ନୂଆଦିଲ୍ଲୀ,୧।୯: ପାକିସ୍ତାନର ପଞ୍ଜାବ ଓ ସିନ୍ଧ ପ୍ରଦେଶରେ ଭୀଷଣ ବନ୍ୟା। ଫଳରେ ଲକ୍ଷାଧିକ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ଭାରତ ଦେଇ ପ୍ରବାହିତ ରାଭି, ସତଲେଜ ଓ ଚେନାବ ଭଳି ନଦୀ ଏବେ ବିପଦ ସଙ୍କେତ ଦେଇ ଗତି କରୁଛି। ଭାରତର ପଞ୍ଜାବରେ ପ୍ରବଳ ବନ୍ୟା କାରଣରୁ ଏହି ନଦୀର ପାଣି ପାକିସ୍ତାନର ପାଇଁ ବିପଦ ପାଲଟିଛି। ପଞ୍ଜାବର ୨୨୦୦ରୁ ଅଧିକ ଗାଁର ୨୦ ଲକ୍ଷରୁ ଅଧିକ ଲୋକ ନିଜ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି। ଚଳିତ ସପ୍ତାହରେ ପ୍ରବଳ ମୌସୁମୀ ବର୍ଷା ଓ ଭାରତ ଛାଡିଥିବା ଅତିରିକ୍ତ ପାଣି କାରଣରୁ ପଞ୍ଜାବର ନଦୀ ଚେନାବ ଓ ସତଲେଜରେ ପ୍ରବଳ ପାଣି ପଶି ଯାଇଥିଲା। ପଞ୍ଜାବର ଗ୍ରାମୀଣ ଅଞ୍ଚଳ ସହ ସହରୀ ଅଞ୍ଚଳ ଯେପରି ଲାହୋର ମଧ୍ୟ ଜଳମଗ୍ନ ହୋଇଯାଇଛି।

ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛି। ଯେଉଁଥିରେ ସେନା, ପୋଲିସ ଓ ଅନ୍ୟ ଏଜେନ୍ସି ରହିଛନ୍ତି। ଏପର୍ଯ୍ୟନ୍ତ ୭୫୦,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବନ୍ୟା କାରଣରୁ ଅତି କମ୍‌ରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ସେଭଳି ଶତାଧିକ ଆହତ ହୋଇଛନ୍ତି। ପଶୁ ଓ ସମ୍ପତ୍ତିର ମଧ୍ୟ ପ୍ରବଳ କ୍ଷୟକ୍ଷତି ହୋଇଛି। ଏବେ ଏହି ବନ୍ୟା ସିନ୍ଧ ଆଡକୁ ବଢିବାରେ ଲାଗିଛି, ଯେଉଁଠି ପ୍ରଶାନ ‘ସୁପର ଫ୍ଲଡ’ ଆଲର୍ଟ ଜାରି କରିଛି। ମୁଖ୍ୟମନ୍ତ୍ରୀ ମୁରାଦ ଅଳ୍ଲୀ ରବିବାର ଗୁଡ୍ଡୁ ଓ ସକ୍କର ବ୍ୟାରାଜ ଗସ୍ତ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ କହିଛନ୍ତି, ଯଦି ପାଣି ୯ ଲକ୍ଷ୍ୟ କ୍ୟୁସେକରୁ ଅଧିକ ଆସେ ତେବେ ସିନ୍ଧ ନିକଟରେ ଥିବା ୧୫ ଜିଲ୍ଲାରେ ପ୍ରବଳ କ୍ଷୟକ୍ଷତି ହେବାର ସମ୍ଭାବନା ବଢିଯିବ। 

ଏହାଦ୍ବାରା ୧୬ ଲକ୍ଷ ଲୋକେ ପ୍ରଭାବିତ ହୋଇପାରନ୍ତି। ପ୍ରଶାସନ ସମ୍ବେଦନଶୀଳ ବନ୍ଧ ଉପରେ ନଜର ରଖିବା ବଢାଇ ଦେଇଛି। ସେଭଳି ପୋଲିସ ପିକେଟସ୍ ସ୍ଥାପିତ କରାଯାଉଛି। ଫଳରେ ଏହି ଅଞ୍ଚଳରେ ଅପରାଧ ଗତିବିଧିକୁ ରୋକି ହେବ। ସାରାଦେଶରେ ଜୁନ୍‌ ଶେଷ ପର୍ଯ୍ୟନ୍ତ ମୌସୁମୀ କାରଣରୁ ଆସିଥିବା ବନ୍ୟା ଓ ଭୂସ୍ଖଳନରେ ଅତି କମ୍‌ରେ ୮୫୪ ଜଣଙ୍କର ମୃତ୍ୟୁ ହୋଇ ସାରିଛି। ସେଭଳି ଅନେକ ଆହତ ହୋଇଛନ୍ତି।