ନୂଆଦିଲ୍ଲୀ,୨୨/୦୪; ପହଲଗାମ ଆତଙ୍କୀ ଆକ୍ରମଣକୁ ବର୍ଷେ ପୁରୁଛି । ଏହି ନରସଂହାରର ମାଷ୍ଟରମାଇଣ୍ଡ ବଡ଼ ଖେଳାଳିର ପର୍ଦ୍ଦାଫାସ ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରସାରିତ ରିପୋର୍ଟରେ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ବିଷୟରେ ଫଟୋ ଏବଂ ସମ୍ପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । ଯିଏ କାଶ୍ମୀରରେ ଆକ୍ରମଣ ଯୋଜନା କରିଥିଲା । ଏହି ମାଷ୍ଟରମାଇଣ୍ଡର ନାମ ସାଜିଦ ଜଟ୍ଟ । ଲସ୍କର ଏବଂ ଟିଆରଏଫର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଥିଲା । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ସେ ଆଉ ସେଠାରେ ସାଜିଦ ଭାବରେ ନୁହେଁ ବରଂ ସେ ନିଜର ପରିଚୟ, ରୂପ ବଦଳାଇ ରହୁଛି । ଏକ ସ୍ୱତନ୍ତ୍ର ତଦନ୍ତରୁ ଆତଙ୍କବାଦୀର ପ୍ରଥମ ଫଟୋ ଓ ପାକିସ୍ତାନରେ ଲୁଚି ରହିଥିବାର ପ୍ରମାଣ ପ୍ରକାଶ ପାଇଛି ।
ତଦନ୍ତରୁ ଜଣାପଡିଛି ଯେ, ଆଇଏସଆଇ ସହାୟତାରେ ସେ ସଲିମ ଲଙ୍ଗଡା ଭଳି ମିଥ୍ୟା ପରିଚୟରେ ଏକ ସୁରକ୍ଷିତ ଘରେ ଖୁବ ସାଧାରଣ ଜୀବନ ବିତାଉଛି । ସାଜିଦ ଭଟ୍ଟ ପାକିସ୍ତାନରେ ଥାଇ ପହଲଗାମ ଆକ୍ରମଣ ପାଇଁ ପୁରା ଯୋଜନା କରିଥିଲା । ଏନଆଇଏ ଏହା ତଦନ୍ତରେ ସାଜିଦ ଓରଫ ସୈଫୁଲ୍ଲାହ ସାଜକୁ ଏହି ନରସଂହାରର ମାଷ୍ଚରମାଇଣ୍ଡ ଦର୍ଶାଇଛି । ସାଜିଦର ପ୍ରକୃତ ନାମ ହବିବୁଲ୍ଲା ତବସୁମ । ବୈସରନ ଘାଟିରେ ନିରୀହ ଲୋକଙ୍କ ଉପରେ ଗୁଳି ଚଳାଇବା ପରେ ସେ ସେଠାରୁ ଫେରାର ହୋଇଯାଇଥିଲା । ଏନଆଇଏ ସାଜିଦ ସମ୍ପର୍କରେ ସୂଚନା ଦେବାକୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । କସୁରରୁ ରାୱଲପିଣ୍ଡି ପର୍ଯ୍ୟନ୍ତ ସେ ନିଜ ଠିକଣା ବଦଳାଇ ଅତି ଗୋପନୀୟ ଭାବରେ ରହୁଥିବା ଜଣାପଡିଛି । ଏ ସବୁ ପଛରେ ପାକିସ୍ତାର ଗୁଇନ୍ଦା ସଂସ୍ଥା ଆଇଏସଆଇର ସହଯୋଗ ରହିଛି । ସାଜିଦକୁ ଏବେ ଅଜ୍ଞାତ ଆକ୍ରମଣକାରୀଙ୍କ ଭୟ ଘାରିଛି । ଏହି ଆକ୍ରମଣକାରୀମାନେ ଭାରତର ଶତ୍ରୁମାନଙ୍କୁ ପାକିସ୍ତାନରେ ଖୋଜି ଖୋଜି ହତ୍ୟା କରୁଥିବାରୁ ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରି ସାଜିଦ ଆଦି ସାଧାରଣ ଜୀବନ ବଞ୍ଚୁଛି ।
ଏହା ବି ପଢନ୍ତୁ...'ପାକିସ୍ତାନ ଫେଲ୍ ହେଲା ଭାରତ କରିକି ଦେଖାଇବ'; ଇରାନ-ୟୁଏସ ମଧ୍ୟରେ ମଧ୍ୟସ୍ଥତା ନେଇ ସଙ୍କେତ ଦେଲେ ରାଜନାଥ ସିଂହ
ସାଜିଦର ଦୁଇଟି ଭିନ୍ନ ପରିଚୟପତ୍ର ସାମ୍ନାକୁ ଆସିଛି, ଯାହା ପାକିସ୍ତାନର ମିଛକୁ ପର୍ଦ୍ଦାଫାସ କରିଛି । ପ୍ରଥମଟି ଏପ୍ରିଲ ୨୬, ୨୦୧୫ରେ ଜାରି ହୋଇଛି । ଏଥିରେ ତାର ଠିକଣା କସୁର ଜିଲ୍ଲା ଓ ଜନ୍ମ ତାରିଖ ୧୯୬୭ ମାର୍ଚ୍ଚ ୨୩ ଦର୍ଶାଯାଇଛି । ଦ୍ୱିତୀୟଟି ଇସଲାମାବାଦର ଜି-୬ ଅଞ୍ଚଳର ଏକ ଠିକଣାରେ ଜାରି ହୋଇଛି । ଏହି ନୂତନ କାର୍ଡରେ ତାର ଜନ୍ମ ୧୯୮୨ରେ ବୋଲି ଉଲ୍ଲେଖ ହୋଇଛି । ପାକିସ୍ତାନର ସମସ୍ତ ଉଦ୍ୟମ ସତ୍ତ୍ୱେ ଉଭୟ ଦଲିଲରୁ ପାକିସ୍ତାନର ପ୍ରକୃତ ପରିଚୟ ବିଶ୍ୱ ସମ୍ମୁଖରେ ସାମ୍ନାକୁ ଆସିଛି ।