ନୂଆଦିଲ୍ଲୀ,୧୬।୧୦: ପାକିସ୍ତାନ ଜେଲର କାଳକୋଠରୀ ଜୀବନ ବିତାଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ। ଏବେ ତାଙ୍କର ପୂର୍ବତନ ପତ୍ନୀ ମଙ୍ଗଳବାର ଜେଲ୍‌ରେ ତାଙ୍କୁ ଦିଆଯାଉଥିବା ନିର୍ଯାତନା ବିଷୟରେ ଚକିତ କରିଦେବା ଭଳି ଦାବି କରିଛନ୍ତି। ସେ ଶୀଘ୍ର ଇମ୍ରାନ୍‌ଙ୍କୁ ମୁକ୍ତ କରିବା ନେଇ ଦାବି କରିଛନ୍ତି। ଇମ୍ରାନ୍‌ଙ୍କ ପୂର୍ବତନ ପତ୍ନୀ ଜେମିମା ଗୋଲ୍ଡସ୍ମିଥ୍ କହିଛନ୍ତି, ପାକିସ୍ତାନୀ ଅଧିକାରୀ ତାଙ୍କ ପରିବାର ଓ ଓକିଲଙ୍କୁ ଇମ୍ରାନ୍ ଖାନ୍‌ଙ୍କୁ ଭେଟିବା ଉପରେ ରୋକ ଲଗାଇ ଦେଇଛନ୍ତି ଓ ତାଙ୍କ ସହ ଖରାପ ବ୍ୟବହାର କରାଯାଉଛି। ଜୋମିମା ଏହା ମଧ୍ୟ କହିଛନ୍ତି ଯେ, ମାମଲାର ଶୁଣାଣି କୋର୍ଟରେ ଘୁଞ୍ଚାଇ ଦିଆଯାଇଛି ଓ ସେପ୍ଟେମ୍ବର ଆରମ୍ଭରୁ ତାଙ୍କୁ ନିଜ ପୁଅ ସହ କଥା ହେବାଠାରୁ ରୋକାଯାଉଛି। 

ଜେମିମା ଗୋଲ୍ଡସ୍ମିଥ୍‌ ୧୯୯୫ ରୁ ୨୦୦୪ ପର୍ଯ୍ୟନ୍ତ ପାକିସ୍ତାନ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପଟେନ୍‌ଙ୍କୁ ବିବାହ କରିଥିଲେ। ଦମ୍ପତ୍ତିଙ୍କ ଦୁଇ ପୁଅ ଅଛନ୍ତି। ସେମାନେ ହେଲେ ସୁଲେମାନ ଓ କାସିମ୍‌, ଦୁହେଁ ଲଣ୍ଡନରେ ରୁହନ୍ତି। ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜ କଥା ସେୟାର କରି ଜେମିମା ଲେଖିଛନ୍ତି, ତାଙ୍କ ସେଲ୍‌ର ବିଜୁଳି କାଟି ଦିଆଯାଇଛି ଓ ତାଙ୍କୁ ଏବେ ଜେଲ୍‌ରୁ କୁଆଡେ ଯିବାକୁ ଅନୁମତି ମିଳୁନି। ସେ ବିନା ଆଲୋକରେ ସମ୍ପୂର୍ଣ୍ଣ ଭାବରେ ଏକାନ୍ତ କାରାବାସରେ ଅଛନ୍ତି, ତାଙ୍କର ବାହାର ଦୁନିଆ ସହ କୌଣସି ସମ୍ପର୍କ ନାହିଁ।’

ଏହା ପୂର୍ବରୁ ଜୁଲାଇରେ ଜାତିର ସଂଘର ବିଶେଷଜ୍ଞ ମଧ୍ୟ ଅନ୍ତର୍ଜାତୀୟ ଆଇନ ଉଲଘଂନ କରି ଇମ୍ରାନ୍ ଖାନଙ୍କୁ ମନଗଢା ଢଙ୍ଗରେ ଗିରଫ କରିବା ପାଇଁ ପାକିସ୍ତାନର ସମାଲୋଚନା କରିଥିଲା। ୭୨ ବର୍ଷର ଇମ୍ରାନ୍ ଖାନ୍ ୨୦୧୮ ରୁ ୨୦୨୨ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ। ସଂସଦରେ ଅନାସ୍ଥା ପସ୍ତାବରେ ହଟାଯିବା ପରେ ୨୦୦ରୁ ଅଧିକ ଆଇନଗତ ମାମଲା ତାଙ୍କ ବିରୋଧରେ ଚାଲିଛି। ଗତ ବର୍ଷ ଅଗଷ୍ଟରେ ତାଙ୍କୁ ଗିରଫ କରାଯାଇଥିଲା। ଏହା ସହ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ନିର୍ବାଚନ ଲଢିବାକୁ ରୋକା ଯାଇଥିଲା। 

ଜେମିମା କହିଛନ୍ତି, ଇମ୍ରାନ୍‌ଙ୍କ ପରିବାକୁ ଟାର୍ଗେଟ କରାଯାଉଛି। ତାଙ୍କ ଭଉଣୀ ଓ ଭଣଜାଙ୍କୁ ବେଆଇନ ଭାବରେ ଗିରଫ କରି ଜେଲ୍‌ରେ ରଖାଯାଇଛି। ତାଙ୍କୁ ନିଜର ପୂର୍ବତନ ସ୍ବାମୀଙ୍କ ରାଜନୈତିକ ବିରୋଧିଙ୍କଠାରୁ ଦୁଷ୍କର୍ମ ଓ ହତ୍ୟା ଭଳି ଧମକ ଦିଆଯାଉଛି। ସେ ଲେଖିଛନ୍ତି ମୁଁ ବହୁ ରାଜନୈତିକ ପ୍ରସଙ୍ଗରେ ଇମ୍ରାନ୍‌ଙ୍କ ସହ ଅସହମତ ରହିଛି। କିନ୍ତୁ ଏହା ରାଜନୀତି ବିଷୟରେ ନୁହେଁ। ଏହା ମୋର ସନ୍ତାନର ବାପା, ତାଙ୍କର ମାନବାଧିକାର ଓ ଅନ୍ତର୍ଜାତୀୟ ଆଇନକୁ ନେଇ ରହିଛି। ଜେମିମା କହିଛନ୍ତି,  ତୁରନ୍ତ ଇମ୍ରାନ୍ ଖାନ୍‌ ତାଙ୍କ ଭଉଣୀ ଓ ଭଣଜାଙ୍କୁ ମୁକ୍ତ କରାଯାଉ। ମୋ ପୁଅକୁ ତା’ର ବାପା(ଇମ୍ରାନ୍)ଙ୍କ ସହ କଥା ହେବାର ଅନୁମତି ଦିଆଯାଉ। ଫଳରେ ଆଶ୍ବାସନା ମିଳିପାରିବ ସେ ଠିକ୍‌ ଅଛନ୍ତି ଏବଂ ତାଙ୍କ ସହ କୌଣସି ର୍ଦୁବ୍ୟବହାର ହେଉନି।’