ନୂଆଦିଲ୍ଲୀ,୧୧/୬: ପ୍ରତିରକ୍ଷା ବ୍ୟୟବରାଦରେ ଭାରତ ସହ ତୁଳନୀୟ ନୁହେଁ ପାକ୍‌ । ମଙ୍ଗଳବାର ପାକିସ୍ତାନ ଏହାର ପ୍ରତିରକ୍ଷା ବ୍ୟୟବରାଦରେ ୨୦% ବୃଦ୍ଧି କରିଛି । ଏହାସତ୍ତ୍ଵେ ପାକ୍‌ର ପ୍ରତିରକ୍ଷା ବ୍ୟୟ ଭାରତଠୁ ୯ ଭାଗରୁ ଭାଗେ । ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍‌ ୨୦୨୫-୨୬ ପାଇଁ ପ୍ରତିରକ୍ଷା ବଜେଟ୍‌ ବରାଦ ବାବଦ ୯ ବିଲିୟନ ଡଲାର ବା ୨.୫୫ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ଏହା ପୂର୍ବ ଆର୍ଥିକବର୍ଷ ତୁଳନାରେ ୨୦% ଅଧିକ । ଅପରେଶନ୍‌ ସିନ୍ଦୁର ବେଳେ ବ୍ୟାପକ କ୍ଷୟକ୍ଷତି ସହିବା ପରେ ଦେଶ ଏହାର ପ୍ରତିରକ୍ଷା ବଜେଟ୍‌କୁ ବଢ଼ାଇଛି । ତଥାପି ଭାରତଠାରୁ ଏ କ୍ଷେତ୍ରରେ ଢ଼େର ପଛୁଆ ରହିଛି ପାକ୍‌। ଭାରତ ଏବଂ ପାକିସ୍ତାନର ତୁଳନାତ୍ମକ ହିସାବ ନିଆଗଲେ ୨୦୨୫-୨୬(ଏପ୍ରିଲ-ମାର୍ଚ୍ଚ) ଆର୍ଥିକବର୍ଷରେ ଭାରତ ପ୍ରତିରକ୍ଷା ବ୍ୟୟବରାଦକୁ ୯.୫% ବଢ଼ାଇ ୭୮.୭ ବିଲିୟନ ଡଲାର କରିଛି । ଏଥିରେ ପେନ୍‌ସନ୍‌ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ତେବେ ଏଥିମଧ୍ୟରୁ ଉପକରଣ ପାଇଁ ୨୧ ବିଲିୟନ ଡଲାର ଆବଣ୍ଟନ କରାଯାଇଛି । ତେବେ ୨୦୨୫-୨୬ ଆର୍ଥିକବର୍ଷରେ ଭାରତର ପ୍ରତିରକ୍ଷା ବଜେଟ୍‌ ପାକିସ୍ତାନ ତୁଳନାରେ ୯ ଗୁଣା ଅଧିକ ରହିଛି । 

ପହଲ୍‌ଗାମ ଆତଙ୍କବାଦ ହମ୍‌ଲା ପରେ ଭାରତ ଏହାର ପ୍ରତିରକ୍ଷା ବ୍ୟୟ ବୃଦ୍ଧି କରିବା ନେଇ ସଂକେତ ଦେଇଛି । ପାକିସ୍ତାନର ଆତଙ୍କବାଦ ଗ୍ରୁପ୍‌ ଉପରେ ହମ୍‌ଲା ଲାଗି ଉଦ୍ଦିଷ୍ଟ ଅପରେଶନ ସିନ୍ଦୁରର ସଫଳତା ଭାରତର ଅଭିବୃଦ୍ଧିଶୀଳ ପ୍ରତିରକ୍ଷା ଶିଳ୍ପର ସାମର୍ଥ୍ୟକୁ ଦର୍ଶାଉଛି। ଏହି ଅପରେଶନ୍‌ ବେଳେ ଭାରତ ଏହାର ଅତ୍ୟାଧୁନିକ ମିସାଇଲ ଏବଂ ଅସ୍ତ୍ର ବ୍ୟବହାର କରି ଜଣାଇଥିଲା ଯେ, ଦେଶ ପ୍ରତିରକ୍ଷା ଟେକ୍ନୋଲୋଜିରେ ଅଧିକ ଆତ୍ମନିର୍ଭର ହୋଇଛି । ପାକିସ୍ତାନରେ ଆତଙ୍କବାଦ ଆଡ୍ଡାଗୁଡ଼ିକ ଉପରେ ଭାରତ ବ୍ରହ୍ମୋସ ସୁପର୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ଏବଂ ଅନ୍ୟାନ୍ୟ ଅସ୍ତ୍ର ବ୍ୟବହାର କରିଥିଲା । ଭାରତର ବାହୁବଳ ମଧ୍ୟ ଆକାଶ ଏୟାର୍‌ ଡିଫେନ୍ସ ମିସାଇଲ ଏବଂ ଡି୪ ଆଣ୍ଟି-ଡ୍ରୋନ୍‌ ସିଷ୍ଟମ୍‌ର ବ୍ୟବହାର କରି ପାକିସ୍ତାନ୍‌ର ଡ୍ରୋନ୍‌ଗୁଡ଼ିକୁ ବିଫଳ କରିଥିଲା । ତେବେ ଅସ୍ତ୍ରଶସ୍ତ୍ର ନିର୍ମାଣରେ ଅଗ୍ରଗତି ସତ୍ତେ୍ୱ ଭାରତ ଏବେ ବି ବହୁଳ ମାତ୍ରାରେ ଅସ୍ତ୍ର ଆମଦାନି ଉପରେ ନିର୍ଭର କରୁଛି । 

ଷ୍ଟକ୍‌ହମ୍‌ ଇଣ୍ଟର୍‌ନ୍ୟାସ୍‌ନାଲ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌(ଏସ୍‌ଆଇପିଆର୍‌ଆଇ) ଅନୁସାରେ, ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍‌ ଅସ୍ତ୍ର ଆମଦାନିକାରୀ । ଭାରତର ସର୍ବବୃହତ୍‌ ଅସ୍ତ୍ର ଯୋଗାଣକାରୀ ହେଉଛି ରୁଷ । ଦେଶର ମୋଟ ଆମଦାନିରେ ଏହାର ଭାଗ ରହିଛି ୩୬% । ଫ୍ରାନ୍ସ, ଇସ୍ରାଏଲ ଏବଂ ଆମେରିକାରୁ ମଧ୍ୟ ଭାରତ ଅସ୍ତ୍ର ଆମଦାନି କରୁଛି ।