ନୂଆଦିଲ୍ଲୀ: ପାକିସ୍ତାନର ଏକ ବଡ଼ ସ୍ୱୀକାରୋକ୍ତି ଏବେ ସାମ୍ନାକୁ ଆସିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ମେ ୧୦ ତାରିଖରେ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା କିନ୍ତୁ ଭାରତର ବ୍ରହ୍ମୋସ କ୍ଷେପଣାସ୍ତ୍ର ମେ ୧୦ ତାରିଖ ଭୋର୍ ସକାଳୁ ରାୱଲପିଣ୍ଡି ବାୟୁସେନା ଘାଟି ସମେତ ପାକିସ୍ତାନ ଭିତରେ ଅନେକ ଅଞ୍ଚଳରେ ଆକ୍ରମଣ କରିଥିଲା।
ସେହବାଜ କହିଛନ୍ତି କି "ମେ ୯-୧୦ ରାତିରେ, ଆମେ ଭାରତୀୟ ଆକ୍ରମଣର ଏକ ମାପକାଠିରେ ଜବାବ ଦେବାକୁ ନିଷ୍ପତ୍ତି ନେଇଥିଲୁ। ଆମର ସଶସ୍ତ୍ର ବାହିନୀ ନମାଜ ପରେ ସକାଳ ସାଢେ ୪ ରେ ଏକ ଶିକ୍ଷା ଦେବା ପାଇଁ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିଲେ,"କିନ୍ତୁ ସେହି ସମୟ ଆସିବା ପୂର୍ବରୁ, ଭାରତ ପୁଣି ଥରେ ବ୍ରହ୍ମୋସ୍ ବ୍ୟବହାର କରି ଏକ କ୍ଷେପଣାସ୍ତ୍ର ଆକ୍ରମଣ ଆରମ୍ଭ କରିଥିଲା । ରାୱଲପିଣ୍ଡିର ବିମାନବନ୍ଦର ସମେତ ପାକିସ୍ତାନର ବିଭିନ୍ନ ପ୍ରଦେଶକୁ ଟାର୍ଗେଟ କରିଥିଲା ଭାରତ ।
ଭାରତୀୟ ପ୍ରତିରକ୍ଷା ବାହିନୀ ପୂର୍ବରୁ ପ୍ରକାଶ କରିଥିଲା ଯେ, ସୀମାବର୍ତ୍ତୀ ରାଜ୍ୟ ଗୁଡ଼ିକ ଉପରେ ପାକିସ୍ତାନର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣର ଜବାବରେ ଭାରତ ଦ୍ୱାରା ଟାର୍ଗେଟ କରାଯାଇଥିବା ୧୧ଟି ସାମରିକ ସ୍ଥାନ ମଧ୍ୟରେ ରାୱଲପିଣ୍ଡିର ନୁର ଖାନ ଏୟାରବେସ୍ ଥିଲା । ନୁର ଖାନ ବ୍ୟତୀତ, ଭାରତ ରଫିକି, ମୁରିଦ, ରହିମ ୟାର ଖାନ, ସୁକୁର ଏବଂ ଚୁନିଆନରେ ପାକିସ୍ତାନୀ ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା। ସ୍କାର୍ଡୁ, ଭୋଲାରି, ଜାକୋବାବାଦ ଏବଂ ସରଗୋଧାରେ ଥିବା ବାୟୁସେନା ଘାଟି ମଧ୍ୟ ବ୍ୟାପକ କ୍ଷତି ସହିଥିଲା।
ସୂଚନା ମୁତାବକ ପାକିସ୍ତାନ-ଭିତ୍ତିକ ଆତଙ୍କବାଦର ପର୍ଦ୍ଦାଫାସ କରିବା ପାଇଁ ଭାରତର ବିଶ୍ୱବ୍ୟାପୀ ପ୍ରଚାରକୁ ପ୍ରତିହତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ, ଉପ-ପ୍ରଧାନମନ୍ତ୍ରୀ ଇସାକ ଦାର ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ସମେତ ଏକ ପାକିସ୍ତାନୀ ପ୍ରତିନିଧି ମଣ୍ଡଳ ଚାରୋଟି ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ର - ଆଜରବାଇଜାନ, ତାଜିକିସ୍ତାନ, ଇରାନ ଏବଂ ତୁର୍କୀ ଗସ୍ତରେ ଅଛନ୍ତି।