ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର( ଆଇଜିଆଇଏ)ରେ ଶନିବାର, ଲଗାତାର ଦ୍ୱିତୀୟ ଦିନରେ ମଧ୍ୟ ୩୫୦ରୁ ଅଧିକ ଉଡ଼ାଣରେ ବିଳମ୍ୱ ହୋଇଛି, କାରଣ ବିମାନ ଯାତାୟତରେ ପ୍ରବଳ ଭିଡ଼ ଯୋଗୁଁ ପରିଚାଳନାରେ ବ୍ୟାଘାତ ଘଟିଛି। ପ୍ରେସ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ (ପିଟିଆଇ)ର ରିପୋର୍ଟ ଅନୁସାରେ ଏହା ଜଣାପଡ଼ିଛି। 

ବିଳମ୍ୱିତ କାରଣରୁ ଯାତ୍ରୀମାନେ ସୋସିଆଲ ମିଡ଼ିଆରେ ଲାଗିଥିବା ଲମ୍ୱା ଲାଇନ୍‌ ଓ ଭିଡ଼ ଥିବା ଟର୍ମିନାଲ ଗୁଡ଼ିକର ଫଟୋ ଓ ଭିଡ଼ିଓ ସେୟାର କରିଛନ୍ତି। ପିଟିଆଇ ଅନୁସାରେ, ପ୍ରତିକୂଳ ପାଗର ସ୍ଥିତି କାରଣରୁ ଶୁକ୍ରବାର ସନ୍ଧ୍ୟାରେ ଏହି ସମସ୍ୟା ଆରମ୍ଭ ହୋଇଛି ଏବଂ ଶନିବାର ସିଡ୍ୟୁଲ୍‌ ଉପରେ ଏହାର ପ୍ରଭାବ ପଡ଼ିଛି। ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍‌ (ଡିଆଇଏଏଲ) ଏକ୍ସରେ ଦ୍ୱିପ୍ରହର ୨.୦୭ସମୟରେ ଏକ ପୋଷ୍ଟରେ କହିଛି- ଦିଲ୍ଲୀ ବିମାନ ବନ୍ଦରରେ ଉଡ଼ାଣ ପରିଚାଳନାରେ ସୁଧାର ହେଉଛି, ହେଲେ କାଲି ରାତିରେ ପାଗର ସ୍ଥିତି କାରଣରୁ କିଛି ଉଡ଼ାଣ ଏବେ ବି ପ୍ରଭାବିତ ରହିଛି।

ଫ୍ଲାଇଟ୍‌ ଟ୍ରାକିଂ ୱେବସାଇଟ୍‌ Flightradar24.com ଦେଖାଇଛି ଯେ, ୩୫୦ରୁ ଅଧିକ ଉଡ଼ାଣ ବିଳମ୍ୱରେ ଚାଲୁଛି, ଯେଉଁଥିରେ ହାରାହାରି ୪୦ ମିନିଟ୍‌ରୁ ଅଧିକ ବିଳମ୍ୱରେ ଉଡ଼ାଣ ଭରୁଛି। 

ଭାରତର ସବୁଠୁ ବଡ଼ ଏୟାରଲାଇନ୍‌ ଇଣ୍ଡିଆ ମଧ୍ୟ ଏହି ପ୍ରଭାବର ସ୍ପଷ୍ଟ କରିଛି। ଏୟାରଲାଇନ୍ ଏକ୍ସରେ ୧.୩୨ଟା ସମୟରେ କହିଛି , ଦିଲ୍ଲୀରେ ଚାଲିଥିବା ଏୟାର ଟ୍ରାଫିକ୍‌ ଜାମ୍‌ କାରଣରୁ ଉଡ଼ାଣକୁ ଟେକ୍‌ଅଫ୍‌ ଓ ଲ୍ୟାଣ୍ଡିଂ କ୍ଲିୟରାନ୍ସ ପାଇଁ ରୋକା ଯାଉଛି। ପରିଣାମ ସ୍ୱରୂପ ପୂରା ନେଟୱର୍କରେ କିଛି ଉଡ଼ାଣ ମଧ୍ୟ ପ୍ରଭାବିତ ହୋଇଛି। ପିଟିଆଇ କହିଛି, ବର୍ତ୍ତମାନ ସମୟରେ ଆଇଜିଆଇଏରେ କେବଳ ୩ଟି ରନୱେ ଚାଲୁ ରହିଛି , କାରଣ ଏକ ରନୱେ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ ପାଇଁ ବନ୍ଦ ଅଛି।