ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଶୁକ୍ରବାର ଘଟିଥିବା ଆତ୍ମଘାତି ବିସ୍ଫୋରଣ ସାରା ବିଶ୍ବକୁ ଚକିତ କରିଛି। ନମାଜ ପାଠ ବେଳେ ହୋଇଥିବା ଏହି ଆତ୍ମଘାତୀ ବିସ୍ଫୋରଣରେ ଏପର୍ଯ୍ୟନ୍ତ ୩୧ ଜଣଙ୍କର ମୃତ୍ୟୁ ଘଟିଛି । ଏଥି ସହ ୧୬୯ ଜଣ ଆହତ ହୋଇଛନ୍ତି। ଯାହା ସୂଚନା ରହିଛି, ମସଜିଦର ପ୍ରବେଶ ଫାଟକରେ ଅଟକାଇବା ପରେ ଆତ୍ମଘାତୀ ବିସ୍ଫୋରଣକାରୀ ନିଜକୁ ଉଡ଼ାଇ ଦେଇଥିଲେ। ପ୍ରତ୍ୟକ୍ଷଦର୍ଶୀ ମାନେ କହିଛନ୍ତି ଯେ, ଆତଙ୍କବାଦୀ ମାନେ ପ୍ରଥମେ ଗୁଳି ଚଳାଇଥିଲେ ଏବଂ ପରେ ଏକ ବୋମା ବିସ୍ଫୋରଣ କରିଥିଲେ।

ଗେଟରେ ଅଟକାଇବା ସମୟରେ ସେ ନିଜକୁ ଉଡ଼ାଇ ଦେଇଥିଲେ...

ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ମସଜିଦର ମୁଖ୍ୟ ଗେଟ୍ ନିକଟରେ ଜଣେ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇବାରୁ ଆତଙ୍କବାଦୀ ଗୁଳି ଚଳାଇଥିଲେ। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ସେ ନମାଜ କ୍ଷେତ୍ର ଆଡକୁ ବୁଲି ନିଜକୁ ଉଡ଼ାଇ ଦେଇଥିଲେ। ବିସ୍ଫୋରଣକାରୀ ଏତେ ଶକ୍ତିଶାଳୀ ବିସ୍ଫୋରକ ବ୍ୟବହାର କରିଥିଲେ ଯେ, ଏହା ନିକଟବର୍ତ୍ତୀ ଘରର ଝରକା ଭାଙ୍ଗି ଦେଇଥିଲା। ତେବେ ସବୁଠାରୁ ବଡ କଥା ହେଉଛି ଗୁରୁବାର ଠାରୁ ଦୁଇ ଦିନିଆ ପାକିସ୍ତାନ ଗସ୍ତରେ ଆସିଥିବା ଉଜବେକିସ୍ତାନ ରାଷ୍ଟ୍ରପତି ଶଭକତ ମିର୍ଜିୟୋୟେଭଙ୍କ ଗସ୍ତ ସମୟରେ ଏହି ଆକ୍ରମଣ ହୋଇଛି ।

ସରକାରୀ ଅନୁସାରେ କେତେ ମୃତ୍ୟୁ ?

ଜଣେ ଅଧିକାରୀ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ, ବିସ୍ଫୋରଣରେ ଅତି କମରେ ୩୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୬୯ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ପାଇଁ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରି ନାହାଁନ୍ତି । ସମ୍ବାଦ ସରବରାହ ସଂସ୍ଥା ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ପୋଲିସ ସୂତ୍ର ଅନୁଯାୟୀ ଆକ୍ରମଣକାରୀ ଜଣେ ବିଦେଶୀ ନାଗରିକ।

ପାକିସ୍ତାନୀ ସେନା ଅଞ୍ଚଳକୁ ଘେରାବନ୍ଦୀ କରିଛି…

ସେନା କର୍ମଚାରୀ ଏବଂ ରେଞ୍ଜର୍ସ ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି, ଏବଂ ବିସ୍ଫୋରଣ ସ୍ଥଳ ଚାରିପାଖରେ ସୁରକ୍ଷା ଅଭିଯାନ ଚାଲିଛି। ରାଷ୍ଟ୍ରପତି ଆସିଫ୍ ଅଲି ଜର୍ଦ୍ଦାରୀ, ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ସଂସଦରେ ବିରୋଧୀ ଦଳ ନେତା ଆଲ୍ଲାମା ରାଜା ନାସିର ଆବାସ୍ ଆକ୍ରମଣକୁ ନିନ୍ଦା କରିଛନ୍ତି।

ଏହା ସହ ପଢନ୍ତୁ : ମହିଳାଙ୍କ ଇଛା ବିରୋଧରେ ତାଙ୍କୁ ମା’ ହେବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ, ଗର୍ଭପାତକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ...