ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ ନୂତନ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନେବାର କିଛି ଘଣ୍ଟା ପରେ, ପାକିସ୍ତାନ ମଧ୍ୟ ଭାରତୀୟ ଜାହାଜ ପାଇଁ ତାର ବନ୍ଦର ଗୁଡ଼ିକୁ ବନ୍ଦ କରିଦେଇଛି। ଏହା ଦୁଇ ଦେଶ ମଧ୍ୟରେ ଆହୁରି ତିକ୍ତତା ସୃଷ୍ଟି କରିଛି। ଏହା ପୂର୍ବରୁ, ଭାରତ ଶନିବାର ଦିନ ଇସଲାମାବାଦ ବିରୁଦ୍ଧରେ ଏକ ନୂତନ ଦଣ୍ଡାତ୍ମକ ପଦକ୍ଷେପ ସ୍ୱରୂପ ପାକିସ୍ତାନ ସହିତ ସମସ୍ତ ଡାକ ସେବାକୁ ସ୍ଥଗିତ କରିଥିଲା ଏବଂ ଭାରତୀୟ ବନ୍ଦର ଗୁଡ଼ିକରେ ପାକିସ୍ତାନୀ ଜାହାଜ ପ୍ରବେଶକୁ ନିଷେଧ କରିଥିଲା।
ସୂଚନାଥାଉକି, ଶନିବାର ଭାରତ ପାକିସ୍ତାନରୁ ଆସୁଥିବା କିମ୍ବା ସେ ଦେଇ ଯାଉଥିବା ସାମଗ୍ରୀ ଆମଦାନୀ ଏବଂ ଏହାର ବନ୍ଦର ଗୁଡ଼ିକରେ ପାକିସ୍ତାନୀ ଜାହାଜର ପ୍ରବେଶ ଉପରେ ମଧ୍ୟ ନିଷେଧ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଦେଶ ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକ ମାନଙ୍କ ବିରୁଦ୍ଧରେ "ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିବଦ୍ଧ। ଭାରତର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ଶନିବାର ବିଳମ୍ବିତ ରାତିରେ ନିର୍ଦ୍ଦେଶ ଦେଇଛି ଯେ, କୌଣସି ଭାରତୀୟ ପତାକା ଲାଗିଥିବା ଜାହାଜକୁ ପାକିସ୍ତାନର କୌଣସି ବନ୍ଦରକୁ ଯିବାକୁ ଅନୁମତି ଦିଆଯିବ ନାହିଁ ଏବଂ ପାକିସ୍ତାନୀ ଜାହାଜକୁ କୌଣସି ଭାରତୀୟ ବନ୍ଦରରେ ଅଟକିବାକୁ ଅନୁମତି ଦିଆଯିବ ନାହିଁ । ପାକିସ୍ତାନୀ ଖବରକାଗଜ ଡନ୍ ରିପୋର୍ଟ କରିଛି।
ପାକିସ୍ତାନ ସରକାରଙ୍କ ଏହି ନିଷ୍ପତ୍ତି ପରେ, ଭାରତୀୟ ପତାକା ଜାହାଜ ଗୁଡ଼ିକୁ ଆଉ କୌଣସି ପାକିସ୍ତାନୀ ବନ୍ଦରକୁ ଯିବାକୁ ଅନୁମତି ଦିଆଯିବ ନାହିଁ। ସେହିପରି, ପାକିସ୍ତାନୀ ପତାକା ଉଡ଼ାଉଥିବା କୌଣସି ଜାହାଜ କୌଣସି ଭାରତୀୟ ବନ୍ଦରକୁ ଯିବ ନାହିଁ। ଶନିବାର ବିଳମ୍ବିତ ରାତିରେ ପାକିସ୍ତାନର ସାମୁଦ୍ରିକ ବ୍ୟାପାର ମନ୍ତ୍ରଣାଳୟର ବନ୍ଦର ଏବଂ ଜାହାଜ ଚଳାଚଳ ଶାଖା ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶକୁ ଉଦ୍ଧୃତ କରି ପାକିସ୍ତାନର 'ଡନ୍' ଖବରକାଗଜ ଏହି ଖବର ପ୍ରକାଶ କରିଛି।