ଶେଷରେ ସ୍ବୀକାର କଲା ପାକିସ୍ତାନ, ଭାରତ ବିରୋଧରେ ଏଫ୍-୧୬ ବ୍ୟବହାର କରିଥିଲା

ନୂଆଦିଲ୍ଲୀ,୨।୪: ଶେଷରେ ପାକିସ୍ତାନର ସ୍ବୀକାର କରିଛି ଯେ ଗତ ୨୭ ଫେବୃଆରୀରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିଗ୍-୨୧କୁ ରୋକିବା ପାଇଁ ପାକିସ୍ତାନ ପଟୁ ଏକ ଏଫ୍-୧୬ ଫାଇଟର ଜେଟ୍ ବ୍ୟବହାର କରାଯାଇଥିଲା। ଯଦିଓ ପାକିସ୍ତାନ ପକ୍ଷରୁ ସଫେଇ ଦେଇ କୁହାଯାଇଛି ଯେ, ଆତ୍ମରକ୍ଷା ପାଇଁ ଯେ କୌଣସି ପ୍ରକାର ପଦକ୍ଷେପ ଉଠାଇବାର ତା’ର ଅଧିକାର ରହିଛି।
ପାକିସ୍ତାନ ପୂର୍ବରୁ ଭାରତ ବିପକ୍ଷରେ ଆମେରିକା ନିର୍ମିତ ଏଫ୍-୧୬ ବିମାନକୁ ବ୍ୟବହାର କରିଥିବା କଥା ମନା କରିଥିଲା। ତେବେ ଏହି ବିଷୟରେ ଏବେ କିନ୍ତୁ ପାକ୍ ନିଜର ମତ ପରିବର୍ତ୍ତନ କରି ସତ ମାନି ନେଇଛି। ପାକିସ୍ତାନୀ ସେନା ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର ଭାରତର ଏହି ଅଭିଯୋଗକୁ ଏବେ ଠିକ୍ ବୋଲି କହିଛନ୍ତି। ସେ କହିଛନ୍ତି ଗତ ୨୭ ଫେବୃଆରୀରେ ବିମାନ ମାଧ୍ୟରେ ଆକାଶ ମାର୍ଗରେ ହୋଇଥିବା ଯୁଦ୍ଧରେ ପାକିସ୍ତାନ ଏଫ୍-୧୬ ବିମାନର ବ୍ୟବହାର କରିଥିଲା।
ସେ କହିଛନ୍ତି, ନିୟନ୍ତ୍ରଣ ରେଖା ପାଖରେ ପାକିସ୍ତାନ ଏୟାରଫୋର୍ସ(ପିଏଏଫ୍) ବିମାନ ଯୁଦ୍ଦ ପାଇଁ ପଦକ୍ଷେପ ନେଇଥିଲା ଓ ଏହା ଜେଏଫ୍-୧୭ ପକ୍ଷରୁ କରାଯାଇଛି। ଏହା ସହ ସେ କହିଛନ୍ତି ଭାରତର ୨ଟି ଜେଟ୍ ଯୁଦ୍ଧ ବିମାନ ସୀମା ପାର କରି ପ୍ରବେଶ କରିଥିଲା, ଯାହାକୁ ଆମେ ନଷ୍ଟ କରିଦେଇଥିଲୁ।