ଭୁବନେଶ୍ୱର,୨୭/୦୭: ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ପୂର୍ବତନ ବିଧାୟକ ସୁଶାନ୍ତ ସିଂ । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । କିଛିଦିନ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିଲା, କିନ୍ତୁ ଆଜି ସକାଳୁ ସକାଳୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଥିଲା ଏବଂ ଡାକ୍ତର ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ । ପଶ୍ଚିମ ଓଡ଼ିଶାରେ ସୁଶାନ୍ତଙ୍କର ସ୍ୱତନ୍ତ୍ର ପରିଚୟ ଥିଲା । ବିଜେଡିର ଜଣେ ଟାଣୁଆ ନେତା ଥିଲେ ସୁଶାନ୍ତ । ବିଜେଡ଼ି ସରକାରରେ ସେ ଶ୍ରମ ମନ୍ତ୍ରୀ ଥିଲେ । ୫୩ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି ପୂର୍ବତନ ବିଧାୟକ, ମନ୍ତ୍ରୀ ସୁଶାନ୍ତ ସିଂ । ତାଙ୍କ ପରଲୋକରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

ସୁଶାନ୍ତ ସିଂହ ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ଓଡ଼ିଶା ସରକାରରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ।  ବିଜେଡ଼ି ସରକାରରେ ସେ ଶ୍ରମ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିଲେ । ସୁଶାନ୍ତ ବିଜୁ ଜନତା ଦଳର ଜଣେ ତୁଙ୍ଗ ନେତା ଥିଲେ । ବରଗଡ଼ ତଥା ପଶ୍ଚିମ ଓଡିଶାରେ ସେ ଦଳର ମୁଖ୍ୟ ଚେହେରା ଥିଲେ । ତେବେ ୨୦୨୪ରେ ସେ ପରାସ୍ତ ହୋଇଥିଲେ । ଏହାପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିଲା ଏବଂ ଚିକିତ୍ସା ଜାରି ରହିଥିଲା । ତାଙ୍କର ରାଜନୈତିକ ଜୀବନରେ ସାଧାରଣ ଲୋକଙ୍କ ସେବା ଏବଂ ବିକାଶମୂଳକ କାର୍ଯ୍ୟ ପାଇଁ ସେ ପରିଚିତ ଥିଲେ । ତାଙ୍କ ଦେହାନ୍ତ ଖବର ପାଇ ରାଜ୍ୟର ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ବିଜେଡି ସମେତ ବିଭିନ୍ନ ଦଳର ନେତାମାନେ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।