ପୁରୀ,୨୫/୧୧: ସୋମବାର ମାର୍ଗଶୀର କୃଷ୍ଣ ଦଶମୀ ତିଥି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଠାକୁରଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ  ଏହି ନୀତି ସମ୍ପନ୍ନ ହୋଇଥାଏ । ଦାରୁଦିଅଁଙ୍କ ଏହା ଏକ ଗୁପ୍ତ ନୀତି । ଅପରାହ୍ଣରେ  ଏହି ନୀତି ସମ୍ପନ୍ନ ହେବ । ଏଣୁ ଭକ୍ତମାନେ ପ୍ରାୟ ୪ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ  ପାଇବେ ନାହିଁ । ଅପରାହ୍ଣ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଠାକୁରଙ୍କ ସର୍ବସାଧାରଣ  ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।  ଅପରାହ୍ଣରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ପଇତା  ଲାଗି ନୀତି ସମ୍ପନ୍ନ ହେବ । ସୋମବାର ଠାକୁରଙ୍କ ସେବାପୂଜାର ନୀତି ନିର୍ଘଣ୍ଟକୁ  ନେଇ ପଇତା ଲାଗି ସମୟ ଧାର୍ଯ୍ୟ ହେବ ବୋଲି ପ୍ରଶାସନ ସୂଚନା ଦେଇଛି ।