ଚନ୍ଦାହାଣ୍ଡି,୨୧।୧୨ ନବରଙ୍ଗପୁର  ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଚଳିତ  ବର୍ଷ ଖରିଫ ମଣ୍ଡିରେ  ଚାଷୀଙ୍କ ଠାରୁ ଧାନ କିଣାକୁ  ନେଇ  ଏଫଏକ୍ୟୁ ମାନର ବିବାଦ ତୁଟୁନି l ଯାହାକୁ ନେଇ ବର୍ତ୍ତମାନ ସୁଧା ମଣ୍ଡିରେ ଚାଷୀଙ୍କ ଠାରୁ ଧାନ କିଣା ଯାଇ ପାରୁ ନାହିଁ l  

ଗୋଟିଏ ପଟେ  ପ୍ରଶାସନ କହୁଛି ବିନା କଟନୀ ଛଟନୀ ରେ ୩୧୦୦ ଟଙ୍କା କ୍ୟୁଣ୍ଟାଲରେ କିଣା ଯାଉ l ଏପଟେ ଆରଏମସି,  ଲ୍ୟାମ୍ପସ କହୁଛନ୍ତି ଏଫକ୍ୟୁ ମାନର ଧାନ ହେଲେ ହିଁ କିଣା ଯିବ l  ବିନା ଏଫକ୍ୟୁ ମାନର ଧାନ ଉଠାଇବାକୁ ମିଲର ହେବନି ରାଜି l  ଏପଟେ  ଟୋକେନ ପାଇଥିବା ଚାଷୀ  ନିଜର ଉତ୍ପାଦିତ ଧାନ ବିକ୍ରୀ କରିବାକୁ ନେଇ ଗଭୀର ଚିନ୍ତାରେ ଅଛନ୍ତି l  ଗତ ୧୦ ତାରିଖ ଠାରୁ ମଣ୍ଡେଇରେ ଧାନ କିଣା ଆରମ୍ଭ ହୋଇଥିଲା l  ୬ ଟି ମଣ୍ଡିରେ ଧାନ ବିକିବା ପାଇଁ  ୨୯୮ ଜଣ ଚାଷୀ ପାଇଥିଲେ ଟୋକନ l  ପ୍ରଥମ ସପ୍ତାହରେ ଚାଷୀଙ୍କ ଠାରୁ  ମଣ୍ଡିରେ କର୍ତ୍ତୃପକ୍ଷ କେଜିଏ ମଧ୍ୟ ଧାନ କିଣି ନ ଥିଲେ l କେବଳ ବଡ଼ବଡ଼ିଆଙ୍କ ଫିତା କଟା ଏବଂ ନଡ଼ିଆ ଭଙ୍ଗାରେ ସୀମିତ ରହି ଥିଲା ଖରିଫ ଧାନ ମଣ୍ଡି l    ପୂଜାରୀଗୁଡା ମଣ୍ଡିରେ   ଚାଷୀ ୨୨୦୦ କ୍ୟୁଣ୍ଟାଲ, ଚିଲିଗାଁ ମଣ୍ଡିରେ ୧୬୦୦ ଏବଂ ଆଜି କୋଇଲିମୁଣ୍ଡା ମଣ୍ଡି ରେ ୨୦୦୦ କ୍ୟୁଣ୍ଟାଲ ଚାଷୀ ଧାନ  କେବଳ ପକାଇ ଦେଇଛନ୍ତି l ଚନ୍ଦାହାଣ୍ଡି, ସରଧାପୁର, ମଣ୍ଡିରେ  ଏଫଏକ୍ୟୁ ମାନର ଧାନ ନ ହେବାରୁ ଚାଷୀ ଫେରାଇ ନେଇ ଥିଲା l ଯାହା ଫଳରେ ମଣ୍ଡି ପଡିଆ  ଟାଙ୍ଗରା ପଡିଛି l ଧୋଡ଼ିପାଣି  ମଣ୍ଡିରେ ଚାଷୀଙ୍କ ଠାରୁ ଧାନ କିଣିବା ଦୂର  କଥା ବର୍ତ୍ତମାନ ସୁଧା ପଡିଆକୁ ମାଡି ନାହାନ୍ତି ମଣ୍ଡି କର୍ତ୍ତୃପକ୍ଷ l  

ଏ ସମ୍ପର୍କରେ ସାଂସଦ ବଳଭଦ୍ର ମାଝିଙ୍କୁ ପଚାରିବାରୁ   ଧାନ ବିକିବା ପାଇଁ ଟୋକେନ ପାଇ ଥିବା ଚାଷୀ ନିଜର ଉତ୍ପାଦିତ ଧାନ  ମଣ୍ଡିରେ ନେଇ   ଓଜନ କରି ପକାଉ l ଧାନ ମିଲର ଉଠାଇବ ନା ନାହିଁ ତାହା ପ୍ରଶାସନ ଏବଂ ମିଲର ମଧ୍ୟରେ ଆଲୋଚନା ହେବ l ଏଥିପାଇଁ ଚାଷୀ   ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ସେ  କହିଛନ୍ତି l ଏ ସମ୍ପର୍କ ରେ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ ମଲ୍ଲିକଙ୍କୁ ପଚାରିବାରୁ  କେବଳ ବିନା କଟନୀ ଛଟଣୀରେ ଚାଷୀଙ୍କ ଠାରୁ ଏଫଏକ୍ୟୁ ମାନର ଧାନ କିଣା ହେବ l ଏହା ଆରଏମସି  ଚାଷୀଙ୍କ ଠାରୁ କିଣି କି ଦେବ  ବୋଲି ସେ ପ୍ରକାଶ କରିଛନ୍ତି l ଏ ବାବଦରେ   ନବରଙ୍ଗପୁର ଆର ଏମ ସି ସେକ୍ରେଟାରୀ କପିଳେନ୍ଦ୍ର ସାସମଲଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରା ଯାଇଥିଲା l  ସେ ଫୋନ ନ ଉଠାଇବାରୁ କୌଣସି ପ୍ରତିକ୍ରିୟା ମିଳି ପାରି ନ ଥିଲା l 

 ଏ ପଟେ ଏଫଏକ୍ୟୁ ମାନ ର ଧାନ ନ ଥିବାର ଫାଇଦା ଉଠାଉଛି ପଡୋଶୀ ଛତିଶଗଡ଼ ବେପାରୀ l  ଟଙ୍କା ଅଭାବରେ ଚନ୍ଦାହାଣ୍ଡି ଅଞ୍ଚଳର ଚାଷୀ କମ ଦାମରେ ବିକ୍ରୀ କରିବାକୁ ବାଧ୍ୟ ହେଉଛି l  ପଡୋଶୀ ଛତିଶଗଡ ସରକାର   ଧାନ କୁ ଏକର ପ୍ରତି ୨୧ କ୍ୟୁଣ୍ଟାଲ କିଣୁ ଥିବା ସହ  ସୀମାରେ କଡା  ପହରା ଦେଉ ଥିବା ବେଳେ  ଓଡିଶା ପୁରା ପୁରି ଢିଲା ନାମକୁ ମାତ୍ର ସୀମା ରେ ମୁତୟନ ହୋଇଛନ୍ତି କର୍ମଚାରୀ l   ଏ ବାବଦ ରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଚାଷୀମାନେ ଦାବୀ କରିଛନ୍ତି l