ନୂଆଦିଲ୍ଲୀ,୨୨/୧୨; ବର୍ତ୍ତମାନ ଦେଶରେ ରଣବୀର ସିଂହ, ଅକ୍ଷୟ ଖାନ୍ନାଙ୍କ ଫିଲ୍ମ 'ଧୁରନ୍ଧର' ଧୁନ୍ ଜାରି ରହିଛି । ରିଲିଜ୍ ପରେ ଫିଲ୍ମ ବକ୍ସ ଅଫିସରେ ଧମାକା କିରିଛି । ପାକିସ୍ତାନ ସମେତ କିଛି ଇସଲାମିକ୍ ଦେଶ ଏହି ଫିଲ୍ମକୁ ବ୍ୟାନ କରିଛନ୍ତି । ଫିଲ୍ମରେ ପାକିସ୍ତାନର ଛବି ଖରାପ କରାଯାଇଥିବା ଅଭିଯୋଗ ଆଣି ବ୍ୟାନ କରିଛି ପାକିସ୍ତାନ । ହେଲେ ବ୍ୟାନ କରିବା ପରେ ବି ଏ ଫିଲ୍ମର ଗୀତରେ ସେଲିବ୍ରେସନ କରିଛି ପାକିସ୍ତାନ । ଚଳିତ ବର୍ଷ ୧୯ବର୍ଷରୁ କମ୍ ଏସିଆ କପ୍ ଦିନିକିଆ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ କ୍ରିକେଟ୍ ଦଳ । ରବିବାର ଫାଇନାଲ୍ ମୁକାବିଲାରେ ଦଳ ୧୯୧ ରନ୍ରେ ଭାରତକୁ ପରାସ୍ତ କରିଥିଲା । ଏହି ମ୍ୟାଚ୍ରେ ବିଜୟ ପରେ 'ଧୁରନ୍ଧର' ଗୀତରେ ଧୁମ ମଚାଇଥିଲେ ପାକିସ୍ତାନ ଖେଳାଳି ।
'ନିଜ ଦେଶର ବ୍ୟାନକୁ ଭୁଲିଗଲେ'- ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ହରାଇ ୩୪୭ରନ୍ ସଂଗ୍ରହ କରିଥିଲା । ପାକିସ୍ତାନର ସମୀର ମିନହାସ ଦ୍ରୁତ ଶତକ ହାସଲ କରିଥିଲେ । ଜବାବରେ ଭାରତ ୨୬.୨ ଓଭରରେ ୧୫୬ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ବିଜୟ ପରେ ପାକିସ୍ତାନ ଦଳ 'ଧୁରନ୍ଧର' ଟ୍ରେଣ୍ଡ ଗୀତ ଫସଲାରେ ଧୁମ ନାଚିଛନ୍ତି । ବିଜୟ ଖୁସିରେ ଏତେ ମସଗୁଲ ହୋଇଗଲେ ଯେ ନିଜ ଦେଶର ବ୍ୟାନକୁ ଭୁଲି ଗଲେ ଖେଳାଳି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏସିଆନ କ୍ରିକେଟ କାଉସନସିଲ ମଧ୍ୟ ପ୍ଲେୟାରଙ୍କ ନାଚକୁ ତାର ଇନଷ୍ଟାଗ୍ରାମ ଏବଂ ଏବଂ ଫେସବୁକରେ ପୋଷ୍ଟ କରିଛି । ଯେଉଁଥିରେ 'ଧୁରନ୍ଧର' ଫିଲ୍ମର ଟ୍ରେଣ୍ଡ ଗୀତ ବାଜୁଛି । ଯାହା ଫିଲ୍ମରେ ଅକ୍ଷୟ ଖାନ୍ନାଙ୍କ ଏଣ୍ଟ୍ରିରେ ବାଜୁଛି ।
ମ୍ୟାଚ ବାବଦରେ କହିବାକୁ ଗଲେ, ଭାରତ ପକ୍ଷରୁ ଦୀପେଶ ଦେବେନ୍ଦ୍ରନ ୩ଟି ଓ ଖିଲାନ ପଟେଲ ୨ଟି ୱିକେଟ୍ ନେଇଥିଲେ । ୩୪୮ରନ୍ର ବିଶାଳ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା । ବୈଭବ ସୂର୍ଯ୍ୟବଂଶୀ ପାରମ୍ପରିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ହେଁ ଅଧିନାୟକ ଆୟୂଷ ମାହତ୍ରେ (୨) ଫେଲ୍ ମାରିଥିଲେ । ନିର୍ଭରଯୋଗ୍ୟ ବ୍ୟାଟର ଆରନ ଜର୍ଜ (୧୬) ମଧ୍ୟ ବିଫଳ ହୋଇଥିଲେ । ସୂର୍ଯ୍ୟବଂଶୀ ୧୦ବଲ୍ରେ ଦ୍ରୁତ ୨୬ (୧ଚୌକା, ୩ଛକା) ରନ୍ କରି ଆଉଟ୍ ହେବା ପରେ ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା । ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଶେଷରେ ୧୫୬ରନ୍ରେ ଅଟକି ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଦୀପେଶ ୩୬, ଖିଲାନ ୧୯, ଅଭିଜ୍ଞାନ କୁଣ୍ଡୁ ୧୩ରନ୍ କରିଥିଲେ । ପାକିସ୍ତାନ ପକ୍ଷରୁ ଅଲି ରାଜା ୪ ୱିକେଟ୍ ଅକ୍ତିଆର କରିଥିଲେ ।