ସାମୂହିକ ନରହତ୍ୟା ମାମଲାରେ ପ୍ରଥମ ସ୍ଥାନରେ ପାକିସ୍ତାନ, ଭାରତ ରହିଛି…

ନୂଆଦିଲ୍ଲୀ ୦୪/ ୧୨: ମାସ୍ କିଲିଂ ବା ସାମୂହିକ ନରସଂହାର ବିଶ୍ବର ଏକ ପ୍ରମୁଖ ସମସ୍ୟା ହୋଇ ଛିଡା ହୋଇଛି । ହିଂସାକାଣ୍ଡ ହେଉ କିମ୍ବା ପୂର୍ବ ଶତ୍ରୁତା ଅନେକ ସମୟରେ ସାମୂହିକ ନରସଂହାର ଦେଖିବାକୁ ମିଳିଥାଏ । ଭାରତରେ ମଧ୍ୟ ଏଭଳି ଘଟଣା କିଛି କମ୍ ନୁହେଁ ଅବଶ୍ୟ ପୂର୍ବାପେକ୍ଷା ଅନେକ ମାତ୍ରାରେ ହ୍ରାସ ପାଇଛି କିନ୍ତୁ ପୂରାପୂରି ଭାବେ ଥମିନାହିଁ । ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ ସାମୁହିକ ନରସଂହାର ବା ମାସ୍ କିଲିଂରେ ଭାରତ ଅଷ୍ଟମ ସ୍ଥାନରେ ରହିଛି ।
ଯେଉଁ ଦେଶ ଗୁଡିକରେ ସାମୂହିକ ନରସଂହାର ଆଶଙ୍କା ଅଧିକ ସେହିସବୁଙ୍କୁ ନେଇ ଏଭଳି ରିପୋର୍ଟ ପ୍ରକାଶ ପାଇଛି । ୨୦୨୨-୨୩ ବର୍ଷ ପାଇଁ ଆମେରିକାର ଏକ ଗବେଷଣା ସଂସ୍ଥା ଏଭଳି ରିପୋର୍ଟ ପ୍ରକାଶ କରିଛି । ନୂଆ ରିପୋର୍ଟରେ ଭାରତର ସ୍ଥାନ ତଳକୁ ଖସିଛି ଅର୍ଥାତ ସାମୂହିକ ନରସଂହାର ଘଟଣାରେ ଭାରତ ପୂର୍ବାପେକ୍ଷା ଭଲ ସ୍ଥିତିକୁ ଆସିଯାଇଛି ।
ସୂଚନାଯୋଗ୍ୟ, ପୂର୍ବରୁ ସାମୂହିକ ନରସଂହାର ଘଟଣାରେ ବିଶ୍ବର ଶୀର୍ଷ ୧୫ ଦେଶ ମଧ୍ୟରୁ ଭାରତ ଦ୍ବିତୀୟ ସ୍ଥାନରେ ରହିଥିଲା । ଯାହାକି ବର୍ଷକ ମଧ୍ୟରେ ହ୍ରାସାପାଇ ଅଷ୍ଟମ ସ୍ଥାନକୁ ଚାଲିଆସିଛି । ରିପୋର୍ଟ ମୁତାବକ ଭାରତରେ ମାସ୍ କିଲିଂ ସମ୍ଭାବନା ୭.୪ ପ୍ରତିଶତ ଅର୍ଥାତ ପ୍ରତି ୧୪ଟି ମାମଲା ମଧ୍ୟରୁ ଗୋଟିଏ ।
ମାସ୍ କିଲିଂ ମାମଲାରେ ପ୍ରଥମ ସ୍ଥାନରେ ରହିଛି ପାକିସ୍ତାନ । ଅର୍ଥାତ ପାକିସ୍ତାନରେ ସାମୂହିକ ନରହତ୍ୟା ମାମଲା ସର୍ବାଧିକ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅନ୍ୟଦେଶରେ ଏଭଳି ହତ୍ୟାକାଣ୍ଡ କମୁଥିବା ବେଳେ ପାକିସ୍ତାନରେ କିନ୍ତୁ ବଢୁଛି । ମୋଟ ୧୬୨ଟି ଦେଶକୁ ନେଇ ଏଭଳି ରିପୋର୍ଟ ପ୍ରକାଶ ପାଇଥିବା ବେଳେ ପ୍ରଥମ ସ୍ଥାନରେ ପାକିସ୍ତାନ ରହିଛି । ସେହିଭଳି ଦ୍ବିତୀୟ ସ୍ଥାନରେ ୟେମେନ୍, ୩ୟରେ ମିଆଁମାର, ୪ର୍ଥରେ ଇରାନ, ୫ମ ରେ ଇଥିୟୋପିୟା, ୬ଷ୍ଠରେ ନାଇଜେରିୟା, ୭ମ ରେ ଆଫଗାନିସ୍ତାନ, ୮ମରେ ଭାରତ ରହିଛି । ସୁଡାନ, ସୋମାଲିୟା, ସିରିୟା, ଇରାକ୍ ଏବଂ ଜିମ୍ବାଓ୍ବେ ଯଥାକ୍ରମେ ୯ମ ରୁ ୧୪ତମ ସ୍ଥାନରେ ରହିଛନ୍ତି ।