ଲକ୍ଷ୍ନୌ, ୧୮।୪: ଉତ୍ତରପ୍ରଦେଶର ଶ୍ରମିକମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିର ଖବର ସାମ୍ନାକୁ ଆସିଛି । ରାଜ୍ୟର ଯୋଗୀ ଆଦିତ୍ୟନାଥ ସରକାର ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ହାରରେ ବ୍ୟାପକ ସଂଶୋଧନ କରିଛନ୍ତି । ନୋଏଡ଼ା ଏବଂ ଗ୍ରେଟର ନୋଏଡ଼ାରେ ଶ୍ରମିକମାନଙ୍କ ଦୀର୍ଘଦିନର ଆନ୍ଦୋଳନ ଓ ବିରୋଧ ପ୍ରଦର୍ଶନ ପରେ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟପାଳଙ୍କ ମୋହର ବାଜିବା ପରେ ନୂତନ ଦର ଲାଗୁ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ତିନୋଟି ଶ୍ରେଣୀରେ ବିଭକ୍ତ ହେଲା ମଜୁରୀ:
ଜୀବନଧାରଣର ବ୍ୟୟକୁ ଦୃଷ୍ଟିରେ ରଖି ୟୁପି ସରକାର ସମଗ୍ର ରାଜ୍ୟକୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଛନ୍ତି । ଏହି ନୂତନ ମଜୁରୀ ହାରରେ ମୂଳ ଦରମା ସହିତ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା (VDA) ମଧ୍ୟ ସାମିଲ ରହିଛି ।
|
ଶ୍ରେଣୀ |
ଅଞ୍ଚଳ |
ଅଣକୁଶଳୀ (Unskilled) |
ଅର୍ଦ୍ଧକୁଶଳୀ (Semi-skilled) |
କୁଶଳୀ (Skilled) |
|
ପ୍ରଥମ ଶ୍ରେଣୀ |
ଗୌତମବୁଦ୍ଧ ନଗର (ନୋଏଡ଼ା) ଓ ଗାଜିଆବାଦ |
₹ ୧୩,୬୯୦ |
₹ ୧୫,୦୫୯ |
₹ ୧୬,୮୬୮ |
|
ଦ୍ୱିତୀୟ ଶ୍ରେଣୀ |
ଅନ୍ୟ ସମସ୍ତ ନଗର ନିଗମ ଅଞ୍ଚଳ |
₹ ୧୩,୦୦୬ |
₹ ୧୪,୩୦୬ |
₹ ୧୬,୦୨୫ |
|
ତୃତୀୟ ଶ୍ରେଣୀ |
ବାକି ଅବଶିଷ୍ଟ ଜିଲ୍ଲାଗୁଡ଼ିକ |
₹ ୧୨,୩୫୬ |
₹ ୧୩,୫୯୦ |
₹ ୧୫,୨୨୪ |
କାହିଁକି ନିଆଗଲା ଏହି ନିଷ୍ପତ୍ତି ?
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ନୋଏଡ଼ା ଏବଂ ଗ୍ରେଟର ନୋଏଡା ଅଞ୍ଚଳରେ ଶ୍ରମିକ ଓ ମାଲିକଙ୍କ ମଧ୍ୟରେ ଦରମା ବୃଦ୍ଧିକୁ ନେଇ ବିବାଦ ଦେଖାଦେଇଥିଲା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ୨୦୧୯ ଏବଂ ୨୦୨୪ରେ ପ୍ରସ୍ତାବିତ ସଂଶୋଧନ ଲାଗୁ ହୋଇପାରିନଥିବାରୁ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା ।
ଶିଳ୍ପ ଜଗତରେ ସୁଧାର ଆସିବ:
ସରକାରଙ୍କ କହିବା ଅନୁସାରେ, ଏହି ନିଷ୍ପତ୍ତି ଦ୍ୱାରା କେବଳ ଶ୍ରମିକଙ୍କୁ ଆର୍ଥିକ ସହାୟତା ମିଳିବ ତାହା ନୁହେଁ, ବରଂ ଶିଳ୍ପ କ୍ଷେତ୍ରରେ ଶାନ୍ତି ବଜାୟ ରହିବ । ଦରମା ବୃଦ୍ଧି ହେବା ଫଳରେ ଶ୍ରମିକ ଓ ନିୟୋକ୍ତାଙ୍କ ମଧ୍ୟରେ ଥିବା ଗତିରୋଧ ଦୂର ହେବ ଏବଂ ରାଜ୍ୟର ଉତ୍ପାଦନ ଚକ୍ର ସୁଚାରୁରୂପେ ଚାଲିପାରିବ । ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (Consumer Price Index) ଆଧାରରେ ଶ୍ରମିକଙ୍କୁ ଏହି ଅନ୍ତରୀଣ ସହାୟତା ପ୍ରଦାନ କରାଯାଇଛି, ଯାହା ସେମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାରେ ସହାୟକ ହେବ ।
ଆହୁରି ପଢ଼ନ୍ତୁ... ମହିଳା ସଂରକ୍ଷଣ ବିଲ୍ ଫେଲ୍ : ଆସିଲା ପ୍ରିୟଙ୍କାଙ୍କ ପ୍ରଥମ ପ୍ରତିକ୍ରିୟା