,୬୪୮ଟି କମ୍ପାନୀକୁ ବନ୍ଦ କରିଦିଆ ଯାଇଛି।
ବନ୍ଦ ହୋଇଥିବା ଘରୋଇ କମ୍ପାନୀଗୁଡ଼ିକର କର୍ମଚାରୀମାନଙ୍କୁ ପୁନର୍ବାସ କରାଯାଇଛି କି, ପ୍ରଶ୍ନରେ ମନ୍ତ୍ରୀ କହିଥିଲେ, ସରକାରଙ୍କ ସମ୍ମୁଖରେ କୌଣସି ପ୍ରସ୍ତାବ ନାହିଁ।