ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ହ୍ରାସ ପାଇଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଟିକେ ଶାନ୍ତ ପଡିଛି ।ଏହି ସମୟରେ, ପାକିସ୍ତାନର ଗୋଟିଏ ମିଛର ପର୍ଦ୍ଦାଫାସ ହୋଇଛି। ପ୍ରକୃତରେ, ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆକ୍ରମଣ ଚାଲିଥିଲା, ପାକିସ୍ତାନ ଦାବି କରିଥିଲା ଯେ ସେ ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀ S-400କୁ ନଷ୍ଟ କରିଦେଇଛି। କିନ୍ତୁ ଆଜି ପ୍ରଧାନମନ୍ତ୍ରୀ ମୋଦି ସମାନ ବାୟୁ ପ୍ରତିରକ୍ଷା ପ୍ରଣାଳୀ ସହିତ ନିଜର ଫଟୋ ଉଠାଇ ତାଙ୍କ X ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ, S-400 ପ୍ରଧାନମନ୍ତ୍ରୀଙ୍କ ପଛରେ ଠିଆ ହୋଇଥିବାର ଦେଖାଯାଉଛି। ଏପରି ପରିସ୍ଥିତିରେ ପାକିସ୍ତାନର ମିଛ ସାମ୍ନାକୁ ଆସିଛି ବୋଲି କୁହାଯାଉଛି।

ପାକିସ୍ତାନ ଦାବି କରିଥିଲା ଯେ, ସେ ଭାରତର S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କରିଦେଇଛି। କିନ୍ତୁ ଭାରତୀୟ ସେନା ଏହାକୁ ଅସ୍ୱୀକାର କରିଥିଲା। ପାକିସ୍ତାନ ଦାବି କରିଥିଲା ଯେ, ଏହାର JF-17 ଯୁଦ୍ଧ ବିମାନ ଗୁଡ଼ିକ ଆଦମପୁରରେ ଭାରତର S-400କୁ ଧ୍ୱଂସ କରିଦେଇଛି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରିଥିବା ଫଟୋରେ, S-400 ସମ୍ପୂର୍ଣ୍ଣ ଠିକ୍ ଦେଖାଯାଉଛି। ଏହାର ଅର୍ଥ ସ୍ପଷ୍ଟ ଯେ ଆତଙ୍କିତ ପାକିସ୍ତାନ S-400 ସମ୍ପର୍କରେ ଭାରତ ବିରୁଦ୍ଧରେ ମିଥ୍ୟା ପ୍ରଚାର କରିଛି।


ସୂଚନାଥାଉକି, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନରେ ଆତଙ୍କବାଦୀ ଏବଂ ପାକିସ୍ତାନ ସରକାରଙ୍କୁ ଯେପରି ଶିକ୍ଷା ଦେଇଥିଲା, ତାହା ପରେ ଭାରତୀୟ ସଶସ୍ତ୍ର ବାହିନୀକୁ ସବୁଠି ପ୍ରଶଂସା କରାଯାଉଛି। ଭାରତର ତିନି ସେନା ପରସ୍ପର ସହିତ ସମନ୍ୱୟ ରକ୍ଷା କରି ଅପରେସନ ସିନ୍ଦୂର ଚଳାଇବା ଏବଂ ପାକିସ୍ତାନକୁ ତାର ସ୍ଥାନ ଦେଖାଇବା ପାଇଁ ସବୁଠାରୁ ପ୍ରଶଂସା ପାଉଛି।