ନୂଆଦିଲ୍ଲୀ, ୧୫/୦୪ : ପାକିସ୍ତାନ ପାଇଁ ଯାହା କୂଟନୈତିକ ମହତ୍ୱକାଂକ୍ଷା ପ୍ରଦର୍ଶନର ବଡ଼ ସୁଯୋଗ ଥିଲା, ତାହା ଏବେ ବିଶ୍ୱସ୍ତରରେ ଲଜ୍ଜାର କାରଣ ହୋଇଛି । ଗତ ୧୦-୧୨ତାରିଖରେ ଇସଲାମାବାଦରେ ହାଇପ୍ରୋଫାଇଲ ଆମେରିକା-ଇରାନ ଶାନ୍ତି ଆଲୋଚନା ବୈଠକ ଆୟୋଜିତ ହୋଇଥିଲା । ଏହାର ଆୟୋଜକ ଥିଲା ପାକିସ୍ତାନ । ସେହି ବୈଠକ ଏବେ ପୁଣି ଥରେ ଚର୍ଚ୍ଚାରେ । ଆଲୋଚନାର ନିଷ୍କର୍ଷ ପାଇଁ ନୁହେଁ, ବରଂ ଏହା ପରେ ସୃଷ୍ଟି ହୋଇଥିବା ଏକ ଅସ୍ୱାଭାବିକ ବିବାଦ ପାଇଁ । ଶାନ୍ତି ବୈଠକରେ ଆଞ୍ଚଳିକ ମଧ୍ୟସ୍ଥି ସାଜିଥିବା ପାକିସ୍ତାନ ସରକାର ଇସ୍‌ଲାମାବାଦର ସେରେନା ହୋଟେଲର ବିଲ୍‌ ଦେଇପାରି ନାହାନ୍ତି । ଏହି ରିପୋର୍ଟ ଏକ ଅଜବ ସ୍ଥିତି ଉତ୍ପନ୍ନ କରିଛି, ଯାହା ଦେଶର ଆର୍ଥିକ ସ୍ଥିରତା ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି ।

ଗୁଇନ୍ଦା ରିପୋର୍ଟ ଅନୁସାରେ, ସ୍ଥିତି ଏତେ ବିଗିଡ଼ିଲା ଯେ ଆଗା ଖାନ୍‌ ଡେଭ୍‌ଲପମେଣ୍ଟ ନେଟ୍‌ୱର୍କ ସହ ଜଡ଼ିତ ହୋଟେଲର ମାଲିକଙ୍କୁ ହସ୍ତକ୍ଷେପ କରି ମାମଲାର ସମାଧାନ କରିବାକୁ ପଡ଼ିଲା । ଏହି ଘଟଣା କୂଟନୀତି ଓ ନୀତି ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଯାହାର ଉଦ୍ଦେଶ୍ୟ ରଣନୈତିକ ବିଦେଶ ନୀତି ପ୍ରୟାସ ଥିଲା, ତାହା ଲୋକ ସମ୍ପର୍କ ତ୍ରୁଟିରେ ରୂପାନ୍ତରିତ ହୋଇଛି । ଉକ୍ତ ଇସ୍‌ଲାମାବାଦ ସମ୍ମିଳନୀକୁ ପାକିସ୍ତାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ରୂପେ ଉପସ୍ଥାପନ କରାଯାଇଥିଲା, ଯାହା ମାଧ୍ୟମରେ ଏହା ୱାଶିଂଟନ୍‌ ଓ ତେହେରାନ ମଧ୍ୟରେ ଏକ ଭରସାଯୋଗ୍ୟ ମଧ୍ୟସ୍ଥି ଭାବେ ନିଜ ସ୍ଥିତିକୁ ମଜଭୁତ କରିପାରିବ । ସେରେନା ହୋଟେଲ ଭଳି ଏକ ସମ୍ମାନାସ୍ପଦ ସ୍ଥାନରେ ବୈଠକ ସଂଚାଳନା କରିବା ସ୍ଥାୟିତ୍ୱ ଓ ସାମର୍ଥ୍ୟର ସଙ୍କେତ ଥିଲା । କିନ୍ତୁ ବୈଠକ ସମ୍ପର୍କିତ ଶୁଳ୍କ ପୈଠ କରିବାରେ ଅକ୍ଷମତା ପାକିସ୍ତାନର କୂଟନୈତିକ ଅଭିଳାଷ ଓ ଏହାର ଆର୍ଥିକ ବାସ୍ତବତା ମଧ୍ୟରେ ଗଭୀର ଅସାମଞ୍ଜସ୍ୟତାକୁ ବର୍ଣ୍ଣନା କରିଛି ।

ଏକ ପ୍ରମୁଖ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଏଭଳି ମୌଳିକ ବିଫଳତା ଦୈନନ୍ଦିନ କାର୍ଯ୍ୟ ପରିଚାଳନାଗତ ଶୁଳ୍କ ପ୍ରବନ୍ଧନରେ ଦେଶର ଅସାମର୍ଥ୍ୟକୁ ପଦାରେ ପକାଇଛି । ସଂଚାଳକ ରାଷ୍ଟ୍ର ରୂପେ ନିଜର ଆର୍ଥିକ ଅଙ୍ଗୀକାରବଦ୍ଧତାକୁ ସମ୍ମାନ ଦେବାରେ ବିଫଳ ହେବା, ଖାସ୍‌କରି ବିଶ୍ୱର ସ୍କାନର୍‌ରେ ଥିବା ଏକ କୂଟନୈତିକ ବୈଠକରେ ପ୍ରଶାସନିକ ଓ ବିତ୍ତୀୟ ଦୁର୍ବଳତାକୁ ଦର୍ଶାଇଛି । ପାକିସ୍ତାନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ନଜରରେ ଥିବାବେଳେ ଏହି ଘଟଣା ତା’ର ଅସଲ ଚିତ୍ର ସାମ୍ନାକୁ ଆଣିଛି । ୭-୯ ପ୍ରତିଶତ ମୁଦ୍ରାସ୍ଫୀତି ସହିତ ଦେଶ ଲଗାତାର ଢାଞ୍ଚାଗତ ଆର୍ଥିକ ଆହ୍ୱାନର ସମ୍ମୁଖୀନ ହେଉଛି । ଏହି ପୃଷ୍ଠଭୂମିରେ ହୋଟେଲ ବିଲ୍‌ ପୈଠ ନ କରିବା ଏକ ବୃହତ ସଙ୍କଟର ପ୍ରତୀକ ହୋଇଛି । ଏହା ଏଭଳି ଏକ ସ୍ଥିତି, ଯେଉଁଠି ଆର୍ଥିକ ସମସ୍ୟା କୂଟନୈତିକ ପହଞ୍ଚକୁ ନିରନ୍ତର ଦୁର୍ବଳ କରୁଛି।

ଏହି ଖବରଟିକୁ ପଢନ୍ତୁ- US-Iran Peace Talk : ମଧ୍ୟପ୍ରାଚ୍ୟରେ ଥମିବ କି ରକ୍ତପାତ ? ଟ୍ରମ୍ପ କହିଲେ ୨ ଦିନ ମଧ୍ୟରେ ଇସଲାମାବାଦରେ ଶାନ୍ତି ଆଲୋଚନା