ନୂଆଦିଲ୍ଲୀ ୦୩/୦୨: ପୁଣି ଥରେ ବଡ଼ ଆକ୍ରମଣ ଓ ଲଗାତାର ବିଦ୍ରୋହ ପାଇଁ ଚର୍ଚ୍ଚାରେ ବେଲୁଚିସ୍ତାନ । ବେଲୁଚ ଲିବରେସନ୍ ଆର୍ମି (ବିଏଲ୍ଏ) ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ୍ ହେରୋଫ୍ ୨.୦ ପାକିସ୍ତାନ ସେନା ଓ ସୁରକ୍ଷା ତନ୍ତ୍ରକୁ ଜୋର୍ଦାର ଝଟ୍କା ଦେଇଛି । ଏକସଙ୍ଗେ ଅନେକ ସହର ଉପରେ ଏହା ଆକ୍ରମଣ କରିଛି । ଚେକ୍ପଏଣ୍ଟ୍ସ ଗୁଡିକୁ କବ୍ଜା କରିଛି । ଫଳରେ ଅନେକ ସ୍ଥାନରେ ପାକ୍ ସେନା ପଛକୁ ହଟିବାକୁ ବାଧ୍ୟ ହୋଇଛି । ଏହି ଆକ୍ରମଣରେ ବିଏଲ୍ଏର ୩ ମୁଖ୍ୟ ୟୁନିଟ୍- ମଜିଦ ବ୍ରିଗେଡ୍, ଫତେ ସ୍କ୍ୱାଡ୍ ଓ ଏସ୍ଟିଓଏସ୍ ସଂଯୁକ୍ତ କାର୍ଯ୍ୟାନୁଷ୍ଠାନ ଚଳାଇଛି । ସର୍ବାଧିକ ଆତଙ୍କ ଖେଳାଇଛି ଆତ୍ମଘାତୀ ଆକ୍ରମଣ ପାଇଁ କୁଖ୍ୟାତ ମଜିଦ ବ୍ରିଗେଡ୍ ।
୨୦୧୧ରେ ଗଠିତ ମଜିଦ ବ୍ରିଗେଡ୍କୁ ବିଏଲ୍ଏର ‘ସ୍ପେଶାଲ ଫୋର୍ସେସ୍ ୟୁନିଟ୍’ କୁହାଯାଏ । ଟାର୍ଗେଟ୍ ଉପରେ ଆତ୍ମଘାତୀ ଆକ୍ରମଣ ଏହି ୟୁନିଟ୍ର ପରିଚୟ । ଗତ ୧ ଦଶନ୍ଧିରେ ପାକିସ୍ତାନର ଅନେକ ସମ୍ବେଦନଶୀଳ ଠିକଣା ଉପରେ ହୋଇଥିବା ସବୁଠୁ ବଡ଼ ଆକ୍ରମଣ ପଛରେ ଏହି ବ୍ରିଗେଡ୍ର ହାତ ରହିଛି । ୨୦୨୦ରେ କରାଚୀ ଷ୍ଟକ୍ ଏକ୍ସଚେଞ୍ଜ୍ରେ ବିସ୍ଫୋରଣ ଓ ୨୦୨୪ରେ କରାଚୀ ବିମାନବନ୍ଦର ଉପରେ ଆତ୍ମଘାତୀ ଆକ୍ରମଣରେ ମଜିଦ ବ୍ରିଗେଡ୍ର ହାତ ଥିଲା ।
ଆହୁରି ପଢ଼ନ୍ତୁ...ଚୀନ୍ର ରକେଟ ଫୋର୍ସରେ ବଡ଼ ଧରଣର ଦୁର୍ନୀତି, ମିସାଇଲରେ ପାଣି ପୂରାଇ ପିଏଲ୍ଏ ଅଧିକାରୀ ବରଖାସ୍ତ
କେମିତି ଗଠନ ହେଲା?
୨୦୧୦-୨୦୧୧ରେ ବିଏଲ୍ଏର ପୂର୍ବ ନେତା ଅସଲମ ଅଚୂ ମଜିଦ ବ୍ରିଗେଡ୍ ସ୍ଥାପନା କରିଥିଲେ । ଦୁଇ ଭାଇ ମଜିଦ ଲଙ୍ଗୋଭ ସିନିୟର ଓ ମଜିଦ ଲଙ୍ଗୋଭ ଜୁନିୟରଙ୍କ ନାଁରେ ଏହି ୟୁନିଟ୍ର ନାଁ ରଖାଯାଇଥିଲା । ମଜିଦ ଲଙ୍ଗୋଭ ସିନିୟର ୧୯୭୪ରେ ଜୁଲ୍ଫିକାର ଅଲି ଭୁଟ୍ଟୋଙ୍କୁ ଆକ୍ରମଣ ପ୍ରୟାସରେ ପ୍ରାଣ ହରାଇଥିଲେ । ମଜିଦ ଲଙ୍ଗୋଭ ଜୁନିୟର ୨୦୧୦ରେ ସୁରକ୍ଷା ବଳର ରେଡ୍ରେ ପ୍ରାଣ ହରାଇଥିଲେ । ଦୁଇ ଭାଇଙ୍କ ସମ୍ମାନରେ ଗଠିତ ଏହି ଆତ୍ମଘାତୀ ୟୁନିଟ୍ ପରବର୍ତ୍ତୀ ସମୟରେ ବିଏଲ୍ଏର ସବୁଠୁ ଆକ୍ରାମକ ଶାଖା ହେଲା ।
ହେରୋଫ ୨.୦ରେ ମଜିଦ ବ୍ରିଗେଡ୍ର ଭୂମିକା :
ଅପରେସନ୍ ହେରୋଫ ୨.୦ରେ ମଜିଦ ବ୍ରିଗେଡ୍ ସବୁଠୁ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଛି । ଏଥିରେ ସାମିଲ ଆତ୍ମଘାତୀ ଆକ୍ରମଣକାରୀଙ୍କ ମଧ୍ୟରେ ମହିଳା ମଧ୍ୟ ଥିଲେ । ହୱା ବଲୋଚ ଓ ଆସିଫା ମେଙ୍ଗଲଙ୍କ ଭଳି ମହିଳା ଆତ୍ମଘାତୀ ଗ୍ୱାଦର ଓ ନୁଶ୍କୀରେ ଆଇଏସ୍ଆଇ ଓ ସିଟିଡିର ଠିକଣାରେ ବାହନ-ଆଧାରିତ ବୋମା ଆକ୍ରମଣ କରିଥିଲେ । ବିଏଲ୍ଏ ପକ୍ଷରୁ ଜାରି ବୟାନ ଅନୁସାରେ, ଏହି ଅପରେସନ୍ରେ ୧୮ ଯୋଦ୍ଧା ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ୧୧ ଜଣ ମଜିଦ ବ୍ରିଗେଡ୍ର ଆତ୍ମଘାତୀ ଥିଲେ । ଏଥିରୁ ସ୍ପଷ୍ଟ ହୁଏ, ମଜିଦ ବ୍ରିଗେଡ୍ ଏହି ଅପରେସନ୍ର ମେରୁଦଣ୍ଡ ।
ମଜିଦ ବ୍ରିଗେଡ୍କୁ ନେଇ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଚିନ୍ତା ବଢ଼ିଛି । ୨୦୨୫ରେ ଆମେରିକା ଉଭୟ ବିଏଲ୍ଏ ଓ ମଜିଦ ବ୍ରିଗେଡ୍କୁ ଔପଚାରିକ ରୂପେ ଫରେନ୍ ଟେରୋରିଷ୍ଟ୍ ଅର୍ଗାନାଇଜେସନ୍ (ଏଫ୍ଟିଓ) ଘୋଷଣା କରିଥିଲା । ତା’ପରଠୁ ଦୁଇ ସଂଗଠନର ଗତିବିଧି ଉପରେ ବୈଶ୍ୱିକ ଯାଞ୍ଚ୍ ଓ ଚାପ ବଢ଼ିଛି ।