ବେଜିଂ, ୦୩/୦୨ : ଚୀନ୍ର ରକେଟ ଫୋର୍ସରେ ବଡ଼ ଧରଣର ଦୁର୍ନୀତି। ଅନ୍ତର୍ଜାତୀୟ ଗଣମାଧ୍ୟମରୁ ଖୁଲାସା । ମିସାଇଲରେ ପାଣି ପୂରାଇ ଚୀନ୍ ଅଧିକାରୀ ବରଖାସ୍ତ। ଆମେରିକୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକର ୨୦୨୪ ରିପୋର୍ଟରୁ ଏହା ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି
ସୂଚନାନୁଯାୟୀ, ପଶ୍ଚିମ ଚୀନ୍ରେ କେତେକ ମିସାଇଲରେ ଇନ୍ଧନ ବଦଳରେ ପାଣି ଭର୍ତ୍ତି କରିଦିଆଯାଇଥିଲା । ଯେଉଁ ସ୍ଥାନରୁ ମାଟି ତଳେ ବନିଥିବା ଜିନ୍ ସାଇଲୋରୁ ଏହି ମିସାଇଲଗୁଡ଼ିକୁ ଲଞ୍ଚ୍ କରାଯିବାର ଥିଲା ତାହା ମଧ୍ୟ ଠିକ୍ ନ ଥିଲା । ଏହି ସାଇଲୋକୁ ଏପରି ବନାଯାଇଥିଲା ଯାହାର ଢାଙ୍କୁଣୀ ଖୋଲିପାରି ନ ଥିଲା । ଏହା ଜଣାପଡ଼ିବା ପରେ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ଚୀନ୍ର ପିପୁଲ୍ସ ଲିବରେସନ ପାର୍ଟି (ପିଏଲ୍ଏ) ରକେଟ ଫୋର୍ସର ସମସ୍ତ ଶୀର୍ଷ ନେତୃତ୍ୱଙ୍କୁ ବରଖାସ୍ତ କରିଥିଲେ ।
ପ୍ରକାଶ ଥାଉକି, ରକେଟ ଫୋର୍ସ ହେଉଛି ଚୀନ୍ ସେନାର ମିସାଇଲ ୟୁନିଟ୍ । ଏହାର ପୂରା ନାଁ ପିପୁଲ୍ସ ଲିବରେସନ ଆର୍ମି ରକେଟ ଫୋର୍ସ (ପିଏଲ୍ଏଆର୍ଏଫ୍) । ୧୯୬୬ରେ ଏହାକୁ ବନାଯାଇଥିଲା । ଏହି ୟୁନିଟ୍ ପରମାଣୁ ଏବଂ ପାରମ୍ପରିକ ମିସାଇଲ ପରିଚାଳନା କରିଥାଏ । ଜିନ୍ପିଙ୍ଗ୍ଙ୍କ ନିୟନ୍ତ୍ରଣରେ ଏହି ୟୁନିଟ୍ ରହିଥାଏ । ରକେଟ ଫୋର୍ସର ୯ ବେସ୍ ରହିଛି । ସେଥିରୁ ୬ଟି ଅପରେସନ ଏବଂ ୩ଟି ଟ୍ରେନିଂ ଏବଂ ସହାୟତା ପାଇଁ ରହିଛି । ଗତମାସରେ ମଧ୍ୟ ପିଏଲ୍ଏରେ ଦୁର୍ନୀତି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଚୀନ୍ ସେନାର ସେଣ୍ଟ୍ରାଲ ମିଲିଟାରୀ କମିଶନର ଉପମୁଖ୍ୟ ଝାଙ୍ଗ୍ ୟୁକ୍ସିଆଙ୍କୁ ଏଥିଲାଗି ପଦରୁ ହଟାଯାଇଥିଲା । ଝାଙ୍ଗ ପିଏଲ୍ଏର ସବୁଠୁ ବରିଷ୍ଠ ଅଧିକାରୀ ଏବଂ ଜିନ୍ପିଙ୍ଗ୍ଙ୍କୁ ପିଲାଦିନରୁ ଜାଣିଥିଲେ ।
ଏହି ଖବରଟିକୁ ପଢନ୍ତୁ- ଦଲାଇ ଲାମାଙ୍କୁ ଗ୍ରାମୀ ପୁରସ୍କାର ମିଳିବା ନେଇ ଚୀନକୁ ଝଟକା ; କଲା ବିରୋଧ , କହିଲା ...