ପାକିସ୍ତାନକୁ ଘାରିଲା ଭାରତ ଭୟ, ପିଓକେର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ

ନୂଆାଦିଲ୍ଲୀ,୨୨।୨: ପୁଲଓ୍ବାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଅନ୍ତର୍ଜାତୀୟ ସ୍ତରରେ ଲଗାତାର ଚାପ ଓ ଭାରତର ଯବାବୀ କାର୍ଯ୍ୟାନୁଷ୍ଠାନ ଭୟରେ ପାକିସ୍ଥାନ ମଧ୍ୟ ଯୁଦ୍ଧକୁ ନେଇ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଗୁରୁବାର ନ୍ୟାସନାଲ ସିକ୍ୟୁରିଟି କମିଟି ସହିତ ବୈଠକ କରି ପାକିସ୍ତାନୀ ସେନାକୁ ଭାରତ ପକ୍ଷରୁ ହେବାକୁ ଥିବା ଆକ୍ରମଣର ମୁକାବିଲା କରିବାକୁ ନେଇ ପ୍ରସ୍ତୁତ ରହିବାକୁ କହିଛନ୍ତି। କେବଳ ସେତିକି ନୁହେଁ ପାକିସ୍ତାନ ଏତେ ଭୟଭୀତ ହୋଇଯାଇଛି ଯେ ସେ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ଓ ନିୟନ୍ତ୍ରଣ ରେଖା ଆଖପାଖର ଗାଁ ଗୁଡିକର ଳୋକଙ୍କୁ ସତର୍କ ରହିବାକୁ ଅପିଲ କରିଛି। ଏଥିପାଇଁ ବିଶେଷ ଭାବରେ ଆଡଭାଇଜରି ଜାରି କରାଯାଇଛି।

ପିଓକେର ସ୍ଥାନୀୟ ପ୍ରଶାସନ ହସ୍ପିଟାଲକୁ ଏକ ନୋଟିସ୍ ପଠାଇଛି। ଏଥିରେ କୁହାଯାଇଛି ଯଦି ପାକିସ୍ତାନ ଓ ଭାରତ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏଭଳି ପରିସ୍ଥିତିରେ ହସ୍ପିଟାଲ ଗୁଡିକରେ ସୈନିକଙ୍କ ପାଇଁ ବେଡ୍ ଖାଲି ରଖାଯାଉ। ଅନ୍ୟପକ୍ଷେ ଭାରତ ସହ ଯୁଦ୍ଧର ପ୍ରସ୍ତୁତି ଆରମ୍ଭ କରୁଛି ପାକିସ୍ତାନ। ଗତକାଲି ପିଓକେର ସରକାର ଏଲଓସିକୁ ଲାଗିଥିବା ନିଲମ, ଝେଲମ, ରାଓ୍ବଲକୋଟ, ହଭେଲି, କୋଟଲି ଓ ଭିମ୍ବରରେ ଏହି ଆଡଭାଇଜାରୀ ଜାରି କରି ଭାରତ ପକ୍ଷରୁ ହେବାକୁ ଥିବା ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି। ପାକିସ୍ତାନ ସରକାର ଭାରତ ପକ୍ଷରୁ ହେବାକୁ ଥିବା ଆକ୍ରମଣ ଭୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ଓ ସମୁହରେ ନରହିବା ପାଇଁ ପରାମର୍ଶ ଦେଇଛି। ଏଲଓସି ପାଖକୁ ବିନା କାରଣରେ ନଯିବା ସହ ରାତିରେ ଦରକାର ନପଡିଲେ ଲାଇଟ୍ ନଜଳାଇବାକୁ ପରାମର୍ଶ ଦିଆଯାଇଛି ସ୍ଥାନୀୟ ଲୋକଙ୍କୁ। ଏହା ସହ ଏଲଓସି ପାଖରେ ରହୁଥିବା ଲୋକଙ୍କୁ ତୁରନ୍ତ ଏକ ବଙ୍କର ନିର୍ମାଣ କରି ତା ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି।