PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

ଶ୍ରୀମନ୍ଦିରରେ ପାନ ଓ ଗୁଟ୍‌ଖା କଟକଣାକୁ ବେଖାତିର, ସିଂହଦ୍ୱାରରୁ ସାତ ପାହାଚ ପଡିଛି ପାନ ଛେପ

ପୁରୀ,୨୮/୧୧ ପାନ, ଗୁଟ୍‌ଖା ଆଦି ନିଶା ଦ୍ରବ୍ୟ ସେବନ କରି ଶ୍ରୀମନ୍ଦିର କେହି ବି ପ୍ରବେଶ କରି ପାରିବ ନାହିଁ । ୨୦୨୧ ଅଗଷ୍ଟ ୧ ତାରିଖରୁ ଶ୍ରୀମନ୍ଦିର ପ୍ରଶାସନ ଜାରି କରିଥିଲା ଏହି କଟକଣା । ଶ୍ରୀମନ୍ଦିର ପରିଚାଳନା କମିଟି ଏହି ନିଷ୍ପତ୍ତିକୁ ଅନୁମୋଦନ କରିଥିଲା । ଅଗଷ୍ଟ ୧ ତାରିଖରୁ ଏହି କଟକଣା ଲାଗୁ ହେଲା ବୋଲି ଶ୍ରୀମନ୍ଦିର ପ୍ରଶାସନ ନୋଟିସ ଜାରି କରିଥିଲା । ପାନ ଛେପ ତଥା ମାଦକ ଦ୍ରବ୍ୟ ସେବନ କରି ମନ୍ଦିର ପ୍ରବେଶ କଲେ ଏବଂ ପାନ ଛେପ ପକାଇଲେ ଜରିମନା ବ୍ୟବସ୍ଥା ହୋଇଥିଲା । ଏହି କଟକଣା ଲାଗୁ ହେବାର ଦୁଇ ମାସ ମଧ୍ୟରେ ଛଅ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଥିଲା । ଏହା ପରେ ବର୍ଷେ ଗଲାଣି ଆଉ କାର୍ଯ୍ୟାନୁଷ୍ଠାନ ହେଉନି ।

କଟକଣା ନଥିବାରୁ ସିଂହଦ୍ୱାରରୁ ସାତ ପାହାଚ, ଆନନ୍ଦବଜାର, ଚାରି ଦ୍ୱାର ପଛ ପଟ, ଭିତର ଗୁମୁଟ କୋଣ, ରୁପା ଦ୍ୱାର ପଛ ପଟ ଆଦି ସ୍ଥାନରେ ଅବାଧରେ ପାନ ଛେପ ପଡ଼ିଛି । ଭକ୍ତମାନେ ପାନ, ଗୁଟ୍‌ଖା ଆଦି ସେବନ କରି ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି । ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତଥା ଧରପଗଡ଼ ନିମନ୍ତେ ୧୨ ଜଣିଆ ସ୍କ୍ୱାଡ୍‌ ଗଠନ ହୋଇଥିଲା । ଏବେ ଏହି ଟିମ୍‌ ଆଉ ନାହିଁ । ପାନଖିଆଙ୍କ ଉପରେ ନଜର ରଖିବାକୁ କର୍ମଚାରୀ ଅଭାବ ଦେଖା ଦେଇଛି । ଅତିରିକ୍ତ କର୍ମଚାରୀ ବା ଜେଟିପି ନିଯୁକ୍ତ ନ ହେବାରୁ ମନ୍ଦିର ଭିତର ପରିବେଶ ନଷ୍ଟ ହେବାରେ ଲାଗିଛି । ସେହିଭଳି ପାନ ତଥା ଛେପ ପଡୁଥିବା ସ୍ଥାନ, ବାଟରେ ଅବଢ଼ା ବିକ୍ରି ଉପରେ ନଜର ରଖିବାକୁ ମନ୍ଦିର ଭିତରେ ସିସିଟିଭି ଲଗାଇବା ଆଦି ପ୍ରସ୍ତାବ ମଧ୍ୟ ଝୁଲି ରହିଛି । କଟକଣାର ମହତ ଉଦ୍ଦେଶ୍ୟକୁ ସମସ୍ତେ ଭୁଲି ଯାଇଛନ୍ତି ।

ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନ, ଆନନ୍ଦ ବଜାର ଭିତରେ ଏବଂ ବାଇଶି ପାହାଚରେ ଏହି କଟକଣା ସଂପର୍କରେ ସଚେତନତା ଅଭିଯାନ କରାଯାଇଥିଲା । ଜନସଚେତନତା ଅଭାବରୁ ଶ୍ରୀମନ୍ଦିରରେ ପାନ, ଗୁଟ୍‌ଖା ଆଦି ନିଶା ଦ୍ରବ୍ୟର ଅବାଧ ସେବନ ହେଉଥିବା ନେଇ ପୁରୀ ଜିଲ୍ଲାପାଳ ଗତ ବର୍ଷ ଅଗଷ୍ଟ ୨ ତାରିଖରେ ଅନୁଷ୍ଠିତ ଅଫିସର, ପୁଲିସ, ସେବାୟତଙ୍କ ମିଳିତ ବୈଠକରେ ପରାମର୍ଶ ଦେଇଥିଲେ । ସଭାରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଓ ପୁରୀ ଅତିରିକ୍ତ ଏସ୍‌ପି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା ପାନ, ଗୁଟ୍‌ଖା ଖାଇ ଶ୍ରୀମନ୍ଦିର ପ୍ରବେଶ କରିବା ଲୋକଙ୍କ ଠାରୁ ଶହେ ଟଙ୍କା ଲେଖାଏଁ ଜରିମାନା ଆଦାୟ ହେବ । ଶ୍ରୀମନ୍ଦିର ପ୍ରଶାସନ କଟକଣା ଲାଗୁ ହେବାର ପାଞ୍ଚ ଦିନ ପର୍ଯ୍ୟନ୍ତ ତନାଘନା କରିବା ପରେ ସମସ୍ତେ ଭୁଲି ଯାଇଛନ୍ତି ବୋଲି ସ୍କ୍ୱାଡ୍‌ର ଜଣେ କର୍ମଚାରୀ କହିଛନ୍ତି । ଏବେ ଶ୍ରୀମନ୍ଦିରର ବିଭିନ୍ନ କୋଣ, ପାହାଚ କଡ଼, ଆନନ୍ଦ ବଜାର, ଭିତର ବେଢ଼ା, ବାହାର ବେଢ଼ା, ରୋଷଘର ବାହାରେ ପଡ଼ିଛି ପାନ ଛେପ ।

ଶ୍ରୀମନ୍ଦିର ଭିତରେ ପାନ ଓ ଗୁଟଖା କଟକଣାକୁ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ନେଉଥିବା ଶ୍ରୀଜଗନ୍ନାଥ ମନ୍ଦିର ପୁଲିସ (ଜେଟିପି) ଏବଂ ସିଂହଦ୍ୱାର ଥାନା ପୁଲିସ କର୍ମଚାରୀ ଏବେ ଶ୍ରୀମନ୍ଦିର ସୁରକ୍ଷା, ଯାତ୍ରୀ ପରିଚର୍ଯ୍ୟା ଆଦି ବ୍ୟତୀତ ପ୍ରଶାସନର ଘୋଷଣାକୁ ଆଉ ଗୁରୁତ୍ୱ ଦେଉନାହାନ୍ତି । କାରଣ ୧୭୫ ଜେଟିପିଙ୍କ ସ୍ଥାନରେ ମାତ୍ର ୮୬ ଜଣ ଜେଟିପି କାମ କରୁଛନ୍ତି । ଏମାନଙ୍କ ମଧ୍ୟରେ ୨୨ ଜଣ ଚର୍ଚ୍ଚା ସେବକ ଅଛନ୍ତି । ସେହିଭଳି ଭିଡିଓ ଭାଇରାଲ ଭଳି ଘଟଣାକୁ ରୋକିବାକୁ ଏବେ ପୁଲିସ ଫୋର୍ସ ତନାଘନା ଚଳାଇଛି । ପ୍ରତି ରାତିରେ ଏହି ପାନ ଛେପକୁ ସଫା କରିବା ଛଡ଼ା ପ୍ରଶାସନ ପାଇଁ ଅନ୍ୟ କିଛି ରାସ୍ତା ନାହିଁ ।