ପୁରୀ ୧୭/୧୧ : ତିଥି ବ୍ରହ୍ମ ଏକମାତ୍ର ସତ୍ୟ ଆଉ ବ୍ରହ୍ମର ସ୍ୱରୂପ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । ପଇତା ବା ଉପବେଦ ହେଉଛି ବ୍ରାହ୍ମଣଙ୍କ ପରିଚୟ । ଏହି ସୁତ୍ର ବା ସୁତାରେ ବ୍ରହ୍ମତ୍ୱ ଆରୋପିତ ହୋଇ ଅଭିମନ୍ତ୍ରୀତ କରାଯିବା ପରେ ବ୍ରାହ୍ମଣ ପୁରୁଷମାନେ ଧାରଣ କରିଥାନ୍ତି । ବାମ କାନ୍ଧରୁ ଡାହାଣ ପଟଅଣ୍ଟା ପର୍ଯ୍ୟନ୍ତ ଏହା ବ୍ୟାପ୍ତ ହୋଇ ରହିଥାଏ । କିନ୍ତୁ ଜଗନ୍ନାଥ ମହାପ୍ରଭୁ ଅପୌରୁଷେୟ ବ୍ରହ୍ମ ସେ ବିଦେହ ପୁଣି ଦେହବନ୍ତ । ଅନେକ ନାହିଁ ନାହିଁ ଭିତରେ ସର୍ବବ୍ୟାପକ ଗୋଟିଏ ହଁ । ଶ୍ରୀ ବିଗ୍ରହମାନେ ଦାରୁ ବା କାଷ୍ଠରେ ନିର୍ମିତ ହୋଇଛନ୍ତି । ଯାହାଙ୍କର ଶ୍ରୀ ଅଙ୍ଗକୁ ସୁରକ୍ଷିତ ରଖିବାର ଉତ୍ତର ଦାୟୀତ୍ୱ ଦଇତାପତି ସେବକ ମାନଙ୍କର । ଏଣୁ ଏହି ଦଇତାମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁଦୃଢ଼ ରଖିବା ସହ ଋତୁକାଳୀନ ପ୍ରଭାବରୁ ସୁରକ୍ଷିତ ରଖିବାକୁ ପଇତା ଲାଗି ନୀତିଟି କରିଥାନ୍ତି। ଏହି ପଇତା ଲାଗି ସେବା  ଦଇତାପତି ସେବକ ମାନଙ୍କର ଏକ ଗୋଷ୍ଠି ଗତ ସେବା ଅଟେ। ଏହାକୁ ସେମାନେ ଅତି ନିଷ୍ଠାର ସହିତ ସମ୍ପାଦନ କରିଥାନ୍ତି । ଶ୍ରୀଜୀଉମାନଙ୍କ ଠାରେ ଦୈନଦିନ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ନିମନ୍ତେ ମହାପ୍ରଭୁଙ୍କୁ  ପଇତା ଲାଗି କରାଯାଇଥାଏ ।

ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପାଟର ସେବକଙ୍କୁ ପଇତା ବୋଳିବାପାଇଁ ତିନି ରଙ୍ଗର ବାସୁଙ୍ଗାପାଟ ଯୋଗାଇଥାଏ । ପାଟର ସେବକ ଉକ୍ତ ବାସୁଙ୍ଗା ପାଟ ନେଇ ଶ୍ରୀଲଷ୍ମୀ ମନ୍ଦିର ଜଗମୋହନରେ ବସି  ପାଟ ପଇତା ବୋଳିଥାନ୍ତି । ପଇତା ବୋଳି ସାରି ପାଟର ସେବକ ଉକ୍ତ ଦିନ ଦେଉଳ କାରଣଙ୍କୁ ଯୋଗାଇଥାନ୍ତି ।

ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବାପରେ ମା'ଲଷ୍ମୀ ଏବଂ ମା'ଭୂଦେବୀ ଖଟଶେଯ ଘରକୁ ବିଜେ କଲାପରେ ପଇତା ଲାଗି ନିମନ୍ତେ ଦଇତାପତି ସେବକ ମାନେ ଗର୍ଭ ଗୃହରେ ପ୍ରବେଶ କରିଥାନ୍ତି । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ରହିଥାଏ। ଦଇତାପତି ସେବକମାନେ ଦେଉଳକରଣଙ୍କ ଠାରୁ ଉକ୍ତ ତିନି ରଙ୍ଗର ପାଟ ପଇତା ଗ୍ରହଣ କରି ପତି ମହାପାତ୍ରଙ୍କ ଉପସ୍ଥିତିରେ ଶ୍ରୀଜୀଉମାନଙ୍କ ଠାରେ ପଇତା ଲାଗି କରିବେ ।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ହଳଦିଆ ପାଟ ପଇତା। ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କୁ ସବୁଜ ଏବଂ ମା' ସୁଭଦ୍ରାଙ୍କୁ ନାଲି ରଙ୍ଗର ପାଟ ପଇତା ଲାଗି ହେବ । ବାସୁଙ୍ଗା ପାଟକୁ ବଳି କାଣି ଆଙ୍ଗୁଠି ମୋଟାର ସୂତା ପ୍ରସ୍ତୁତ କରାଯାଇଥାଏ । ଯାହାକୁ ଶ୍ରୀ ବିଗ୍ରହଙ୍କ ମୁଖ ତଳକୁ ଓ ପେଟ ଉପରକୁ ଆବୃତ କରି ରଖାଯାଏ । ଏହାକୁ ଛକି ପକାଇଲା ପରି ଶ୍ରୀଅଙ୍ଗ ଓ ଶ୍ରୀଭୁଜକୁ ବାନ୍ଧିବା ଢ଼ଙ୍ଗରେ ଭିଡ଼ାଯାଏ । ଯାହାକୁ ଶ୍ରୀମନ୍ଦିର ପାରମ୍ପରିକ ଭାଷାରେ ପଇତା ଲାଗି କୁହନ୍ତି । ଶ୍ରୀଅଙ୍ଗରେ ଚନ୍ଦନ ଧାରଣ କରିଥାଏ ଏହି ପଇତା ଲାଗି ଅଂଶ । ମହାପ୍ରଭୁଙ୍କ ଏହି ପଇତା ଲାଗି କାର୍ଯ୍ୟ ସମ୍ପର୍ଣ୍ଣ ପାଇଁ ଦଇତାପତି ସେବକମାନଙ୍କୁ ପ୍ରାୟ ତିନି ଘଣ୍ଟା ସମୟ ଲାଗିଥାଏ  । ଏହା ପରେ ମେକାପଙ୍କ ଦ୍ଵାରା ସିଂହାସନ ଧୁଆ ପରେ ପଇତା ଲାଗି ନୀତି ବଢ଼ିଲା ପରେ ଠାକୁର ମାନଙ୍କର ମହାସ୍ନାନ କରାଯାଇ ଭୂଦେବୀ ଓ ଶ୍ରୀଦେବୀ ଶ୍ରୀଅଙ୍ଗ ଲାଗି ହୋଇଥାନ୍ତି । ଏହା ପରେ ମହାପ୍ରଭୁଙ୍କର ମଇଲମ ବେଶ ହୋଇଥାଏ । ପ୍ରଭୁଙ୍କ ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ ହୋଇ ସନ୍ଧ୍ୟା ଧୂପ ପ୍ରସାଦ ବାହାରି ପାଣି ପଡିବାପରେ ମହାପ୍ରଭୁଙ୍କ ଚନ୍ଦନ ଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ, ପରେ ରାତ୍ର ପହୁଡ଼ ଅନୁଷ୍ଠିତ ହେବ ।